କ୍ୟାବିନେଟ୍ ପାଇଁ ନୂଆ ଗାଇଡ଼ଲାଇନ୍ : ସଚିବଙ୍କୁ କ୍ୟାବିନେଟ୍ ବୈଠକ ମନା
ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ସଚିବମାନେ ବସିପାରିବେ ନାହିଁ । କ୍ୟାବିନେଟ ବୈଠକର ୫ ଦିନ ପୂର୍ବରୁ ନୋଟିସ୍ ମିଳିବ । ବୈଠକର ୩ ଦିନ ପୂର୍ବରୁ ସଂସଦୀୟ ବ୍ୟାପାର ବିଭାଗକୁ ମେମୋରେଣ୍ଡମ ଦିଆଯିବ । ଦୁଇ ଦିନ ପୂର୍ବରୁ ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକର ଏଜେଣ୍ଡା ଦିଆଯିବ । କ୍ୟାବିନେଟ୍ ବୈଠକ ପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏମିତି ଭାବେ ନୂଆ ଗାଇଡ଼ଲାଇନ୍ ଜାରି କରାଯାଇଛି ।
ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ଏସିଏସ, ପ୍ରମୁଖ ସଚିବ, କମିଶନର-ସଚିବ ଓ ବିଭାଗଗୁଡ଼ିକୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ପତ୍ରରେ ଉଲ୍ଳେଖ କରାଯାଇଛିଯେ, କ୍ୟାବିନେଟ୍ ବୈଠକର ୫ ଦିନ ପୂର୍ବରୁ ନୋଟିସ୍ ଦିଆଯିବ । ସେହିପରି କ୍ୟାବିନେଟ୍ ବୈଠକର ୩ ଦିନ ପୂର୍ବରୁ କ୍ୟାବିନେଟ୍ ମେମୋରେଣ୍ଡମ ନଦେଲେ ତାହାକୁ ସଂସଦୀୟ ବ୍ୟାପାର ବିଭାଗ ଗ୍ରହଣ କରିବ ନାହିଁ । ଏହି ମେମୋରେଣ୍ଡମକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ପ୍ରେରଣ କରାଯିବ । ଏତଦ୍ବ୍ୟତୀତ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ପେପର ପଠାଇବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ପ୍ରସଙ୍ଗ ଏଜେଣ୍ଡାରେ ସାମିଲ୍ ହୋଇପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଅନୁମତି ଦେଲେ ହିଁ ଜଣେ ସଚିବ କ୍ୟାବିନେଟ୍ ବୈଠକରେ ଯୋଗ ଦେଇ ନିଜର ମତ ରଖିପାରିବେ । ଯେଉଁସବୁ ବିଭାଗର ଏଜେଣ୍ଡା ଆସିଥିବ ସେହିସବୁ ବିଭାଗର ସଚିବମାନେ ସ୍ୱତନ୍ତ୍ର ରୁମ୍ରେ ବସିବେ । ସେମାନେ ଆଉ କ୍ୟାବିନେଟ୍ ରୁମ୍ରେ ବସିବେ ନାହିଁ । ଯଦି ଆବଶ୍ୟକ ପଡ଼ିବ ତେବେ ସେମାନଙ୍କୁ କ୍ୟାବିନେଟ୍ ବୈଠକକୁ ଆସିବା ପାଇଁ ଅନୁମତି ମିଳିବ ।