ଗହିର ବିଲରୁ ଜଳ ନିଷ୍କାସନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର
ଧାମନଗର: ଧାମନଗର ଡାକ ବଙ୍ଗଳା ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ବିଭିନ୍ନ ସମସ୍ୟା ନେଇ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉକି ଧାମନଗର ନିକଟସ୍ତ ଦକ୍ଷିଣବାଡ଼, ଶ୍ୟାମପୁର, ଜୟନଗର, ରାଧାବଲ୍ଲଭପୁର, ଗୁମୁଗଡ଼ ଏବଂ ବେଛପରୀ ମୌଜା- ହାଜିପୁର, ଚକାଶପୁର ଏବଂ କୃଷ୍ଣଦାସପୁର ଏପରି ମୋଟ ୯ ଗୋଟି ରାଜସ୍ୱ ଗ୍ରାମର ହଜାର ହଜାର ଏକର ଚାଷ ଜମିରୁ ଜଳ ନିଷ୍କାସିତ ହୋଇ ନପାରିବା ଦ୍ୱାରା ଚାଷଜମିରେ ଚାଷ ହୋଇ ନପାରି ପଡ଼ିଆ ଜଙ୍ଗଲରେ ପରିଣତ ହୋଇଛି । ଜଳ ନିଷ୍କାସନ ପାଇଁ ରହିଥିବା ନାଳ ଗୁଡ଼ିକ କ୍ରମଶଃ ପୋତି ହୋଇପଡ଼ିବା ଏବଂ କେତେକ ସ୍ଥାନରେ ଜଳ ଜମି ରହୁଛି, ଜଳ ନିଷ୍କାସନ ହୋଇ ନପାରି ବିସ୍ତୃତ ଚାଷ ଜମି ଏକ ବିରାଟ ଜଳାଶୟରେ ପରିଣତ ହୋଇଛି । ଉକ୍ତ ଚାଷ ଜମିରେ ସଦା ସର୍ବଦା ଜଙ୍ଘ ଆଣ୍ଠୁଏ ପାଣି ଜମି ରହିବା ଦ୍ୱାରା ଏହି ଅଂଚଳ ବେଣା ଏବଂ ତଣ୍ଡି ବଣରେ ପରିଣତ ହୋଇ ଧାନ ବ୍ୟତୀତ ମୁଗ, ବିରି ଋଷ ମଧ୍ୟ ହୋଇପାରୁ ନାହିଁ । ତେବେ ଗହୀର ବିଲରୁ ଜଳ ନିଷ୍କାସନ ପାଇଁ ଧାମନଗର କଲେଜ ଠାରୁ ବିରୁହାଁ ଛକ ଗେଟ ପର୍ଯ୍ୟନ୍ତ ଏକ ନାଳ ଖୋଳା ଯିବା ସହ ସୋଳଗାଁ ରାସ୍ତାରେ ଜଳ ନିଷ୍କାସନ ପାଇଁ ବ୍ରିଜି ନିର୍ମାଣ ଓ ବିଭିନ୍ନ ସ୍ଥାନରେ ନାଳ ସଫା କରିବା ପାଇଁ ମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଚାଷୀ ଅନିଲ କୁମାର ବାରିକ, କୈଳାସ ମହାପାତ୍ର, ସରୋଜ ମହାପାତ୍ର, ଗୋଲାମ ଜିଲାନି ହବିବୀ, ମାନସ ମହାପାତ୍ର, ଏମ ଡି ହବିବୁର ରହେମାନ ପ୍ରମୁଖ ଚାଷୀ ମାନେ ଏହି ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଖୁବ ଶୀଘ୍ର ଚାଷୀଙ୍କ ଦାବିପୂରଣ କରାଯିବ ଓ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେବି ବୋଲି ମନ୍ତ୍ରୀ କହିଥିଲେ ।