କଳିଙ୍ଗନଗରର କରୁଣ କାହାଣୀ  ପୁଅ ରୋଗାଗ୍ରସ୍ତକୁ ମାଆ ରୋଗୀଣା; କାନ୍ଦୁଛି ବିଧବା ବୀଣା


 ଦାନଗଦୀ: ନିୟତି ନିଷ୍ଠୁର ସାଜିଛି ଏକ ଗରିବ ପରିବାର ଉପରେ । ଦିନେ ନୁହେଁ କି ଓଳିଏ ନୁହେଁ ଦୀର୍ଘ ବର୍ଷ ହେଲା ଗୋଟିଏ ପରିବାର ଦୁଃଖ ଯନ୍ତ୍ରଣା ଜର୍ଜରିତ ହେଉଛି । ଏହାର ଅନ୍ତ ଘଟୁନାହିଁ । ଆମେ କହୁଛୁ ଦାନଗଦୀ ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ସିଙ୍ଗାଗଡିଆ ଗାଁରେ ଥିବା ବୀଣା ପଣ୍ଡାଙ୍କ ପରିବାର କଥା । 
ପରିବାର କହିଲେ ବିଧବା ବୀଣା ପଣ୍ଡା, ବଡ଼ ପୁଅ ଦିବ୍ୟାଙ୍ଗ ଜଗନ୍ନାଥ (୨୩), ସାନପୁଅ ନିରଞ୍ଜନ (୧୩) ପରିବାରର ତିନି ସଦସ୍ୟଙ୍କ ଦୁଃଖ କହିଲେ ସରିବ ନାହିଁ । ମା ବୀଣାର ଗୋଡ଼ ପୋଲିଓ, କୀଡୀନି ଖରାପ, ବ୍ଲଡ଼ ପ୍ରେସର ଓ ଥାଇରଏଡ ପରି ୪ ପ୍ରକାର ରୋଗରେ ପୀଡ଼ିତ । ବେଶୀ ବାଟ ଚାଲିବା ପାଇଁ ଅକ୍ଷମ । ତଥାପି ପିଲା ପରିବାର ପାଇଁ ଭିକ ମାଗିବାକୁ ପଡ଼ୁଛି । ବଡ଼ପୁଅ ଜଗନ୍ନାଥ ଦିବ୍ୟାଙ୍ଗ, ମୁହଁ ଗୋଡ଼ ବଙ୍କା ହୋଇଯାଇଛି । ଗୋଟେ ହୁଇଲ ଗାଡିରେ ସେ ମଧ୍ୟ ଭିକ ମାଗେ । ପ୍ରବଳ ଖରାରେ ଯାହା ଦାନଗଦୀ ବଜାରରେ ସକାଳ ସନ୍ଧ୍ୟାରେ ନିଜ ପେଟ ପାଇଁ ପରିବାର ପାଇଁ ମାଗେ, ସାନପୁଅ ନିରଞ୍ଜନ ଦାନଗଦୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର । ତାର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ନାହିଁ । କିଡୀନିରେ ଷ୍ଟୋନ ହୋଇଛି । ପରିବାରର ମୁରବୀ କୁଳମଣି ପଣ୍ଡା ବର୍ଷେ ତଳୁ କୀଡୀନି ରୋଗରେ ଶଯ୍ୟାଶାୟୀ ହୋଇ ଅର୍ଥ ଅଭାବରୁ ଆଖି ବୁଜିଲେ । ଏକ ଅଭିଶପ୍ତ ପରିବାର ପରିବାରର ସମସ୍ତଙ୍କ ଆଖିରେ ଲୁହ ପୋଛିବାକୁ କେହି ନାହିଁ । ଓଳିଏ ଖାଇଲେ ଆର ଓଳି ଓପାସ, ପାଠ ପଢା ବୟସରେ ମା ସାଙ୍ଗରେ ଭିକ୍ଷାବୃତି କରିବାକୁ ଯାଉଛି ପୁଅ ନିରଞ୍ଜନ । କେତଦିନ ଭିକ ମାଗି ଔଷଧ ଖାଇବେ? ମା ବୀଣାଙ୍କର ମାସିକ ଔଷଧ ଖର୍ଚ୍ଚ ତିନିହଜାର ଟଙ୍କା । ସ୍ୱାମୀଙ୍କର ମୃତୁ୍ୟ ପରେ ରୋଗୀଣା ବୀଣା ଦୁଇ ରୋଗୀଣା ପୁଅଙ୍କ ଅନିଶ୍ଚିତ ଭବିଷ୍ୟତ କଥା ଭାବି ଭାବି ଦୁଃଖରେ ଭାଙ୍ଗି ପଡିଲେଣି । ସାନ ପୁଅକୁ ଭଲ କରିବା ପାଇଁ ଔଷଧ ପାଇଁ ଅର୍ଥ ଯୋଗାଡ଼ କରିପାରୁ ନାହଁନ୍ତି । ପାଠ ପଢା କଥା କିଏ ପଚାରେ? କାଳ ବୈଶାଖୀରେ ଚାଳ ଛପର ଘରର ଚାଳ ଉଡିଯାଇଛି । ଜାରିପାଲ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ତିନି ପ୍ରାଣୀ । ଖରା ବର୍ଷାରେ ଘର ଖଣ୍ଡେ ନାହିଁ ମୁଣ୍ଡ ଉପରେ । ଘରେ କେହି ରୋଜଗାରକ୍ଷମ ସୁସ୍ଥ ବ୍ୟକ୍ତି ନାହଁନ୍ତି । ଏପରି ଅବସ୍ଥାରେ ଶିଳ୍ପନଗରୀ କଳିଙ୍ଗନଗର, ସୁନାର ରନôଗର୍ଭା ସୁକିନ୍ଦାରେ କେହି ତାକୁ ଆହା ପଦେ କହିବାକୁ ନାହଁନ୍ତି । ଏପରି ଏକ ଗରିବ ପରିବାରର ଦୁଃଖ ଯିଏ ଦେଖିବ ତା ଆଖିରୁ ଲୁହ ଆସିଯିବ । କୋହଭରା କଣ୍ଠରେ ବିଧବା ଅସହାୟ ବୀଣା କୁହନ୍ତି । ଦୈନିକ ଭିକ ମାଗିଲେ ଲୋକ ମାନେ ଦେଉନାହାନ୍ତି, ଚିଡୁଛନ୍ତି । ଆମେ ଚଳିବୁ କେମିତି? ପୁଅ ମାନଙ୍କୁ ଔଷଧ ଓ ମୋ ପାଇଁ ଔଷଧ କିଣି ଖାଇବା ଅସମ୍ଭବ ହୋଇ ପଡୁଛି । ଆଉ କେଇଟା ଦିନ ପରେ ସ୍ୱାମୀଙ୍କର ଶ୍ରାଦ୍ଧ ବାର୍ଷିକ କିପରି କରିବି? ପିଲାଙ୍କ ପାଇଁ ପ୍ୟାଣ୍ଟସାର୍ଟ ଦେଇପାରୁନାହିଁ । ବଡ଼ ପୁଅ ବିକଳାଙ୍ଗ, ସାନ ପୁଅ ମାତ୍ର ତେର ବର୍ଷର ପୁଣି ରୋଗୀଣା କାମ କରି ଘର ଚଳାଇବ କିଏ? ନିର୍ବାଚନ ଆସିଲାଣି କେତେ ନେତା ଆସିବେ କେତେ ମିଠା ମିଠା କଥା କହିବେ ପ୍ରତିଶ୍ରୁତି ଦେବେ । ହେଲେ ଏହି କଳିଙ୍ଗନଗରର କଳା କରୁଣ କାହାଣୀ ଥିବା ବୀଣାର ଉଜୁଡି ଯିବାକୁ ବସିଥିବା ପରିବାର ପ୍ରତି ଦୃଷ୍ଟି ପଡିବ ତ ରାଜନେତାଙ୍କର? ନା ଦୀପ ତଳ ଅନ୍ଧାର ପରି ବ୍ଲକ ଅଫିସ ଦୂରରେ ଥିବା ଏହି ଦୁଃଖୀ ପରିବାରର ଦୁଃଖ ଏହିପରି ରହିଯିବ । ତା ମୁଣ୍ଡ ଗୁଞ୍ଜିବାକୁ ଘର ତାଙ୍କ ସାନ ପୁଅ ନିରଞ୍ଜନକୁ ସୁସ୍ଥ କରିଦେବା ପାଇଁ କାନ୍ଦି କାନ୍ଦି କରୁଣ ନିବେଦନ କରିଛନ୍ତି ଏହି ବିଧବା ମା ବୀଣା ।