ଖଣି ବିଭାଗର ଚଢାଉ ଭେଳିକି  ସାର୍ବଜନୀନ କରାଯାଉନି କ୍ରସରରେ ଗଚ୍ଛିତ କଳାପଥର


ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି, କୁସୁନପୁର, ଚକ୍ରଧରପୁର ମୌଜାରେ ଅନେକ କ୍ରସର ଗଢିଉଠିଛି ।  କେତେ ଗୋଟି ହାତଗଣତି କ୍ରସର ଆଇନର ସୀମା ଭିତରେ ରହି କାର୍ଯ୍ୟ କରୁଛନ୍ତି ତ ଅନେକ ବେଆଇନ ଭାବରେ କ୍ରସର ଚଳାଇ ବେଶ ମୁନାଫା କମାଉଛନ୍ତି । ୨୦୧୫ରୁ ଆଜି ପର୍ଯ୍ୟନ୍ତ୧୦ରୁ ଊଦ୍ଧ୍ୱର୍ ଥର ଚଢ଼ାଉ ହୋଇଛି । ପରିବେଶ ଅନୁମତି, ଟ୍ରାନଜିଟି ପାସ୍, ବିକ୍ରି ରସିଦ ଇତ୍ୟାଦି ଯାଞ୍ଚ ହୋଇଛି । ଚଢ଼ାଉ ହୁଏ ସତ ହେଲେ କିଏ କେତେ ପରିମାଣର କଳାପଥର ଗଛିତ ରଖିଛି ସାର୍ବଜନୀନ କରାଯାଏନି । ଏ କାରଣରୁ ଚଢାଉ ଭେଳିକି ପାଲଟିଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ସରକାର ରାଜସ୍ୱ ନାମକୁ ମାତ୍ର ପାଇଥାନ୍ତି । ପରବର୍ତୀ ସମୟରେ ଖିଲାପି କ୍ରସର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ନଜିର ନାହିଁ । କ୍ରସର ଧୂଳି ଧୂଆଁରେ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ମେଗା କ୍ରସର ମାନଙ୍କରେ ଅତ୍ୟଧିକ କଳାପଥର ଗଛିତ ରହିଛି । ଯେଉଁ ପରିମାଣରେ ସରକାରୀ ଅନୁମତି ନେଇ ପଥର ଖାଦାନ ଚାଲିନାହିଁ ତାହାଠାରୁ ବହୁଗୁଣରେ ଅଧିକ ପଥର କେଉଁଠୁ ଆସୁଛି ବୋଲି ପ୍ରଶ୍ନ ଉଠୁଛି । ବିଜେଡ଼ି ସରକାର ପତନ ହୋଇଛି । ନୂତନ ମୋହନ ସରକାର ରାଜ୍ୟ ଚଳାଉଛନ୍ତି । ସେହିପରି ଧର୍ମଶାଳା ବଂଶବାଦ ଶାସନର ପତନ ହୋଇଛି । ଧର୍ମଶାଳାରେ ଚାଲୁଥିବା ଖଣି, ବାଲି, ଗୋଡି ଲୁଟ ହୋଇଥିବା ନେଇ ଧର୍ମଶାଳା ବିଧାୟକ ଲଘୁ ଖଣି ଅଧିକାରୀଙ୍କୁ ଚିଠି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ କରିଥିଲେ । ପରେ ଖଣି ଅଧିକାରୀଙ୍କ ନିଦ ଭାଙ୍ଗିଥିଲା । ବେଆଇନ କ୍ରସରରେ ଗଛିତ କଳାପଥର ମାପଚୁପ ଖଣି ବିଭାଗ କରିଛି । ଏହା କେବଳ ନାମକୁ ମାତ୍ର ମାପ ଚୁପ ହେଉଥିବା ଶୁଣିବାକୁ ମିଳୁଛି । 
କ୍ରସର ବ୍ୟବସାୟୀ ବେଆଇନ ଭାବରେ ହଜାର ହଜାର ଟ୍ରିପର କଳାପଥର ଗଛିତ ରହିଥିବା ଦେଖିବାକୁ ମିଳୁଛି । କ୍ରସର ବ୍ୟବସାୟୀ ନିଜର କ୍ରସର ପରିସୀମା ଭିତରେ ଯେତିକି କଳାପଥର ଗଛିତ ରଖିଛନ୍ତି, ଅନାବାଦୀ, ଗୋଚର, ଜଙ୍ଗଲ କିସମ ଜାଗାମାନଙ୍କରେ ତାହାଠାରୁ ଢେର ଗୁଣା ଅଧିକ ଗଛିତ ରଖିଛନ୍ତି । ଖଣିବିଭାଗ କେବଳ କ୍ରସରରେ ଗଛିତ କଳାପଥର ମାପଚୁପ କରିଥିବା ବେଳେ କ୍ରସର ବାହାରେ ଥିବା ଗଛିତ କଳାପଥର ମାପଚୁପ କରୁନି । କ୍ରସର ମାନଙ୍କରେ ଗଛିତ କଳାପଥର ମାପ ଚୁପ କାହଁକି ସାର୍ବଜନୀନ କରାଯାଉନାହିଁ ତାହା ଚକିତ କରିଛି । ସାଧାରଣରେ ଆଲୋଚନା ହେଉଛି ଖଣି ବିଭାଗର ମାପଚୁପ କେବଳ ନାମକୁ ମାତ୍ର ପ୍ରହସନରେ ପରିଣତ ହୋଇଛି । ବେଆଇନ କ୍ରସରର କଳାପଥରକୁ ଭାଙ୍ଗି କ୍ରସର ବ୍ୟବସାୟୀ ଚଢା ଦରରେ ଚିପ୍ସି ବିକ୍ରୟ କରି ବେଶ ମୁନାଫା କମାଇ ଚାଲିଛନ୍ତି । ତୁରନ୍ତ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।