ସୁଧୁରୁନି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା

 କେନ୍ଦୁଝର: ତେଲକୋଇ ବ୍ଲକ ସଦର ମହକୁମାରେ ଅବସ୍ଥିତ ଥିବା ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ତେଲକୋଇ ବ୍ଲକର ୨୨ଟି ପଞ୍ଚାୟତର ବାସିନ୍ଦା ସମେତ ପଡୋଶୀ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ସୀମାନ୍ତ ଅଞ୍ଚଳର କେତେକ ଗ୍ରାମର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରି ଥାଆନ୍ତି । ପରିତାପର ବିଷୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସମେତ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଲୋକେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଉ ଥିବା ଅଭିଯୋଗ ହୋଇଛି । ଦୀର୍ଘ ୮ ରୁ ୯ ମାସ ହେବ ପାଇଖାନା ସମେତ ଗାଧୁଆ ବ୍ୟବସ୍ଥା ଭାଙ୍ଗିରୁଜି ଅଚଳ ହୋଇ ପଡ଼ିଥିବାରୁ ରୋଗୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେତେକ ରୋଗୀ ବାହାରକୁ ଏବଂ ନିକଟସ୍ଥ ସମାକୋଇ ନଦୀକୁ ଶୌଚ ପାଇଁ ଯାଉଛନ୍ତି । ଗର୍ଭବତୀ ଓ ପ୍ରସବ କରୁଥିବା ମହିଳା ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ବେଳେ କୌଣସି ପ୍ରତିକାର କରାଯାଉ ନାହିଁ । ଚିକିସôା ପାଇଁ ଆସୁଥିବା ରୋଗୀ ବିଭିନ୍ନ ସଂକ୍ରମଣରେ ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ଗଣ ମାଧ୍ୟମରେ ବହୁବାର ଖବର ପ୍ରକାଶ ପାଇଥିଲେ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିସôା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନଥିବା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ହୀନତାକୁ ପଦାରେ ପକାଇଛି । ଅନ୍ୟପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ଓ ପରିମଳ ବ୍ୟବସ୍ଥା ପାଇଁ ସରକାର ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ବି.ପି.ଏମ୍ ଉକ୍ତ ଅର୍ଥକୁ ଚଞ୍ଚକତା କରି ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ସୁଧୁରି ପାରୁ ନଥିବା କୁହା ଯାଉଛି । ସେହିପରି ତେଲକୋଇ ବିଧାୟକ ଡାକ୍ତର ଫକିର ମୋହନ ନାଏକ ପୂର୍ବରୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ରୋଗୀଙ୍କ ଅସୁବିଧାକୁ ଅଙ୍ଗେ ନିଭାଇ ଛନ୍ତି  । ମାତ୍ର ଅଦ୍ୟାବଧି ବିଧାୟକ ଡାକ୍ତର ଶ୍ରୀ ନାଏକ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଓ ପରିମଳ ବ୍ୟବସ୍ଥା ଉପରେ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।