କୃଷିରେ ଓଡ଼ିଶା ଶ୍ରେଷ୍ଠ ଫଳ ଉତ୍ପାଦନରେ ଦ୍ୱିତୀୟ, କନ୍ଦମୂଳରେ ପ୍ରଥମ
ଭୁବନେଶ୍ୱର : କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାକୁ ଏଗ୍ରିକଲ୍ଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡର୍ସିପ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା ପକ୍ଷରୁ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ପି. ସଥାଶିବମ୍ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ପୁରସ୍କାର ଗ୍ରହଣ ଅବସରରେ କୃଷିମନ୍ତ୍ରୀ କହିଥିଲେ ଏହି ପୁରସ୍କାର ଓଡ଼ିଶାର ଚାଷୀଙ୍କ ନବସୃଜନ ଓ କଠିନ ପରିଶ୍ରମର ନିଦର୍ଶନ । ଓଡ଼ିଶାର ଅନ୍ନଦାତାଙ୍କୁ ଏହି ପୁରସ୍କାର ମୁଁ ଉତ୍ସର୍ଗୀକୃତ କରୁଛି । ଏହି ସମ୍ମାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଗ୍ରିକଲଚର ଟୁଡେ ଗ୍ରୁପ୍ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛି ଏବଂ ଭାରତ ବର୍ଷରେ ସ୍ଥାୟୀ କୃଷି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୂଚିତ କରୁଛି ।
ଓଡ଼ିଶାର କୃଷି ପ୍ରଗତି ରାଜ୍ୟ ସରକାରଙ୍କ ଭବିଷ୍ୟତବାଦୀ ଅର୍ଥନୈତିକ ନୀତି, ନିରନ୍ତର ନୀତିଗତ ସମର୍ଥନ ଏବଂ ଗ୍ରାମୀଣ ଭିତ୍ତିଭୂମିରେ ପ୍ରମୁଖ ନିବେଶର ପରିଣାମ ବୋଲି ମତପ୍ରକାଶ ପାଇଥିଲା । ଏହିକ୍ରମରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)କୁ ଚାଉଳ ଯୋଗାଣରେ ଓଡ଼ିଶା ଚତୁର୍ଥ ସର୍ବବୃହତ ଚାଉଳ ଯୋଗାଣକାରୀ ରାଜ୍ୟ ହୋଇଥିବା ବେଳେ ସବୁ ପ୍ରକାର ଫଳ ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶା ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେହିପରି କନ୍ଦମୂଳ ଉତ୍ପାଦନରେ ପ୍ରଥମ ସ୍ଥାନ, ପାଳ ଛତୁ ଉତ୍ପାଦନରେ ପ୍ରଥମ ସ୍ଥାନ, ବାଇଗଣ, ବନ୍ଧାକୋବିରେ ଦେଶରେ ଦ୍ୱିତୀୟ ସ୍ଥାନରେ, କାଜୁ-ବାଦାମରେ ତୃତୀୟ ସ୍ଥାନ, ତରଭୁଜ, ଫୁଲକୋବି, ଭେଣ୍ଡି ,ଟମାଟୋ, ଲେମ୍ବୁ ଓ ନଡ଼ିଆ ଉତ୍ପାଦନରେ ୫ମ ସ୍ଥାନରେ ରହିଛି । ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ କୃଷି ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରିଛି ।