ସବୁଆଡ଼େ ଭେଜାଲ ଖାଦ୍ୟର ପସର : କୁମ୍ଭକର୍ଣ୍ଣ ନିଦ୍ରାରେ ଖାଦ୍ୟ ନିରାପତ୍ତା ବିଭାଗ

ଦାନଗଦୀ : କଳିଙ୍ଗନଗର ଶିଳ୍ପନଗରୀରେ ଭେଜାଲ ଖାଦ୍ୟର ପସରା ମେଲିଛି । ଗଢିଉଠିଥିବା ମାଳମାଳ ହୋଟେଲ, ଢ଼ାବା ଓ ଫାଷ୍ଟଫୁଡ ଭେଜାଲ ଖାଦ୍ୟର ବିକ୍ରି ହେଉଥିବା ବେଳେ ଖାଦ୍ୟ ନିରାପତା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ।  ସମ୍ପ୍ରତି ଆଧୁନିକତାର ଯୁଗରେ ଲୋକମାନଙ୍କର ଜୀବନ ଶୈଳୀରେ ଦିନକୁ ଦିନ ପରିବର୍ତ୍ତନ ଘଟୁଛି । ପଇସା ଦେଇ ରୋଗ କିଣୁଛନ୍ତି । 
ବିଶେଷତ ଆଜିର ଯୁବପିଢ଼ିଙ୍କର ପାଟି ସୁଆଦିଆ ଖାଦ୍ୟ ପ୍ରତି ଏତେ ମାତ୍ରାରେ ମନ ବଳିଯାଇଛି ଯେ ସେମାନେ କ୍ଷଣିକ ଆନନ୍ଦ ପାଇଁ ନିଜର ମୂଲ୍ୟବାନ ଶରୀରର ଭବିଷ୍ୟତ କଥା ଭୁଲିଯାଉଛନ୍ତି । ଏସବୁର ସୁଯୋଗ ନେଇ ଲୋକମାନଙ୍କ ରୁଚି ଓ ଚାହିଦା ମତେ ଛକ, ବଜାର, ମେଳା, ମହୋତ୍ସବରେ ଛତୁ ଫୁଟିଲା ପରି ଫାଷ୍ଟଫୁଡର ଦୋକାନ ମାନ ଦେଖିବାକୁ ମିଳୁଛି । ଜଳଖିଆ ଦୋକାନ ଗୁଡିକୁ ବ୍ୟତିତ ରାସ୍ତାକଡ଼ରେ ଥିବା ମାଳମାଳ ଫାଷ୍ଟଫୁଡ ଷ୍ଟଲ ଗୁଡିକ ଯୁବ ବର୍ଗଙ୍କର ପ୍ରଥମ ପସନ୍ଦ । ଏହି ଫାଷ୍ଟ ଫୁଡ ପ୍ରତି ଯୁବବର୍ଗ ଏପରି ଏତେ ମାତ୍ରାରେ ଆକର୍ଷିର୍ତ ହେଉଛନ୍ତି ଏହା ଦୈନିକଖାଇବା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି । କଳିଙ୍ଗନଗର ଶିଳ୍ପାଂଚଳ ସ୍ଥିତ ଦାନଗଦୀ ବଜାର ଠାରୁ ଡ଼ୁବୁରୀଛକ, ବଙ୍ଗଳା ଛକରୁ ମିଲିଟାରୀ ଛକ ରାସ୍ତା କଡ଼ରେ ଯେଉଁଆଡେ ଦେଖିବ ମାଳମାଳ ଫାଷ୍ଟଫୁଡ ଖୋଲିଛି । ସଞ୍ଜ ନଇଁଲେ ଦୋକାନ ମାନଙ୍କରେ ଶିଳ୍ପାଞ୍ଚଳରେ କାମ କରୁଥିବା ବାହାର ଲୋକଙ୍କ ସମେତ ଯୁବ ବର୍ଗଙ୍କ ଫାଷ୍ଟ ଫୁଡ ଖାଇବା ପାଇଁ ଭିଡ଼ ଲାଗୁଛି । ଏକ ପ୍ରକାର ଫାଷ୍ଟଫୁଡ ଖାଦ୍ୟ ଜାଲରେ ଯୁବ ବର୍ଗ ଛନ୍ଦି ହୋଇଯାଇ ଥିବା ବେଳେ ଏହାର ସୁଯୋଗ ନେଉଛନ୍ତି କିଛି ଲାଭଖୋର ମନଭାବ ଥିବା ଫାଷ୍ଟଫୁଡ ବେପାରୀ । ଏହି ଫାଷ୍ଟଫୁଡ ବେପାରୀ ଡ଼ୁବୁରୀ ଓ ଦାନଗଦୀ ହାଟ ପାଳିରେ ଓ କିଛି ମେଳା, ମହୋତ୍ସବ ହେଲେ ବହୁତ ବେପାର କରିଥାନ୍ତି । ଏପରି ଦୋକାନୀ ମାନେ ଯେଉଁ ସବୁ ଫାଷ୍ଟଫୁଡ ତିଆରି କରନ୍ତି ସେ ସବୁ ଖାଦ୍ୟରେ ବିଭିନ୍ନ ପ୍ରକାର ରାସାୟନିକ ମାରାତ୍ମକ ରଙ୍ଗ, ଚାଇନା ଲୁଣ, ଭେନେଗାର, ନକଲି ସସ, ବିଷାକ୍ତ କେମିକାଲ ଯୁକ୍ତ ଉପାଦାନ ମାନ ପକାଇ ଖାଦ୍ୟକୁ ପାଟି ସୁଆଦିଆ କରି ଆରମ୍ରେ ବେପାର କରିଥାନ୍ତି । ଯେଉଁ ଖାଦ୍ୟ ଗୁଡିକ ମଧ୍ୟରେ ରହିଛି ଅଣ୍ଡାରୋଲ, ଚାଉମିନ, ଚିକେନ ପକୋଡା, ଚିÿଲ୍ଲୀ ଚିକେନ, ବିରିୟାନୀ, ମଂଚୁରିୟାନ, ମୋମ, ଚାଟ ଏପରି ବିଭିନ୍ନ ପ୍ରକାର ଖାଦ୍ୟ ଗୁଡିକୁ ଆଖିକୁ ଖୁବ ସୁନ୍ଦର ଦେଖା ଯାଉଥିବା ପରି ସଜାଇ ରଖିଥାନ୍ତି । ଭେଜାଲ ରଙ୍ଗ ମିଶାଖାଦ୍ୟ ଗୁଡିକ ପାଟିକୁ ସିନା ସୁଆଦିଆ ଲାଗିଥାଏ ସ୍ୱାସ୍ଥ୍ୟ ପକ୍ଷେ ଏଗୁଡିକ ବହୁତ ହାନୀ କାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରନ୍ତି । ସାଧାରଣ ବାପା ମା  ମେଳା, ମହୋତ୍ସବ ଯାତ୍ରାକୁ ଛୋଟ ଛୋଟ ପିଲାମାନଙ୍କୁ ନେଇ ଏସବୁ ଖାଦ୍ୟ ଖାଇବା ପାଇଁ ଦେଇଥାନ୍ତି । କେତେକ ଜାଗାରେ ଅପରିସ୍କାର ପରିବେଶ ଓ ମାଛି ବସିଥିବା ବାସୀ ଖାଦ୍ୟ ମଧ୍ୟ ପରସା ଯାଇଥାଏ । ଆଜିକାଲି ବେଶୀ ସଂଖ୍ୟାରେ କଲେଜ ପଢୁଆ ପୁଅଝିଅ ଏସବୁ ଖାଇବା ଦ୍ୱାରା ଧିରେ ଧିରେ ଗ୍ୟାଷ୍ଟ୍ରିକ, କୀଡୀନି ରୋଗ, ହାର୍ଟଆଟକ, ମେଦବହୁଳ ରୋଗ, ସୁଗାର ବ୍ଲଡ଼ ପ୍ରେସର ଓ ଚର୍ମ ରୋଗ ଆଦି ଆରମ୍ଭ ହୋଇଥାଏ । କାରଣ ଅଧିକାଂଶ ଫାଷ୍ଟଫୁଡ ଦୋକାନୀ ନିମ୍ନମାନର ଖାଦ୍ୟ ଗ୍ରାହକ ମାନଙ୍କୁ ବିକୁଥିବା ବେଳେ ରାସ୍ତା କଡ଼ରେ ଧୂଳି ଉଡୁଥିବା ସ୍ଥାନରେ ବିକୁଥିବା ଦେଖିବାକୁ ମିଳେ । ଆଉ ସବୁଠାରୁ ବଡ଼ ଅଭିଯୋଗ ଆସେ ଟଙ୍କା ଲୋଭରେ ଫାଷ୍ଟଫୁଡ ଦୋକାନୀ ବଳକା ଥିବା ଖାଦ୍ୟକୁ ଫ୍ରିଜରେ ରଖି ତା ପରଦିନ ଗରମ କରି, ଅନ୍ୟ ଖାଦ୍ୟରେ ମିଶାଇ ଅଧିକ ତେଲ ମସଲା ଦେଇ ଗ୍ରାହକ ମାନଙ୍କୁ ବିକ୍ରି କରିଥାନ୍ତି । ଶିଳ୍ପାଞ୍ଚଳ ଅନ୍ତର୍ଗତ ସମସ୍ତ ଛକରେ ଥିବା ଦୋକାନ ଗୁଡିକ ଏତେ ମାତ୍ରାରେ ଧୂଳି ଉଡ଼ୁଛି ଯେ କୌଣସି ସ୍ୱଚ୍ଛତା ନାହିଁ । ଅପମିଶ୍ରଣ ମଧ୍ୟ ଚାଲିଛି । ବହୁତ ଫାଷ୍ଟଫୁଡ ଷ୍ଟଲ ଗୁଡିକରେ ଖାଦ୍ୟ ବିକ୍ରୟ ପାଇଁ ଲାଇସେନ୍ସ ମଧ୍ୟ ନାହିଁ ସେମାନେ କିପରି ନିର୍ଭୟ ଓ ଅବାଧରେ ଖୁଲୁମଖୁଲା ଏପରି ଭେଜାଲ ଖାଦ୍ୟ ବିକ୍ରି କରୁଛନ୍ତି ତାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିନା ଫୁଡ ଲାଇସେନ୍ସରେ ଖାଦ୍ୟ ବିକିବା ପାଇଁ ସରକାରଙ୍କର ଅପରାଧିକ ମାମଲା ରୁଜୁ ହେବାର ନିୟମକୁ ଫୁ କରି ଉଡାଇ ଦେଉଛନ୍ତି । ଏସବୁ ଭେଜାଲ ବେଆଇନ କାମ ଖୁଲୁମୁଖୁଲା ଚାଲୁଥିବା ବେଳେ ଖାଦ୍ୟ ନିରାପତା ବିଭାଗର ଅଧିକାରୀ ଖାଦ୍ୟର ମାନ ଯାଞ୍ଚ କରୁନାହାନ୍ତି । ପ୍ରଶ୍ନ ଉଠୁଛି ଯାହା ସବୁ ବେଆଇନ କାମ ହେଉଛି ତାକୁ ସଚେତନତା ସୃଷ୍ଟି କରିବ କିଏ? ଏହି ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ଏଥିପ୍ରତି ବିଲକୁଲ ଦୃଷ୍ଟି ନଦେଇ ଖାଲି ଦରମା ନେଇ କୁମ୍ଭ ନିଦ୍ରାରେ ଶୋଇଛନ୍ତି । କେବେ ମଧ୍ୟ ଏସବୁ ଭେଜାଲ ଖାଦ୍ୟର ମାନ ଶିଳ୍ପାଂଚଳରେ ଥିବା ଦାନଗଦୀ ଓ ଡ଼ୁବୁରୀ ଛକରେ ପରଖା ଯାଉନାହିଁ । ଏଥିପ୍ରତି ଯାଜପୁର ଜିଲାପାଳ ଓ ଖାଦ୍ୟ ନିରାପତା ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଛି । ପରିଚାଳକ ରାଜେନ୍ଦ୍ର କୁମାର ରଣା ପ୍ରମୁଖ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ । ଖବରଦାତା ସମ୍ମିଳନୀରେ ସଂଗ୍ରାମ ବେହେରା, ପ୍ରଶାନ୍ତ ସେଠୀ, ଶ୍ରୀନିବାସ ସାହୁ, ଦୀପଙ୍କର ସାମଲ, ସତ୍ୟବାନ ସନ୍ଧିବିଗ୍ରହ, ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।