ଖାଦ୍ୟ ବଣ୍ଟନରେ ଅଙ୍ଗନବାଡି କେନ୍ଦ୍ରର ବ୍ୟତିକ୍ରମ: ପ୍ରସୂତିଙ୍କୁ ମିଳୁଛି ମୂଷାଖିଆ ଖାଦ୍ୟ

 ବ୍ରହ୍ମବରଦା:  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ଓ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ପୁଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ପାଣି ପରି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ରସୁଲପୁର ବ୍ଲକ ବ୍ରହ୍ମବରଦା ଢିଅସାହି ୧୧ ନଂ ୱାର୍ଡÿରେ ଥିବା ୬ ନଂ ଅଙ୍ଗନବାଡ଼ି କେନ୍ଦ୍ରରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ପ୍ରସୂତୀମାନଙ୍କୁ ଉତ୍ତମ ଗୁଣବତ୍ତା ଖାଦ୍ୟ ପରିବର୍ତ୍ତେ ମୂଷାଖିଆ ଖାଦ୍ୟ ବଣ୍ଟନ କରାଯାଉଛି । ସୂଚନାନୁଯାୟୀ, ଗତ ମଙ୍ଗଳବାର ଢିଅସାହି ଗ୍ରାମରେ ଥିବା ୬ ନଂ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀ ତୃପ୍ତିମୟୀ ବେହେରା ପ୍ରସୂତିମାନଙ୍କୁ ପ୍ୟାକେଟରେ ଆସୁଥିବା ମୁଢ଼ି, ଭଜାସୋଲା,ବାଦାମ ଲଡୁ ଆଦି ବିଭିନ୍ନ ପୃଷ୍ଟିକର ଖାଦ୍ୟ ବଣ୍ଟନ କରିଥିଲେ । କିନ୍ତୁ ତା ମଧ୍ୟରୁ ଅଧିକାଂଶ ଖାଦ୍ୟ ମୂଷାଖିଆ ବୋଲି ଗ୍ରାମର ଜୈନେକ ମହିଳା ଅଭିଯୋଗ କରିଥିଲେ । ସବୁ ଜରି ପ୍ୟାକେଟ ଗୁଡିକ ମୂଷାକାଟି ଟିକ୍ ଟିକ୍ କରିଦେଇଥିବାବେଳେ ଆଧିକାଂଶ ଖାଦ୍ୟ ମୂଷା ଖାଇଥିବା ସେ ଜାଣିବାକୁ ପାଇଥିଲେ । କିନ୍ତୁ ମହିଳା ଜଣକ ଉକ୍ତ ମୂଷାଖିଆ ଖାଦ୍ୟକୁ ନ ନେବା ସହିତ ତାକୁ ଫେରାଇନେବା ପାଇଁ ଉକ୍ତ ଅଙ୍ଗନବାଡି କର୍ମୀଙ୍କୁ କହିଥିଲେ ମଧ୍ୟ ସେ ରୋକଠୋକ ମନା କରିଦେଇଥିଲେ । କହିଥିଲେ କି ଆର ମାସରେ ଭଲ ଖାଦ୍ୟ ଆସିଲେ ଦିଆଯିବ । ଏ ନେଇ ଅଙ୍ଗନବାଡ଼ି କର୍ମୀ ତୃପ୍ତିମୟୀ ବେହେରାଙ୍କୁ ପଚାରିବାରୁ ସେ ଖାଦ୍ୟ ପ୍ୟାକେଟ ଗୁଡିକ ମୂଷା କାଟିବା କଥାକୁ ସ୍ୱୀକାର କରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଖାଦ୍ୟ ପ୍ୟାକେଟ ଗୁଡିକ ମୂଷା କାଟିବା କଥା ଜାଣି ବି ଅଙ୍ଗନବାଡି କର୍ମୀ ଜଣକ କିପରି ପ୍ରସୂତୀ ମାନଙ୍କୁ ତାହା ବଣ୍ଟନ କଲେ ତାହା ହିଁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସଙ୍କୁ ପଚାରିବାରୁ ସେ ଏବିଷୟରେ ସିଡିପିଓଙ୍କୁ ଅବଗତ କରିବା ସହ ଲିଖିତ ଅଭିଯୋଗ ଆସିବା ଦରକାର ବୋଲି କହିଥିଲେ ।