ଭୂତକୋଠି ପାଲଟିଛି ପଥପ୍ରାନ୍ତ ସେବା କେନ୍ଦ୍ର
ନବରଙ୍ଗପୁର : ରକ୍ଷଣାବେକ୍ଷଣ ଅଭାବରୁ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର-ଉମରକୋଟର ୩୯ ନମ୍ବର ରାଜ୍ୟ ରାଜପଥରେ ଡାବୁଗାଁରେ ଥିବା ପଥପ୍ରାନ୍ତ ସେବାକେନ୍ଦ୍ର ଏବେ ଭୂତକୋଠି ପାଲଟିଛି । ସଞ୍ଜ ହେଲେ ଅସାମାଜିକଙ୍କ ଲୋକଙ୍କ ଆଡ୍ଡା ଜମୁଛି । କେନ୍ଦ୍ର ପରିସରରେ ଅଳିଆ ଆବର୍ଜନାରେ ଜମା ହୋଇ ରହିଛି । କୋଠରୀଗୁଡିକ ସଫେଇ ଅଭାବରୁ ଦୁର୍ଗନ୍ଧ ହେଉଛି । ଯାତ୍ରୀଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା କୋଠା ଏବେ ନଷ୍ଟ ହେବାରେ ଲାଗିଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ବାଟରେ ବିଶ୍ରାମ ନେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ନିଦେ୍ର୍ଦଶରେ ୨୦୧୮-୧୯ରେ ପୂର୍ତ୍ତ ବିଭାଗ ପକ୍ଷରୁ ୩୨ ଲକ୍ଷ ଟଙ୍କା ବ୍ୟୟରେ ସ୍ୱତନ୍ତ୍ର କୋଠା ନିର୍ମାଣ କରାଯାଇଥିଲା । ସେଥିରେ ରୋଷେଇ ଗୃହ ସାଙ୍ଗକୁ ଦୋକାନ ଗୃହ, ସେଣ୍ଟ୍ରାଲ ହଲ୍, ପାର୍ଶ୍ୱରେ ଚୌକି ଟେବୁଲ ପକାଇ ଖାଦ୍ୟ ସେବନ ପାଇଁ ସୁବିଧା କରାଯାଇ ଥିଲା । ନିରନ୍ତର ବିଜୁଳି ସେବା ପାଇଁ ଏକ ଜେନେରେଟର ସେଟ୍, ବିଶୁଦ୍ଧ ପାନୀୟଜଳ ପାଇଁ ନଳକୂଅ ସମେତ ଆକ୍ୱାଗାର୍ଡ ଫିଲଟର, ଶୌଚାଳୟର ସୁବିଧାର ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ପଥପ୍ରାନ୍ତ ସେବାକେନ୍ଦ୍ର ପରିସରରେ ଆବର୍ଜନା ଗଦା ହୋଇରହିଛି । ଚେୟାର ଟେବୁଲର ଦେଖାମିଳୁନି । ବଖରାଗୁଡିକରୁ ଦୁର୍ଗନ୍ଧ ହେଉଛି । ସଞ୍ଜ ହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି । ଏହି କୋଠା ନିର୍ମାଣ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ରକ୍ଷଣକ୍ଷଣ ପାଇଁ ଏକ ଆଉଟ୍ସୋର୍ସିଙ୍ଗ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଏଥିପାଇଁ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ସଂସ୍ଥା ସହିତ ଚୁକ୍ତି ସରି ବର୍ଷେ ବିତିଯାଇଛି । ଫଳରେ ରକ୍ଷଣବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ପଥପ୍ରାନ୍ତ ସେବାକେନ୍ଦ୍ର ଭୂତକୋଠି ପାଲଟିଛି ।
ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଧର ଖଣ୍ଡପାଣି ଙ୍କୁ ପଚାରିବାରୁ କହିଛନ୍ତି, ବର୍ଷେ ହେବ ମିଶନଶକ୍ତି ବିଭାଗକୁ ପଥପ୍ରାନ୍ତ ସେବାକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ଡାବୁଗାଁ ସିଡିପିଓ ମୀନତି ଦାସ କହିଛନ୍ତି, ରାଜ୍ୟ ସରକାର ପଥପ୍ରାନ୍ତ ସେବାକେନ୍ଦ୍ରକୁ ମିଶନଶକ୍ତି ବିଭାଗ ପକ୍ଷରୁ ପରିଚାଳନା ପାଇଁ ଚିନ୍ତା କରିଥିଲେ । କିନ୍ତୁ ଏହି କେନ୍ଦ୍ରକୁ ମିଶନଶକ୍ତି ପକ୍ଷରୁ କେମିତି ପରିଚାଳନା କରାଯିବ ସେଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥାର କୌଣସି ଗାଇଡ୍ଲାଇନ୍ରେ ସ୍ପଷ୍ଟ କରିନାହାନ୍ତି । ଯେଉଁଥିପାଇଁ ତତ୍କାଳନୀ ଜିଲ୍ଲାପାଳ ପରବର୍ତ୍ତୀ ନିଦେ୍ର୍ଦଶାବଳୀକୁ ଅପେକ୍ଷା କରିବାକୁ କହିଥିଲେ । ଏ ଭିତରେ ୧ ବର୍ଷ ବିତିଯାଇଥିଲେ ବି ପଥପ୍ରାନ୍ତ ସେବାକେନ୍ଦ୍ରର ପରିଚାଳନା ଲାଗି ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଆସିନି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସେବା କେନ୍ଦ୍ରର ଆନୁସଙ୍ଗିକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି । ଏ ବିଷୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ପଚାରିବାରୁ ଆମେ ଅବଗତ ନାହୁଁ । କ’ଣ ହୋଇଛି ପଚାରି ଶୀଘ୍ର ସମାଧାନ କରିବୁ ବୋଲି କହିଥିଲେ ।