କାମ ସରିନି, ପିଚୁ ଉଠିଲାଣି


ନୀଳଗିରିରୁ ଭଗବାନ ମହଲ : ଭାଲୁକାଶୁଣି ଠାରୁ ନରଣପୁର ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବାବେଳେ କାମ ନ ସରୁଣୁ  ରାସ୍ତାର ଅଧିକାଂଶ ଜାଗାରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ସହିତ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି ।
ପ୍ରକାଶ ଯେ, ଓଡ଼ିଶା ସରକାରଙ୍କ ପୂର୍ତ୍ତବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଭାଲୁକାଶୁଣି - ନରଣପୁର - ମାଟିଆଳୀ ରାସ୍ତାର ଉନ୍ନତିକରଣ ପାଇଁ ୧୭କୋଟି ୯୨ଲକ୍ଷ ୨୫ହଜାର ୫୪୬ଟଙ୍କା ବ୍ୟୟବରାଦ ହୋଇଥିଲା । ୨୦୨୩ ମସିହା ଡିସେମ୍ବର ୨୮ତାରିଖ ଦିନ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ତତ୍କାଳୀନ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ କରକମଳରେ ଶୁଭ ଶିଳାନ୍ୟାସ ଦିଆଯାଇଥିଲା । ପ୍ରହଲ୍ଲାଦ ବାଗ ନାମକ ଜୈନିକ ଠିକାଦାର ଉକ୍ତ ରାସ୍ତାର କାର୍ଯ୍ୟାଦେଶ ପାଇ କାର୍ଯ୍ୟାରମ୍ଭ କରିଥିଲେ । ତେବେ ସଂପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଭାଲୁକାଶୁଣି ଠାରୁ ନରଣପୁର ମଧ୍ୟରେ ଫାଇନାଲ ପିଚୁ କାମ ପ୍ରାୟ ୨୦/୨୫ଦିନ ତଳେ ସରିଥିବାବେଳେ ଅଧିକାଂଶ ଜାଗାରେ ପିଚୁ ଉଠି ବଜରି ବାହାରି ପଡ଼ିଥିବା ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ମଟର ସାଇକେଲ ଆରୋହୀ ହଡବଡେଇ ପଡ଼ିଯାଇ ଲହୁଲୁହାଣ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଘଟଣାକୁ ଚପାଇ ଦେବାକୁ ଠିକାଦାର ଶ୍ରୀ ବାଗ ଏବଂ କନିଷ୍ଠଯନ୍ତ୍ରୀ ସନ୍ତୋଷ ପଣ୍ଡାଙ୍କ ଚକ୍ରାନ୍ତରେ ଟ୍ରାକ୍ଟର ସାହାଯ୍ୟରେ କ୍ରସର୍ ଡଷ୍ଟ ଆଣି କିଛି ତରଳପଦାର୍ଥ (ପ୍ରାଇମର) ସହ ରାସ୍ତାରେ ପେଚ ପକାଇଥିବା ଦେଖିବାକୁ ମିଳିଛି । ଏ ନେଇ କନିଷ୍ଠଯନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଗଛ ଛାଇ ଯୋଗୁଁ ରାସ୍ତାର ଦୁଇ ତିନିଜଗା ଏଭଳି ପିଚୁ ଉଠିଥିବା ସଫେଇ ଦେଇଥିବା ବେଳେ ପ୍ରକୃତରେ ରାସ୍ତା ସାରା ଅଧିକାଂଶ ଜାଗାରେ ପିଚୁ ଉଠିଯାଇଥିବା ଦେଖାଯାଇଛି । ତେବେ କାମ ନ ସରୁଣୁ ପିଚୁ ଉଠିବା ଘଟଣା କେତେ ନିମ୍ନମାନର କାମ ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ତେଣୁ ଉକ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।