କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ସାରସକଣା : ଝାରପୋଖରିଆ ସ୍ଥିତ ସାଇନିଙ୍ଗ ଟୁ୍ୟଟୋରିଆଲରେ ଚଳିତ ଯୁକ୍ତ ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ଅଧ୍ୟାପକ ପ୍ରଦୀପ କୁମାର ପରିଡ଼ା, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଅଧ୍ୟାପକ ଚନ୍ଦନ ସାହୁ, ରାଜନୀତି ବିଜ୍ଞାନର ଅଧ୍ୟାପକ ଯୋଗେଶ୍ୱର ବେହେରା, ଗଣିତର ଅଧ୍ୟାପକ ଆଲୋକ ଘୋଷ ଓ ଅନୁଷ୍ଠାନର ସଭାପତି ସୁମିତ କୁମାର ସାଉଙ୍କ ସମେତ କୃତି ଛାତ୍ରୀ ଶୁଭଶ୍ରୀ ଦୀକ୍ଷିତଙ୍କ ପିତାମାତା ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ପକ୍ଷରୁ ଶୁଭଶ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶିତ ହୋଇଥିବା +୨ ପରୀକ୍ଷାର ଶତ ପ୍ରତିଶତ ସଫଳତା ହାସଲ କରିଛି ସାଇନିଙ୍ଗ ଟୁ୍ୟଟୋରିଆଲ । ଶୁଭଶ୍ରୀ ଦୀକ୍ଷିତ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦଶମ ସ୍ଥାନ ଅକ୍ତିଆର କରିବା ସହିତ ସାରସକଣା ବ୍ଲକରେ ସର୍ବମୋଟ ୫୩୪ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିପରି ଅନୁଷ୍ଠାନର ଅନ୍ୟତମ କୃତୀ ଛାତ୍ରୀ ବନିତା ମହାନ୍ତ ୫୨୬ ନମ୍ବର ରଖି ସୀମାନ୍ତ ମହାବିଦ୍ୟାଳୟରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ଉଭୟେ ରାଜନୀତି ବିଜ୍ଞାନରେ ଯୁଗ୍ମ ସର୍ବାଧିକ ୯୦ ନମ୍ବର ରଖିଥିବା ବେଳେ ଶୁଭଶ୍ରୀ ଇଂରାଜୀରେ ଅନୁରୂପ ୯୦ ନମ୍ବର ରଖି ନିକଟସ୍ଥ ଅଞ୍ଚଳରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେହିପରି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସମୀର ମୁର୍ମୁ ଗଣିତରେ ସର୍ବୋଚ୍ଚ ୯୨ ନମ୍ବର ରଖି ଅନୁଷ୍ଠାନ ପାଇଁ ସଫଳତା ଆଣିଛନ୍ତି । ଏହି ସଫଳତା ପାଇଁ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଅନୁଷ୍ଠାନର ମୁଖ୍ୟ ସୁମିତ କୁମାର ସାଉ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକମଣ୍ଡଳୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।