କୋଟି କୋଟି ଟଙ୍କା ଅପବ୍ୟୟ : କାମରେ ଲାଗୁନି ଆବର୍ଜନା ଗୃହ

 ବନ୍ତ : ସଚ୍ଛ ଭାରତ ଯୋଜନାରେ ବିଭିନ୍ନ ଗ୍ରାମରେ ନିର୍ମିତ ହୋଇଛି ଆବର୍ଜନା ଘର । ତେବେ ଯେଉଁ ଉଦେ୍ଦଶ୍ୟ ନେଇ ଏହି ଘରଗୁଡ଼ିକ ନିର୍ମିତ ହୋଇଥିଲା, ତାହା କୌଣସି କାର୍ଯ୍ୟରେ ଆସୁନାହିଁ  । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ସାର ହୋଇଛି । ପଞ୍ଚାୟତର ବିଭିନ୍ନ ରାଜସ୍ୱ ଗ୍ରାମରେ ଏହି ଆବର୍ଜନା ଗୃହଗୁଡ଼ିକ ନିର୍ମାଣ କରାଯାଇଛି । ଉଦେ୍ଦଶ୍ୟ ହେଉଛି ଗ୍ରାମରେ ବାହାରୁଥିବା ଆବର୍ଜନା ଏଠାରେ ରଖାଯାଇ ପ୍ରକ୍ରିୟାକରଣ କରାଯିବ । ଏଠାରେ ତିନୋଟି ପିଟ୍ ନିର୍ମାଣ ହୋଇଥିବାବେଳେ ଗୋଟିଏ ଜୈବ ବିଘଟନଶୀଳ ଓ ଆଉ ଗୋଟିଏ – ଅଣଜୈବ ବିଘଟଣଶୀଳ ପିଟ୍ ରହିଛି । ଜୈବ ଆବର୍ଜନା ଓ ଅଜୈବ ଆବର୍ଜନା ରଖାଯାଇ ଏହାକୁ ବିଘଟନ କରାଯିବ । ଫଳରେ ଗ୍ରାମରେ ସ୍ୱଚ୍ଛତା ରହିବ । ତେବେ ତୃଣମୂଳ ସ୍ତରରେ ଚିତ୍ର କିନ୍ତୁ ଓଲଟା । ଆବର୍ଜନା ଗୃହକୁ କେଉଁଠି ଯିବା ପାଇଁ ରାସ୍ତା ନାହିଁ ତ ପୁଣି କେଉଁଠି ଆବର୍ଜନା ଗୃହ ରାସ୍ତା ପାଖରେ ଥିଲେ ବି କେହି ଆବର୍ଜନା ପକାଉ ନାହାନ୍ତି  । କିପରି ଆବର୍ଜନା ପଡ଼ିବ, କିଏ ଏହାକୁ ବିଘଟନ କରିବ, ସେ ନେଇ କୌଣସି ମାର୍ଗଦର୍ଶିକା ମଧ୍ୟ ନାହିଁ  । ବହୁ ସ୍ଥାନରେ ଏହି ଆବର୍ଜନା ଗୃହଗୁଡ଼ିକ ନିମ୍ନ ମାନର ନିର୍ମାଣ ପାଇଁ ନଷ୍ଟ ହେବାକୁ ଲାଗିଲାଣି ଆଉ କେଉ ସ୍ଥାନରେ ଟିଣ ଛପର ଉଡ଼ିଗଲାଣି, କୁଣ୍ଡ ଭାଙ୍ଗି ଗଲାଣି । ଭବିଷ୍ୟତ ଚିନ୍ତା ନକରି ଏହି ଭଳି ବହୁ ସରକାରୀ ପ୍ରକଳ୍ପ ନିର୍ମାଣ କରାଯାଉଛି । ଯାହାକି କୌଣସି କାର୍ଯ୍ୟରେ ଲାଗୁନାହିଁ । କେବଳ ଯାହା ଦଲାଲମାନେ ଏହି ସରକାରୀ ପ୍ରକଳ୍ପ ନିର୍ମାଣ କରି ମାଲାମାଲେ ହେଉଛନ୍ତି ।