କେନାଲବନ୍ଧ ଓ ଗାର୍ଡୱାଲ୍ ନିର୍ମାଣରେ ଅନିୟମିତତା
ନିଶ୍ଚିନ୍ତକୋଇଲି : ଚାଷୀ ଓ ଚାଷ କାର୍ଯ୍ୟକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ପ୍ରାଧାନ୍ୟ ଦେଉଥିବା ବେଳେ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଆଗାମୀ ଦିନରେ ଚାଷୀମାନେ ସୂଚାରୁ ରୂପେ ପାଣି ନ ପାଇବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ ଯେ, ନିଶ୍ଚିନ୍ତକୋଇଲି ବ୍ଲକ ତଥା ମହାନଦୀ -ତିତ୍ରୋତ୍ପଳା ଦୀପାଞ୍ଚଳରେ ଥିବା ଚିତ୍ରୋକ୍ରଳା ଦକ୍ଷିଣପଟ କେନାଲ ଉପରେ ମାରଡା, ବଳରାମପୁର, କଳମିଶ୍ରି, ଜନାର୍ଦ୍ଦନପୁର, ସାନ୍ତପୁର, ପାଳଦା ଆଦି ପଂଚାୟତର ହଜାର ହଜାର ଚାଷୀ ନିର୍ଭର ହୋଇ ନିଜର ଚାଷ କାର୍ଯ୍ୟ କରି ଥାଆନ୍ତି । ଏହି କେନାଲରେ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀମାନେ ଠିକ୍ ଭାବେ ପାଣି ପାଇପାରୁନଥିବାରୁ ଚାଷୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କେନାଲ ବନ୍ଧର ନବୀକରଣ ଓ ୱାଲ୍ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ଠିକାଦାର କାର୍ଯ୍ୟ ପାଖରେ ସୂଚନାଫଳକ ଦେଇନଥିବା ସହ ଢଳେଇରେ ପ୍ରସ୍ତୁତ ସିମେଣ୍ଟ ଗୁଡିକ ଅତ୍ୟନ୍ତ ନିମ୍ନମାର ହୋଇଥିବା ଜନସାଧାରଣମାନେ ଅଭିଯୋଗ କରିଛନ୍ତି । ଚିତ୍ରୋତ୍ପଳା ନଦୀର ଦକ୍ଷିଣପଟ କେନାଲ ବ୍ୟାରେଜ ଅଧିନରେ ଯାଉଥିବାରୁ ଏହି ଅଫିସ ଦୀପାଞ୍ଚଳରେ ନ ଥିବାରୁ କର୍ମଚାରୀମାନେ କାମ ପାଖକୁ ଆସନ୍ତି ନାହିଁ । ଫଳରେ ଠିକାଦାର କେତେଜଣଙ୍କୁ ହାତରେ ରଖି ନିଜର କାମ କରି ବିଲ୍ କରିନେଇଥାଏ । ଯାହାଫଳରେ ବର୍ଷା ଦିନେ ଚାଷୀମାନେ ଠିକ୍ ଭାବରେ ପାଣି ପାଇପାରିନଥାନ୍ତି କି ଚାଷ କାର୍ଯ୍ୟ କରିପାରିନଥାନ୍ତି । ସେହିପରି ମଣ୍ଡନ ଠାରୁ ପୁନ୍ଦାଳ ପର୍ଯ୍ୟନ୍ତ ଯାଇଥିବା କେନାଲର ଦକ୍ଷିଣପଟ ବନ୍ଧ ନରେନ୍ଦ୍ରପୁର ପାଖରୁ ନାହାଳପୁର ବନ୍ଧରେ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯାଇ ନବୀକରଣ କରାଯାଉଥିଲେ ମଧ୍ୟ ତାହା ଠିକ୍ ଭାବରେ କାମ ହେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଉଭୟ କାମକୁ ଉଚ୍ଚସ୍ତରୀୟ ଅଫିସର ଓ ବିଭାଗୀୟ ମନ୍ତ୍ରୀ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଲେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।