କୁଆଁସ ମା’ମଙ୍ଗଳାଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ

ଦଶରଥପୁର : ମା’ କୁଆଁସ ମଙ୍ଗଳା ପୀଠ ଡାହାଣହତାରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ସମାରୋହରେ ଅନୁଷ୍ଠିତ ହୋଇଛି । ପ୍ରାତଃରୁ ମା’ଙ୍କ ସ୍ନାନ ପରେ ପୂଜା ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା ସମେତ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଭକ୍ତଦିନତମାମ ମା’ଙ୍କ ଦର୍ଶନ କରିବାକୁ ଏହି ପୀଠରେ ଭିଡ଼ ଜମାଇଛନ୍ତି । ଦିନରେ ମା’ଙ୍କ ଦର୍ଶନ କଲେ ସମସ୍ତ ରିଷ୍ଟ ଖଣ୍ଡନ ହେବାସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ପ୍ରବାଦ ଅଛି । ଏଥିସହ ଦୀର୍ଘ ୧ ମାସ ଧରି ପାଟୁଆଭାବେ ବ୍ରତ ଗ୍ରହଣ କରି ବୁଲିଥିବା ପାଟୁଆମାନଙ୍କର ଆଜିର ଦିନରେ ମା’ଙ୍କ ନିକଟରେ ତାଙ୍କ ବ୍ରତ ସମ୍ପନ୍ନ ହୁଏ । ମା’ଙ୍କ ପୀଠରେ ଥିବା ପୁଷ୍କରିଣୀରେ ବୁଡ଼ ପକାଇ ମା’ଙ୍କ ଦର୍ଶନ ପରେ ଏହି ପାଟୁଆମାନେ ଏକତ୍ରିତ ହୋଇଥାନ୍ତି । ପରେ ମଙ୍ଗଳା କମିଟି ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ । ଆଜିଠାରୁ ପ୍ରାୟ ୧ ମାସ ଧରି ମା’ଙ୍କ ପୀଠରେ ପର୍ବ ଲାଗିରହିଥିବାବେଳେ ମଙ୍ଗଳବାର ଓ ଶନିବାର ବିଶେଷଭାବେ ଭକ୍ତଙ୍କ ଭିଡ଼ ହୋଇଥାଏ । ଏଥିସହ ଏହି ପୀଠରେ କୁକୁଡ଼ା ଉଡ଼ାଇବା ଭଳି ଏକ ବିରଳ ପ୍ରଥା ପ୍ରଚଳିତ ହୋଇଥାଏ । ଭକ୍ତମାନେ ନିଜର ମନୋବା‚ା ପୂରଣ ନିମନ୍ତେ ମା’ଙ୍କ ଉଦେ୍ଦଶ୍ୟରେ ଏଠାରେ କୁକୁଡ଼ା ଉଡ଼ାଇଥାନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି ଜୟନ୍ତରା ପଂଚାୟତସ୍ଥ ଜୁନିନ୍ଦା ଗ୍ରାମରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିରଳ ପ୍ରଥାଭାବେ ନିଆଁ ଉପରେ ଘଣ୍ଟୁପାଟୁଆ ଚାଲିବା ଭଳି ଦୃଶ୍ୟକୁ କାଳିସୀ ଲାଗିବା ଦୃଶ୍ୟ ଉପସ୍ଥିତ ଭକ୍ତଙ୍କୁ ବିମୋହିତ କରେ । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶତାଧିକ ଲୋକେ ଅପରାହ୍ନରେ ଏହି ଗ୍ରାମରେ ଭିଡ଼ ଲଗାଇଥାନ୍ତି । ପ୍ରାୟ ୧୦୦ ବର୍ଷରୁ ଉଦ୍ଧ୍ୱର୍ ହେବ ଏହି ଗ୍ରାମରେ ଏପରିଭାବେ ଝାମୁଯାତ୍ରା ଆଜିର ଦିନରେ ଅନୁଷ୍ଠିତ ହୋଇଆସୁଛି ।