କେନାଲ କଂକ୍ରିଟ କରଣରେ ମହା ଘୋଟାଲା   : ଜୁନରେ ଶେଷ; ଜୁଲାଇରେ ଫାଟି ଅାଁ 

 କାଳିଆପାଣି : ଓଡିଶା ଏଜ କୃଷି ପ୍ରଧାନ ରାଜ୍ୟ । ରାଜ୍ୟ ସରକାର ଏଥିପାଇଁ ଅନେକ ଯୋଜନା ଅନୁମୋଦନ କରିଛନ୍ତି । ବିଶେଷ କରି କୃଷିର ବିକାଶ ନିମନ୍ତେ ଜଳସେଚନର ସୁବିଧା ପାଇଁ ପ୍ରଚୁର ଅର୍ଥ ମଞ୍ଜୁର କରୁଛନ୍ତି । ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ଜଳଭଣ୍ଡାର ଗୁଡିକୁ ପୁନଃରୁଦ୍ଧାର ବ୍ୟବସ୍ଥା କରିଛନ୍ତି । ଏହି କ୍ରମରେ ଯାଜପୁର-ଢେଙ୍କାନାଳ ଜିଲାର ଉପାନ୍ତ ଅଞ୍ଚଳ ରଗଦା ଠାରେ ଏକ କ୍ଷୁଦ୍ର ଜଳ ଭଣ୍ଡାରର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଉକ୍ତ ଜଳ ଭଣ୍ଡାରରୁ ଦୁଇଟି କେନାଲର କଂକ୍ରିଟ କରଣ କରାଯାଇଛି । ମାତ୍ର ବିଡ଼ମ୍ବନା ସରକାର କୃଷି ଏବଂ କୃଷକଙ୍କ ପାଇଁ ଯେଉଁ କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଛନ୍ତି ତାହା ପ୍ରକୃତ ପକ୍ଷେ କାମରେ ଲାଗୁନାହିଁ । ଉଦାହରଣ ସ୍ୱରୂପ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଏବଂ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକକୁ ସଂଯୋଗ କରୁଥିବା ରଗଦା ଡ୍ୟାମର ପଙ୍କଉଦ୍ଧାର ଏବଂ କେନାଲ କଂକ୍ରିଟ କରଣକୁ ନିଆଯାଇପାରେ । ଯେଉଁ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ରଗଦା ଡ୍ୟାମର ଦକ୍ଷୀଣ ପାର୍ଶ୍ୱର କେନାଲ କଂକ୍ରିଟ କରଣକାର୍ଯ୍ୟ ଗତ ଜୁନ ମାସରେ ଶେଷ ହୋଇଥିଲା । ହେଲେ ଜୁଲାଇ ଫାଟି ଅାଁ କରିଛି । ଉକ୍ତ କେନାଲ କଂକ୍ରିଟ କରଣ କାମ ଚାଲିଥିବା ବେଳେ ସ୍ଥାନୀୟ ଚାଷୀ କଂକ୍ରିଟ କାମର ମାନକୁ ନେଇ ଆପତି ଅଭିଯୋଗ କରିଥିଲେ । 
କେନାଲ କଂକ୍ରିଟ କରଣ ନିମ୍ନ ମାନର କାର୍ଯ୍ୟ କରାଯାଉଛି ଏବଂ ଏହାର ସ୍ଥାୟିତ୍ୱ ପ୍ରତି ସନେ୍ଦହ ଉଠାଇ ଥିଲେ । ହେଲେ ଅଭିଯୋଗକୁ କେହି କର୍ଣ୍ଣପାତ କଲେନି । ଫଳସ୍ୱରୂପ ମାତ୍ର ମାସକରେ ଅଭିଯୋଗ ସତରେ ପରିଣତ ହୋଇଗଲା । କେନାଲର କାନ୍ଥ ଫାଟି ଯାଇ କଂକ୍ରିଟ ଖସି ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ କାମକୁ ଦେଖିଲେ ଜଣା ପଡୁଛି କି କୋଟିକୋଟି ଟଙ୍କାର ଖର୍ଚ୍ଚରେ ନିର୍ମାଣ ହୋଇଥିବା କେନାଲ କାମ କେବଳ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରିଛି  । ଠିକାଦାର ଏବଂ କ୍ଷୁଦ୍ର ଜଳସେଚନର ଅଧିକାରୀ ମିଳିମିଶି ଏଥିରୁ ପ୍ରଚୁର ଅର୍ଥ ହଡପ କରି ଚାଷୀ ମାନଙ୍କୁ ଭକୁଆ ବନେଇ ଚାଲିଯାଇଛନ୍ତି । କେନାଲ କାମ ଶେଷ ହେବାର ମାସକ ମଧ୍ୟରେ ଯଦି କଂକ୍ରିଟ ଫାଟି ଯାଉଛି ତେବେ ଆଗକୁ ଆଉ ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ । ତେବେ ଏହାକୁ ନେଇ ପ୍ରଭାବିତ ଚାଷୀ ଭୀଷଣ କ୍ଷୋଭ ପ୍ରକାଶ କରିବା ସହିତ ମରାମତି ସହ ତଦନ୍ତଦାବି କରିଛନ୍ତି ।