ପୂର୍ବତନ ଶ୍ରମିକ ନେତାଙ୍କ ନାମରେ ଏତଲା  ଛାଡୁନି ଗାଦିର ମୋହ, ଦେଉନାହାନ୍ତି ଅଫିସ ଚାବି

 ପାରାଦୀପ : ପାରାଦୀପ ପୋର୍ଟ ଡିଏଲ୍ଆର ଏଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ପକ୍ଷରୁ ପାରାଦୀପ ଥାନାରେ ଶ୍ରମିକ ନେତା ବାପି ସାର୍ଖେଲଙ୍କ ବିରୁଦ୍ଧରେ ଆଦର୍ଶ ଥାନାରେ ଏକ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଡିଏଲ୍ଆର ସଂଘର ପୂର୍ବତନ ସଭାପତି ଅରିନ୍ଦମ ସାର୍ଖେଲ (ବାପି ସାର୍ଖେଲ୍) ଓ ସାଧାରଣ ସମ୍ପାଦକ ସମୀର ବିଶ୍ୱାଳ ଆସୋସିଏସନ୍ ଅଫିସ ଘରର ଚାବି ଓ ସମସ୍ତ କାଗଜପତ୍ର ଦେଉ ନ ଥିବାରୁ ଆସୋସିଏସନ ର ନୂତନ କର୍ମକର୍ତ୍ତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ସଂଘ ସାଧାରଣ ପରିଷଦ ବୈଠକ ଗତ ଜାନୁଆରୀ ୩୧ ତାରିଖରେ ଶ୍ରମିକ ଭାଇଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ବୈଠକରେ ସର୍ବସମ୍ମତି କ୍ରମେ ବାପି ସାର୍ଖେଲ ଓ ସମୀର ବିଶ୍ୱାଳଙ୍କ ନାମରେ ଥାନାରେ ଏତଲା ଦିଆଯିବାକୁ ନିଷ୍ପତି ହୋଇଥିଲା । ସାଧାରଣ ସଭାର ନିଷ୍ପତି କ୍ରମେ ପାରାଦୀପ ପୋର୍ଟ ଡିଏଲଆର ଏଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ସଭାପତି ତଥା ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କୁ ଏ ବାବଦରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ ଥାନାକୁ ଯାଇ ଆସୋସିଏସନ ଅଫିସ ଘରର ଚାବି ଓ ସମସ୍ତ କାଗଜପତ୍ର ହସ୍ତାନ୍ତର ବ୍ୟବସ୍ତା କରାଇବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି । ଏ ବାବଦରେ ଆସୋସିଏସନର ଶତାଧିକ ସଦସ୍ୟ ନୂଆବଜାରରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ପର୍ଯ୍ୟନ୍ତ ଯାଇଥିଲେ । ଥାନାରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କରଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ । ସୂଚନା ଥାଉକି ପୂର୍ବରୁ ବାପି  ସାର୍ଖେଲଙ୍କ ନାମରେ ହତ୍ୟା ଓ ବିଭିନ୍ନ ଅଭିଯୋଗ ରହିଛି ଏବଂ ନିଜ ସୁରକ୍ଷା ପାଇଁ ସେ ବିଭିନ୍ନ ସଂଗଠନ ଆଢୁଆଳରେ ରହି ପାରାଦୀପ ଭଳି ଶାନ୍ତ ସହରରେ ଅଶାନ୍ତ ସୃଷ୍ଟି କରୁଥିବା ନେଇ ସ୍ଥାନୀୟ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ କହିଛନ୍ତି ।