କେନ୍ଦୁଝର ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା

କେନ୍ଦୁଝର ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା

    ଧରତୀ ଆବା ଜନଭାଗିଦାରୀ ଅଭିଯାନ

କେନ୍ଦୁଝର : ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅନୁକରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ  ବିଭୁ ନାୟାରଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି ।

          ଏହି ଅବସରରେ ଜିଲ୍ଲାପାଳ ବିଶାଲ ସିଂହ ଅତ୍ୟନ୍ତ ଗର୍ବ ଓ ଆନନ୍ଦ ସହକାରେ ଏହି ସମ୍ମାନ ସମଗ୍ର କେନ୍ଦୁଝରବାସୀଙ୍କର ବୋଲି କହିଛନ୍ତି । ଏଥିସହ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନ ଆମର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ସାମୂହିକ ପ୍ରୟାସର ପ୍ରମାଣ ବୋଲି କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା ଧରତୀ ଆବା ଜନଭାଗୀଦାରୀ ଅଭିଯାନ, ଶାସନରେ ଜନଜାତି ସମ୍ପ୍ରଦାୟାର ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଏବଂ ଆଦିବାସୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ଅଧୀନରେ କେନ୍ଦୁଝର ଜିଲ୍ଲା ଏହାର ଲୋକାଭିମୁଖୀ ଯୋଜନା ପ୍ରଣୟନର ଆଭିମୁଖ୍ୟ, ଅଭିନବ ଯୋଜନା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ କଲ୍ୟାଣକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ କରିବାରେ ସ୍ୱତନ୍ତ୍ର ଛାପ ଛାଡ଼ି ପ୍ରଶଂସା ସାଉଁଟି ପାରିଛି । ଏହି ସଫଳତା କେବଳ କେନ୍ଦୁଝରକୁ ଜାତୀୟ ମାନ୍ୟତା ଆଣିନାହିଁ ବରଂ ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଅଧୀନରେ ପରିକଳ୍ପିତ ଅଂଶଗ୍ରହଣମୂଳକ ବିକାଶର ପଥ ଅନୁସରଣ କରିବା ପାଇଁ ଅନ୍ୟ ଜିଲ୍ଲାଗୁଡ଼ିକୁ ପ୍ରେରଣା ପ୍ରଦାନ କରୁଛି ।