ପାର୍କିଂ ବ୍ୟବସ୍ଥା ନଥିବାରୁ ଜଟିଳ ହେଉଛି ସହର ଟ୍ରାଫିକ ସମସ୍ୟା

ଯାଜପୁର ସଦର : ଦିନକୁ ଦିନ ସହରର କଳେବର ବୃଦ୍ଧି ପାଉଛି  । ଜନସଂଖ୍ୟା ବୃଦ୍ଧି ପାଇବା ସହ ଦୋକାନ ବଜାର ସଂଖ୍ୟା ବଢିବାରେ ଲାଗିଛି । ହେଲେ ସଙ୍କୁଚିତ ସହର ସଂପ୍ରସାରିତ ହୋଇପାରୁନି କି ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉନି । ଯାହା ଫଳରେ ଯାଜପୁର ସହରାଞ୍ଚଳର ଟ୍ରାଫିକ ବ୍ୟବସ୍ଥା ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ଯାଜପୁର ପୌରପରିଷଦ ମୁଖ୍ୟରାସ୍ତା ଠାରୁ ଦୀର୍ଘ ୩ କମି ଗାନ୍ଧୀ ଛକ ଠାରୁ ଯୋଡିକୂଅରୁ କୁସୁମା ମେଡିକାଲ ଛକ ପର୍ଯ୍ୟନ୍ତ ସଦାସର୍ବଦା ଟ୍ରାଫିକ ଜାମ୍ ରହୁଥବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଟାଉନ୍ ଥାନା ପକ୍ଷରୁ ଯେତେ ଚେଷ୍ଟା କଲେ କଣ ହେବ, ସାଧାରଣ ଜନତା ସଚେତନତା ନହେଲେ ଆଗକୁ ଏପରି ଅନେକ ଜଟିଳ ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେବ । ଯାଜପୁର ସହରର ଏହି ସବୁ ସ୍ଥାନ ଗୁଡିକ ମୁଖ୍ୟ ବାଣିଜ୍ୟ ପେଣ୍ଠସ୍ଥଳୀ ଭାବେ ପରିଚିତ । ବିରଜା ମନ୍ଦିର ଠାରୁ ଆରମ୍ଭ କରି କାଳି ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ସମୟରେ ଗାଡ଼ି ମଟର ରଖି ସେମାନଙ୍କର ଦୈନନ୍ଦିନ ବ୍ୟବହାର ଯୋଗ୍ୟ ସମାଗ୍ରୀ କ୍ରୟ କରିଥାନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ସମେତ ବଡ଼ବଡ଼ ମଲ୍ ଗଢ଼ି ଉଠିବା ଫଳରେ ଯାନବାହାନ ଗୁଡ଼ିକ ସେଭଳି କୌଣସି ପ୍ରଶାସନ ପକ୍ଷରୁ ପାର୍କିର୍ଂ ବ୍ୟବସ୍ଥା ନଥିବାରୁ ଲୋକମାନେ ରାସ୍ତା କଡ଼ରେ ଗାଡ଼ି ରଖିବାକୁ ବାଧ୍ୟ ହୋଇଥାନ୍ତି । ସେହିଭଳି ଯାଜପୁର ଟାଉନ ବଡ଼ବଜାର ଠାରୁ ଯୋଡିକୂଅ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାଙ୍କ ଓ ବଡ଼ବଡ଼ ମଲ୍ ରହିଥିବାରୁ ସମାନ ପରିସ୍ଥିତି ସୃଷ୍ଟି ହେଉଛି । ଏହି ପରିସ୍ଥିତି ପୂର୍ବରୁ ଉପୁଜୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କେଉଁଠି କେମିତି ଅଣ ଓସାରିଆ ରାସ୍ତାକୁ ଚଉଡ଼ା କରାଯାଇଥିଲେ ମଧ୍ୟ ଆଉ କେଉଁଠି ସେହି ଅଣଓସାରିଆ ରାସ୍ତା ରହିଛି । ବିଡ଼ମ୍ବନାର ବିଷୟ ସରକାର ରାସ୍ତା ପ୍ରଶସ୍ତ କରିଥିଲେ ମଧ୍ୟ ଜନସାଧାରଣ ଜୋର ଜବରଦସ୍ତ ରାସ୍ତାକୁ ଅବରୋଧ କରି ନିଜ ଅଧିନରେ ରଖିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ  । ସହରର ଏହି ମୁଖ୍ୟ ରାସ୍ତାକୁ ପ୍ରଶସ୍ତିକରଣ କରିବା ସହିତ ରାସ୍ତା ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଗଲେ କିଛି ଅଂଶରେ ଏହି ଟ୍ରାଫିକ୍ ଦୂରୀଭୂତ ହୋଇପାରନ୍ତା । ସେହିପରି ଟାଉନ୍ଥାନା ପକ୍ଷରୁ ପୁଲିସ୍ ମୁତୟନ କରି ଘଣ୍ଟାଘଣ୍ଟା ଧରି ରାସ୍ତାରେ ରଖୁଥିବା ଯାନବାହାନ ଗୁଡ଼ିକୁ ଅନ୍ୟତ୍ର ପାର୍କିଂ ବ୍ୟବସ୍ଥା କରାଇଲେ ଟ୍ରାଫିକ୍ ଅବ୍ୟବସ୍ଥାରେ ସୁଧାର ଆସିବ ବୋଲି କୁହାଯାଉଛି ।