କାଶୀ ତାମିଲ ସଙ୍ଗମମ ୩.୦ ଶୁଭାରମ୍ଭ : ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ଆମେ ପ୍ରତିବଦ୍ଧ

 ବାରଣାସୀ: ଉତ୍ତର ପ୍ରଦେଶର ବାରାଣାସୀରେ ‘କାଶୀ ତାମିଲ ସଙ୍ଗମମ ୩.୦’ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ସେ କହିଛନ୍ତି ଯେ, କାଶୀ ତାମିଲ ସଙ୍ଗମମ (କେଟିସ) ଦ୍ୱାରା ଆମେ ଆମ ଦେଶର ଅଖଣ୍ଡ ସାଂସ୍କୃତିକ ଏକତାକୁ ପାଳନ କରିବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡା. ଏଲ୍. ମୁରୁଗନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।
ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ କାଶୀ ତାମିଲ ସଙ୍ଗମମ ହେଉଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାର ପ୍ରତୀକ । କାଶୀ ତାମିଲ ସଙ୍ଗମମ ହେଉଛି ଆମର ମିଳିତ ଐତିହ୍ୟ, ବୌଦ୍ଧିକ ଦକ୍ଷତା ଏବଂ ସଭ୍ୟତାର ବନ୍ଧନର ସମାହାର । ବାବା ବିଶ୍ୱନାଥଙ୍କ ଆଶୀର୍ବାଦରେ କାଶୀ ଏବଂ ରାମନାଥ ସ୍ୱାମୀଙ୍କ ଆଶୀର୍ବାଦରେ ତାମିଲନାଡୁ ଗଢ଼ିଉଠିଛି । ଉଭୟ କାଶୀ ଏବଂ ତାମିଲନାଡୁ ଶିକ୍ଷାର ଏକ କେନ୍ଦ୍ର ଏବଂ ବିଶ୍ୱର ଦୁଇଟି ପୁରାତନ ଭାଷା ସଂସ୍କୃତ ଏବଂ ତାମିଲକୁ ଗ୍ରହଣ କରିଛନ୍ତି । କାଶୀ ତାମିଲ ସଙ୍ଗମମ ୩.୦ ଋଷି ମହର୍ଷି ଅଗସ୍ତିଙ୍କୁ ସ୍ମରଣ କରୁଛି । ମହର୍ଷି ଅଗସ୍ତି କେବଳ ଜଣେ ଋଷି ନୁହନ୍ତି; ସେ ଭାରତର ସାଂସ୍କୃତିକ ଏକତାର ପ୍ରତୀକ ଏବଂ କାଶୀ ଓ ତାମିଲନାଡୁ ମଧ୍ୟରେ ଏକ ଅନନ୍ତ ସେତୁ । ଏହି କାର୍ଯ୍ୟକ୍ରମ କାଶୀ ଏବଂ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତର ଗୌରବମୟ ଐତିହ୍ୟର ଏକ ସ୍ଥାୟୀ ଐତିହ୍ୟ ସୃଷ୍ଟି କରିବ  ବୋଲି ମତବ୍ୟକ୍ତ କରିଛନ୍ତି ।
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ମିଳିତ ଭାଗିଦାରୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି । ୧୦ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ତାମିଲନାଡୁରୁ ପ୍ରାୟ ୧୨୦୦ ପ୍ରତିନିଧି ଯୋଗଦେବାର ଅନୁମାନ କରାଯାଉଛି । କାଶୀ ତାମିଲ ସଙ୍ଗମମର ଉଦେ୍ଦଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର ତାମିଲନାଡୁ ଏବଂ କାଶୀ ମଧ୍ୟରେ ପୁରୁଣା ସମ୍ପର୍କକୁ ପୁନଃସ୍ଥାପନ କରିବା ।