କଳିଙ୍ଗ ଷ୍ଟାଡିୟମ ଓ ରାଜ୍ୟ ସଂଗ୍ରହାଳୟ ବୁଲିଲେ ଶ୍ରୀଲଙ୍କା ଅଧିକାରୀ

 ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା  ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି ଷ୍ଟାଡ଼ିୟମ, ଭାରୋତ୍ତୋଳନ, ସନ୍ତରଣ, ବ୍ୟାଡ଼ମିଣ୍ଟନ, ସୁଟିଙ୍ଗ, ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଦି ବୁଲି ଦେଖିଥିଲେ । ଶ୍ରୀଲଙ୍କାର ଅଧିକାରୀମାନେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମିର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାରେ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସମ୍ବନ୍ଧରେ ଅବଗତ ହୋଇଥିଲେ । ଏହାପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇ ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ , କଣ୍ଢେଇ ଗ୍ୟାଲେରୀ, ମୁଖା ଗ୍ୟାଲେରୀ, ଜନଜାତି ଗ୍ୟାଲେରୀ , ହସ୍ତତନ୍ତ ଗ୍ୟାଲେରୀ ଆଦି ବୁଲି ଦେଖିଥିଲେ । ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହି ଅବସରରେ ଓଡ଼ିଶାର ପାଇକ ବିଦ୍ରୋହ ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧରେ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡା ଓ ଯୁବସେବା ବିଭାଗର ଅଧିକାରୀମାନେ ସାମିଲ ହୋଇ ଓଡ଼ିଶାର କ୍ରୀଡା ଭିତ୍ତିଭୂମି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧରେ ଶ୍ରୀଲଙ୍କାର ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ।