ଗଠନ ହେବ ୟୁନିଫର୍ମ ସେବା ଚୟନ ଆୟୋଗ 

ଗଠନ ହେବ ୟୁନିଫର୍ମ ସେବା ଚୟନ ଆୟୋଗ 
  • ଏଣିକି ଲଘୁ ଖଣିଜ ପାଇଁ ଇ-ଲଟେରୀ
  • ବେଆଇନ୍‌ ଖଣି ଖନନ ରୋକିବ ନୂଆ ନିୟମାବଳୀ
  • ବଢ଼ିଲା ଏସସିଏସଟି ଛାତ୍ରଛାତ୍ରୀଙ୍କ ମେସ୍‌ ଖର୍ଚ୍ଚ
  • ଡିସେମ୍ବର ପହିଲାରୁ ଲାଗୁ
  • ଜିସିସି ନୀତି ୨୦୨୫କୁ ଅନୁମୋଦନ
  • କ୍ୟାବିନେଟ୍‌ରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ପୁଲିସ୍‌ ଓ ୟୁନିଫର୍ମ ସେବା ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା ଆଣିବାକୁ ଏକ ନିଯୁକ୍ତି ଆୟୋଗ ଗଠନ କରାଯିବ । ଲଘୁ ଖଣିଜ ଚୋରି ରୋକିବା ଓ ସୁଲଭ ମୂଲ୍ୟରେ ଯୋଗାଇବା ପାଇଁ ଇ-ଲଟେରୀ ମାଧ୍ୟମରେ ଲିଜ୍‌ ଆବଣ୍ଟନ କରାଯିବ । ବଜାର ଦର ବଢ଼ିଥିବାରୁ ଏସସି ଏସଟି ଛାତ୍ରଛାତ୍ରୀଙ୍କ ମେସ୍‌ ଖର୍ଚ୍ଚ ବି ବୃଦ୍ଧି କରାଯିବ । ରାଜ୍ୟ କ୍ୟାବିନେଟ୍‌ରେ ଏଭଳି ୧୨ ପ୍ରସ୍ତାବ ଉପରେ ମୋହର ଲାଗିଛି । 


   ରାଜ୍ୟ କ୍ୟାବିନେଟର ୩୦ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୯ ବିଭାଗର ୧୨ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ । ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଗାମୀ ୫ମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ଥିଲା । ଓଡ଼ିଶା ପୋଲିସ୍‌ ଓ ଅନ୍ୟ ୟୁନିଫର୍ମ ସେବା ନିଯୁକ୍ତି ପରୀକ୍ଷାରେ ବିଳମ୍ବ ଓ ଅନିୟମିତତା ହେଉଥିବାରୁ ରାଜ୍ୟ ସରକାର ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରିବେ । ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଏହି ଆୟୋଗ ପରିଚାଳିତ ହେବ । ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଓ ବାଣିଜ୍ୟ ବିଭାଗ ଅଧିନରେ ପୁଲିସ୍‌ ଓ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ ।  


    ଏଣିକି ଇ-ଲଟେରୀ ମାଧ୍ୟମରେ ଲଘୁ ଖଣିଜ ଲିଜ୍‌ ଆବଣ୍ଟନ କରାଯିବ । ଯାହାଫଳରେ ସୁଲଭ ମୂଲ୍ୟରେ ଲଘୁ ଖଣିଜ ଯୋଗାଣ ସୁନିଶ୍ଚିତ ହୋଇପାରିବ । ଘରୋଇ ଜମି ଓ ଇଡ଼କୋ ଲିଜ୍‌ ଜମିରେ ଉନ୍ନୟନ ମୂଳକ କାମ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ସେହିପରି ବେଆଇନ୍‌ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣକୁ ପ୍ରତିରୋଧ କରିବା ପାଇଁ ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା ରହିଛି । ଏଥିପାଇଁ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ-୨୦୧୬ରେ ଆବଶ୍ୟକୀୟ ସଂଶୋଧନ ବି କରାଯାଇଛି । ସେହିପରି ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ୍‌ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ ଓ ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ ୨୦୨୫ ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି । ଏସଂକ୍ରାନ୍ତୀୟ ୨୦୦୭ର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ । ବେଆଇନ୍‌ ଖଣି ଖନନକୁ ରୋକିବା ଓ ସାରା ରାଜ୍ୟରେ ଖଣିଜ ପଦାର୍ଥର ଆଇନଗତ ବାଣିଜ୍ୟ, ସଂରକ୍ଷଣ ଓ ପରିବହନକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନୂଆ ନିୟମାବଳୀ ଅଣାଯିବ ।


     ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏସସି ଏସଟି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍‌ ମାଟ୍ରିକ୍‌ ଛାତ୍ରବୃତ୍ତି ଓ ମାଟ୍ରିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି । ଖାଦ୍ୟ ଓ ନିତିଦିନିଆ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପାଇଥିବାରୁ ଛାତ୍ରଙ୍କ ପାଇଁ ପ୍ରାକ୍‌-ମାଟ୍ରିକ ଛାତ୍ର ବୃତ୍ତିର (ମେସ୍‌ ପରିଚାଳନା ନିମିତ୍ତ) ହାର ବୃଦ୍ଧି ହୋଇଛି । ପୁଅଙ୍କ ପାଇଁ ୧୦ ହଜାର ୫୦୦ରୁ ୧୬ ହଜାରକୁ ବୃଦ୍ଧି କରାଯାଇଥିବାବେଳେ ଛାତ୍ରୀଙ୍କ ପାଇଁ ୧୧ ହଜାରରୁ ୧୭ ହଜାରକୁ ଛାତ୍ରବୃତ୍ତି ବୃଦ୍ଧି କରାଯାଇଛି । ଶିଶୁବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ଅନ୍ତେବାସୀଙ୍କୁ ଏହା ପ୍ରଦାନ କରାଯିବ । ଅନ୍ୱେଷା ଛାତ୍ରାବାସରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍‌-ମାଟ୍ରିକ୍‌ ଛାତ୍ରବୃତ୍ତି ୧୧ ହଜାରରୁ ୧୭ ହଜାରକୁ ବୃଦ୍ଧି କରାଯାଇଛି । ଅପରପକ୍ଷରେ ଏସସି ଏସଟି ବିଭାଗ ଦ୍ୱାରା ପରିଚାଳିତ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଅନ୍ତେବାସୀଙ୍କ ପାଇଁ ପୁଅଙ୍କ କ୍ଷେତ୍ରରେ ୧୬ ହଜାର ଓ ଝିଅଙ୍କ କ୍ଷେତ୍ରରେ ୧୭ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଏହି ମେସ୍‌ ଖର୍ଚ୍ଚ ସର୍ବାଧିକ ୧୦ ମାସ ପାଇଁ ମିଳିବ ।


     ଅପରପକ୍ଷରେ ନିମ୍ନ ଆୟ ଗୋଷ୍ଠୀ ଗୃହ ନିର୍ମାଣ ଯୋଜନା ଅଧିନରେ ଘର ପାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବଣ୍ଟିତ ଜମିର ସମସ୍ତ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟକଳାପ ଓ ଏହାସହ ଜଡ଼ିତ ସମସ୍ତ ଆନୁଷଙ୍ଗିକ ବିଷୟର ବିଚାର ନିମନ୍ତେ ସାଧାରଣ ପ୍ରଶାସନ ବିଭାଗକୁ କ୍ଷମତା ପ୍ରଦାନ କରାଯାଇଛି । ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟକଳାପ ନିର୍ବାହ କରିବା ପାଇଁ ନଗର ଉନ୍ନୟନ ବିଭାଗ ଉକ୍ତ ଲିଜ୍‌ ଜମି ସଂକ୍ରାନ୍ତୀୟ ଲିଜ୍‌ ରେକଡର଼୍ ଜିଏ ଅଭିଯୋଗକୁ ହସ୍ତାନ୍ତର କରିବେ । କ୍ୟାବିନେଟରେ ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ୍‌-୨୦୨୪କୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ପରିବେଶ ସଂକ୍ରାନ୍ତୀୟ ନିୟାମକ ପ୍ରକ୍ରିୟା ସୁଗମ ହୋଇପାରିବ । ସେହିପରି ୧୯୯୩ରୁ ୧୯୯୬ ମଧ୍ୟରେ ଢେଙ୍କାନାଳ ସ୍ଥିତ ପ୍ରଥମ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟାଲିୟନ, କଟକ ସ୍ଥିତ ଷଷ୍ଠ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟାଲିୟନ୍‌ ଓ ସପ୍ତମ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟାଲିୟନ୍‌ରେ କାର୍ଯ୍ୟ କରୁଥିବା ୨୪୯୫ ପୁଲିସଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ଖାସ୍‌ ଖୋରାକି ବାବଦକୁ ଦିଆଯାଇଥିବା ୬୫ ଲକ୍ଷ ଟଙ୍କାକୁ ହିସାବରୁ ବାଦ୍‌ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

    ଓଡ଼ିଶା ଅର୍ଥ ସେବା ନିୟମାବଳୀରେ ସଂଶୋଧନ ଅଣାଯାଇଛି । ଏହାଦ୍ୱାରା ସିଧାସଳଖ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ପାଇଁ ତାଲିମ ପାଇଁ ଥିବା ୧ ବର୍ଷ ଓ ପଦୋନ୍ନତି ଅଧିକାରୀଙ୍କ ପାଇଁ ସଂସ୍ଥାଗତ ପ୍ରଶିକ୍ଷଣ ନିମନ୍ତେ ଥିବା ୪ ମାସର ପ୍ରଶିକ୍ଷଣକୁ ସରକାର ଆବଶ୍ୟକତା ଅନୁଯାୟୀ ବଦଳାଇପାରିବେ । ଓଡ଼ିଶା ବୈଶ୍ୱିକ ସାମର୍ଥ୍ୟ କେନ୍ଦ୍ର (ଜିସିସି) ନୀତି ୨୦୨୫କୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସହୟାହିତ କରି ସେମାନଙ୍କର ଜିସିସି ପ୍ରତିଷ୍ଠା ଓ ସମ୍ପ୍ରସାରଣ ଉପରେ ଏହି ନୀତି ଗୁରୁତ୍ୱାରୋପ କରୁଛି । ଏହି ନୀତିରେ ୧ ହଜାର କୋଟିରୁ ଉଦ୍ଧ୍ୱର୍ ନିବେଶ, ୫ ଅତ୍ୟାଧୁନିକ ଜିସିସି ହବ୍‌ ପ୍ରତିଷ୍ଠା, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଏବଂ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର ଅର୍ଥନୈତିକ ଅଞ୍ଚଳ ଆରମ୍ଭ କରିବା ସହ ୫୦ ହଜାରରୁ ଉଦ୍ଧ୍ୱର୍ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ପରିକଳ୍ପନା କରାଯାଇଛି ।