ସୀମା ପୁନଃନିର୍ଦ୍ଧାରଣ ନାଁରେ ବିରୋଧୀ ଏକାଠି

ସୀମା ପୁନଃନିର୍ଦ୍ଧାରଣ ନାଁରେ ବିରୋଧୀ ଏକାଠି

ନିର୍ବାଚନମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ବିରୋଧୀରେ ଚେନ୍ନାଇରେ ବିରୋଧୀ ଏକାଠି ହୋଇଛନ୍ତି  । ପୁନଃ ସୀମା ନିର୍ଦ୍ଧାରଣକୁ ୨୫ ବର୍ଷ ପାଇଁ ସ୍ଥଗିତ ରଖିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ତେବେ ବୈଠକରେ ବିଜେଡି ସାମିଲ ହେବା ନେଇ ବଢିଛି ଚର୍ଚ୍ଚା । ସୀମା ପୁନଃନିର୍ଦ୍ଧାରଣ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଡାକିଥିବା ବୈଠକରେ ସାମିଲ ହୋଇଛନ୍ତି ବିରୋଧୀ ।  ବିଜେଡିର ପ୍ରତିନିଧି ଅମର ପଟ୍ଟନାୟକ ଓ ସଞ୍ଜୟ ଦାସ ବର୍ମା ବି ବିରୋଧୀ ବୈଠକରେ ଯୋଗ ଦେଇଛନ୍ତି ।

ବୈଠକରେ ତାମିଲନାଡୁ, ତେଲେଙ୍ଗାନା, ପଂଜାବ, କେରଳର ମୁଖ୍ୟମନ୍ତ୍ରୀଙ୍କ ସମେତ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି କେନ୍ଦ୍ରର ସୀମା ପୁନଃ ନିର୍ଦ୍ଧାରଣ ଯୋଜନାକୁ ଜୋରଦାର ବିରୋଧ କରିଛନ୍ତି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, କେନ୍ଦ୍ରର ଯୋଜନାରେ ସ୍ବଚ୍ଛତା ନାହିଁ । ତେଣୁ ସୀମା ପୁନଃନିର୍ଦ୍ଧାରଣକୁ ଆଗାମୀ ୨୫ ବର୍ଷ ଯାଏଁ ସ୍ଥଗିତ ରଖାଯାଉ । ଏହି ବୈଠକ ଆଗାମୀ ମାସରେ ହ୍ରାଇଦ୍ରାବାଦରେ ପୁଣି ହେବ ।  ସବୁବେଳେ ସମଦୁରତ୍ବର କଥା କହୁଥିବା ବିଜେଡି ମୋଦୀ ବିରୋଧୀ ବୈଠକରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ସୀମା ପୁନଃନିର୍ଦ୍ଧାରଣରେ ଜନସଂଖ୍ୟା ଏକମାତ୍ର ଆଧାର ହେବା ଅନୁଚିତ । ଏହା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ। ଓଡ଼ିଶାବାସୀଙ୍କ ସ୍ବାର୍ଥରେ ହାନି ପହଞ୍ଚାଇବ ।  ନବୀନଙ୍କ ଏଭଳି ଭିଡିଓ ବାର୍ତ୍ତା ପରେ ଚର୍ଚ୍ଚା ଆରମ୍ଭ ହୋଇଛି  ବଦଳୁଛନ୍ତି କି ନବୀନ? ବିଜେପିଠାରୁ ଅପ୍ରତ୍ୟାଶିତ ଭାବେ ହାରିବା ପରେ ମନ ପରିବର୍ତ୍ତନ କରୁଛି କି ବିଜେଡି?  ଇଣ୍ଡି ଆଡ଼କୁ ଢଳୁଛି କି ବିଜେଡି? ନିର୍ବାଚନମଣ୍ଡଳୀ ଗୁଡିକର ସୀମା ପୁନଃନିର୍ଦ୍ଧାରଣ ହେଲେ ଉତ୍ତର ଭାରତର ରାଜ୍ୟଗୁଡିକର ଆସନ ବଢିବ କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣରେ ଥିବାରୁ  ଦକ୍ଷିଣ ରାଜ୍ୟଗୁଡିକ କ୍ଷତି ସହିବାର ସମ୍ଭାବନା ରହିଛି । ଏହି କାରଣରୁ ଦକ୍ଷିଣ ରାଜ୍ୟଗୁଡିକ କେନ୍ଦ୍ର ସହ ମୁହାଁମୁହିଁ ହୋଇଛନ୍ତି ।