ଜିଲ୍ଲାସ୍ତରୀୟ "ଏକ ଦେଶ, ଏକ ନିର୍ବାଚନ' ଅଭିଯାନ ଆରମ୍ଭ
କେନ୍ଦୁଝର: ଦେଶରେ ଏକା ସଙ୍ଗରେ ସଂସଦୀୟ ନିର୍ବାଚନ ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ କରିବାକୁ ଭାରତ ଏବେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ହେଉଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ଅଭିଯାନକୁ ସାକାର କରିବାକୁ ସାରା ଦେଶରେ ଜନମତାମତ ଓ ଜନପରାମର୍ଶ ଲୋଡ଼ୁଛି । ଏହି ପରିପ୍ରେକ୍ଷିରେ ଓଡ଼ିଶାରେ ମଧ୍ୟ ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାର କେନ୍ଦୁଝର ଜିଲାରେ ଦଳ, ମତ, ପନ୍ଥ ନିର୍ବିଶେଷରେ ଜିଲାବାସୀଙ୍କ ଉପସ୍ଥିତିରେ ଏହି କାଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବିଜେପିର ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏବଂ ମାଳତୀ ଦେବୀ ଫାଉଣ୍ଡେସନ୍ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଏକ ଜିଲାସ୍ତରୀୟ "ଏକ ଦେଶ, ଏକ ନିର୍ବାଚନ " ପାଇଁ ଜନ ମତାମତ ଲୋଡ଼ିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏହି ଜନ ସମାବେଶରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକିର ମୋହନ ନାଏକ, ରାଜ୍ୟ ବିଜେପିର ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଆନନ୍ଦପୁରର ପୂର୍ବତନ ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରହିତ ପାଇଁ "ଏକ ଦେଶ, ଏକ ନିର୍ବାଚନ " ସକାଶେ ଆଇନ ପ୍ରଣୟନ ଉପରେ ସମବେତ ଜନତାଙ୍କୁ ମାର୍ଗଦର୍ଶନ କରିଥିଲେ । "ଏକ ଦେଶ, ଏକ ନିର୍ବାଚନ " ଅଭିଯାନର କେନ୍ଦୁଝର ଓ ଭଦ୍ରକ ଜିଲା ସଂଯୋଜକ ପତଞ୍ଜଳୀ କର ଶର୍ମା ଏହି ଅଭିଯାନର ଉଦେ୍ଦଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇ ଏହି ରାଷ୍ଟ୍ରୀୟ ଅଭିଯାନକୁ କିପରି ଜିଲାର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ, ସେଥିପାଇଁ ଜିଲା ନେତୃତ୍ୱ ଓ ଜିଲାବାସୀଙ୍କୁ ନିବେଦନ କରିଥିଲେ । ଅଗୁନୁ ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ଏହି ସମାବେଶରେ ମାଳତୀ ଦେବୀ ଫାଉଣ୍ଡେସନ୍ ର ଆବାହକ ପ୍ରଣବ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ବିଜେପି ମିଡିଆ ପ୍ରଭାରୀ ବ୍ରଜ କିଶୋର ରାୟ ସମ୍ମିଳନୀ ସୁପରିଚାଳନା କରିଥିଲେ । ଜିଲାର ବିଭିନ୍ନ ଅଞ୍ଚଳରୁ ରାଜନୈତିକ, ସାମାଜିକ, ସାଂସ୍କୃତିକ ଆଦି ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଏହି ସମାବେଶରେ ଯୋଗ ଦେଇଥିଲେ ।