ଖୋଲିବ ବନ୍ଦଥିବା ୨୨ଟି ବିଦ୍ୟାଳୟ

  ଢେଙ୍କାନାଳ :   ପୂର୍ବ ସରକାର ଅମଳରେ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ମିଶ୍ରଣ ଯୋଜନାରେ ଜିଲ୍ଲାରେ ଅନେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା । ଏହାକୁ ନେଇ ସେତେବେଳେ ବିଦ୍ୟାଳୟ ବନ୍ଦ ଅଞ୍ଚଳରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା । ପୁଣିଥରେ ସେଗୁଡ଼ିକୁ ଖୋଲାଯିବା ନେଇ ଏବେ ଘୋଷଣା କରାଯାଇଛି । ପ୍ରଥମ ଦଫାରେ ସାରା ରାଜ୍ୟରେ ୪୬ଟି ବିଦ୍ୟାଳୟ ଖୋଲାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ସେଥିରୁ ୨୨ଟି ବିଦ୍ୟାଳୟ ଖୋଲିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି । ଏହା ଜଣାପଡିବ ପରେ ସ୍କୁଲ ଖୋଲୁଥିବା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । 
ସୂଚନା ଯୋଗ୍ୟ ଯେ, ପୂର୍ବ ସରକାର ଅମଳରେ ୨୦୨୦ ମସିହାରେ ଶିକ୍ଷା ବିଭାଗ ପକ୍ଷରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ମିଶ୍ରଣ ଯୋଜନାରେ ସାମିଲ କରି ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ଯୋଜନା ହୋଇଥିଲା । ଯାହାଫଳରେ ଢେଙ୍କାନାଳ ଜିଲ୍ଲାରେ ୨୧୮ଟି ବିଦ୍ୟାଳୟ ମିଶ୍ରଣ ପାଇଁ ସ୍ଥିର ହୋଇଥିବାବେଳେ ସେଥିରୁ ୧୯୨ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନ ସରକାର ବନ୍ଦ ପଡ଼ିଥିବା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଦଫାରେ ଢେଙ୍କାନାଳ ଜିଲ୍ଲାରେ ୨୨ଟି ବିଦ୍ୟାଳୟ ଖୋଲିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି । ସଦର ବ୍ଲକ୍ର ୩ଟି ବିଦ୍ୟାଳୟ ବନ୍ଧନୂଆଗାଁ ପ୍ରାଥମିକ ବିଦ୍ୟାଳୟ, ରାଜୁଆପାଟଣା ପ୍ରାଥମିକ ବିଦ୍ୟାଳୟ ଓ ଜେନାସାହିପାଟଣା ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଓଡ଼ାପଡ଼ାର ୫ଟି ବିଦ୍ୟାଳୟ ହେଲା ସାନବଉଳପୁର ପ୍ରାଥମିକ ବିଦ୍ୟାଳୟ, କୋରେଇଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପସାସିଂ ପ୍ରାଥମିକ ବିଦ୍ୟାଳୟ, ବାରସଘରିଆ ପ୍ରାଥମିକ ବିଦ୍ୟାଳୟ, ନରହରିପୁର ପ୍ରାଥମିକ ବିଦ୍ୟାଳୟ । ସେହିପରି କାମାକ୍ଷାନଗର ବ୍ଲକ୍ର ରଙ୍ଗମାଟିଆ ପ୍ରାଥମିକ ବିଦ୍ୟାଳୟ, ସାନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ଚୁଳିଆ ପ୍ରାଥମିକ ବିଦ୍ୟାଳୟ, ଆମ୍ବଖୋଲକାଟେଣୀ ପ୍ରାଥମିକ ବିଦ୍ୟାଳୟ ଆଦି ୪ଟି, ପର୍ଜଙ୍ଗ ବ୍ଲକର ବାରିହାପୁର ହରିଜନସାହି ପ୍ରାଥମିକ ବିଦ୍ୟାଳୟ, ଓଡ଼ାସିଙ୍ଗା ପ୍ରାଥମିକ ବିଦ୍ୟାଳୟ, ପାଟୁଆପାଲି ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, କାଳଦା, ଚକ୍ରଧରପୁର ପ୍ରାଥମିକ ବିଦ୍ୟାଳୟ, ଝାରାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଦିି ୬ଟି, ହିନେ୍ଦାଳ ବ୍ଲକ୍ର ତଣ୍ଟିଚିରା ପ୍ରାଥମିକ ବିଦ୍ୟାଳୟ, ସୋଲାନାଳୀ ପ୍ରାଥମିକ ବିଦ୍ୟାଳୟ, ବାଗୁଡ଼ା ଚନ୍ଦ୍ରଶେଖରପୁର ପ୍ରାଥମିକ ବିଦ୍ୟାଳୟ ଆଦି ୩ଟି ଓ ଗନ୍ଦିଆ ବ୍ଲକର ଗୋଟିଏ ରାଧାକୃଷ୍ଣ ବିଦ୍ୟାଳୟ ଏହିପରି ଜିଲ୍ଲାର ୨୨ଟି ବିଦ୍ୟାଳୟକୁ ପୁନର୍ବାର ଚାଲୁ କରାଯିବା ଲାଗି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।