କୃମିମୁକ୍ତ ଯାଜପୁର ଉପରେ ଗୁରୁତ୍ୱ

 ଯାଜପୁର ଟାଉନ : କୃମି ମୁକ୍ତ ଯାଜପୁର ଅଭିଯାନ ନିମିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ବିଜୟ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ ୧୨ଅଗଷ୍ଟରୁ ୧ରୁ ୧୯ବର୍ଷର ସମସ୍ତ ଶିଶୁ ଓ ୨୦-୨୪ବର୍ଷ ପ୍ରଜନନକ୍ଷମ ମହିଳା(ଗର୍ଭବତୀ କିମ୍ବା ପ୍ରସୂତି ହୋଇନଥିବେ)କୃମି ନାଶକ ଔଷଧ ଖାଇବେ । ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଏହି ଔଷଧ ପ୍ରଦାନ କରାଯିବ । ଯେଉଁ ମାନେ୧୨ତାରିଖ ଦିନ ଖାଇ ନଥିବେ, ସେମାନେ ଅଗଷ୍ଟ ୧୯ତାରିଖ ଦିନ ଖାଇବେ । ଜିଲାରେ ଯେହେତୁ ଫାଇଲେରିଆ ମୁକ୍ତ ଅଭିଯାନ ବରି, ବଡ଼ଚଣା, କୋରେଇ ବ୍ଲକ,ଯାଜପୁର ଓ ବ୍ୟାସନଗର ପୌରପାଳିକାରେ ଅଗଷ୍ଟ ୧୦ରେ ଆରମ୍ଭ ହେଉଛି, ସେହି ଅଞ୍ଚଳରେ୧-୨ବର୍ଷର ଶିଶୁମାନେ କୃମି ଔଷଧ ବୁଧବାର ଟୀକାକରଣ କେନ୍ଦ୍ରରେ ଖାଇବେ ଓ ଅନ୍ୟ ହିତାଧିକାରୀମାନେ ଫାଇଲେରିଆ ମୁକ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ କୃମି ଔଷଧ ଖାଇବେ । ବୈଠକରେ ଡା.ଗୋପାଳ ଚନ୍ଦ୍ର ମଲିକ,ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଏବଂ ଜିଲାର ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପକରେ ବିସ୍ତୃତ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳ ଅମ୍ବର କୁମାର କର ସମସ୍ତ ବିଭାଗ ଯଥା ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗ, ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ, ନିବାହୀ ଅଧିକାରୀ ପୌରପରିଷଦ, ଅଧିକ୍ଷଣଯନ୍ତ୍ରୀ, ପାନୀୟ ଜଳ ଓ ପରିମଳ ବିଭାଗଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହାର ପ୍ରଚାର ପ୍ରସାର ପାଇଁ ଜିଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ଜିଲାରେ ସର୍ବମୋଟ ୭,୬୫,୨୬୭ ଜଣ ହିତାଧିକାରୀଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ସେଥିରେ ୬, ୭୨, ୮୮୫ ଜଣ ୧ ରୁ ୧୯ ବର୍ଷର ଶିଶୁ ଓ ୯୨, ୩୮୨ ଜଣ ୨୦-୨୪ ବର୍ଷ ର ପ୍ରଜନନକ୍ଷମ ମହିଳା ଅଛନ୍ତି । କାର୍ଯ୍ୟକ୍ରମରେ ମୋଟ ୮୦୨୧ ଜଣ କର୍ମଚାରୀ ନିୟୋଜିତ ହେବେ । ଶତପ୍ରତିଶତ ସଫଳତା ପାଈଁ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ଜିଲା କଲ୍ୟାଣ ଅଧିକାରୀ, ବ୍ୟାସନଗର ପୌରପରିଷଦ ନିର୍ବାହୀ ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ । ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।