ଗୁଜରାଟରେ ଜଳିଗଲା ଆମ୍ବୁଲାନ୍ସ : ନବଜାତକ, ଡାକ୍ତର ସମେତ ୪ ମୃତ
ଅହମ୍ମଦାବାଦ : ସାଉଦି ଆରବରେ ଏକ ତୀର୍ଥଯାତ୍ରୀ ବସ ଓ ଡିଜେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟି ବସଟି ଜଳିଯାଇଥିବା ବେଳେ ହାଇଦ୍ରାବାଦର ୪୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଦୁଃଖଦ ଘଟଣା ମନରୁ ନ ଲିଭୁଣୁ ଗୁଜରାଟରେ ଏକ ଆମ୍ବୁଲାନ୍ସ ନିଅାଁ ଲାଗି ଜଳିଯାଇଛି । ଯେଉଁଥିରେ ଜଣେ ନବଜାତକ, ଡାକ୍ତର, ନର୍ସ ଓ ପିଲାର ବାପା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୩ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଜରାଟ ଆରବଲ୍ଲୀ ଜିଲ୍ଲା ମୋଡାସା ନିକଟରେ ଏହି ଭୟାବହ ଦୁର୍ଘଟଣା ଘଟିଛି । ଅଧିକାରୀମାନେ ଅକ୍ସିଜେନ-ସିଲିଣ୍ଡର ବିସ୍ଫୋରଣକୁ କାରଣ ବୋଲି ସନ୍ଦେହ କରୁଛନ୍ତି । ପୁଲିସ ଫୋରେନସିକ୍ ଟିମ ସହ ତଦନ୍ତ ଆରମ୍ଭ କରିଛି ।
ଗୁରୁତର ଅସୁସ୍ଥ ଶିଶୁକୁ ଅହମଦାବାଦ ନେଇ ଯାଉଥିବା ଆମ୍ବୁଲାନ୍ସ ସୋମବାର ରାତି ପ୍ରାୟ ୧ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ମୋଡାସା-ଧନସୁରା ରାଜପଥର ଏକ ପେଟ୍ରୋଲ ପମ୍ପ ବାହାରେ ଏହି ଘଟଣା ଘଟିଥିଲା । ମୃତ ଶିଶୁଟି ଦିନର ଥିଲା, ଯାହାର ପ୍ରସବ ଲୁନାୱାଡାରେ ହୋଇଥିଲା । ପରିବାର ପୂର୍ବରୁ ଦୁଇଟି ନବଜାତ ଶିଶୁଙ୍କୁ ହରାଇ ସାରିଥିଲା । ଏହି ଶିଶୁଟି ବହୁମୂଲ୍ୟ ଥିଲା । ତାକୁ ଲୁନାୱାଡାରୁ ମୋଡାସା ଏବଂ ତା'ପରେ ଅହମ୍ମଦାବାଦର ଏକ ହସ୍ପିଟାଲକୁ ରେଫର କରାଯାଇଥିଲା । ହସ୍ପିଟାଲର ଜଣେ ଡାକ୍ତର, ଜଣେ ନର୍ସ, ଶିଶୁ, ତାଙ୍କ ବାପା ଏବଂ ସମ୍ପର୍କୀୟଙ୍କ ସହିତ ଆମ୍ବୁଲାନ୍ସରେ ଥିଲେ । ରାସ୍ତାରେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗିଗଲା । ପଛରେ ବସିଥିବା ଚାରି ଜଣ ନବଜାତ ଶିଶୁ, ତାଙ୍କ ବାପା, ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ନିଆଁରେ ମୃତ୍ୟୁବରଣ କରିଥିଲେ । ଆଗ ବସିଥିବା ଶିଶୁର ଜେଜେମା, କାକା ଏବଂ ଡ୍ରାଇଭର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଆରବଲି ଏସପି ମନୋହରସିଂ ଜାଡେଜା କହିଛନ୍ତି, ମୋଡାସା ସହରରୁ ଦୁଇ କିଲୋମିଟର ଦୂରରେ ଆମ୍ବୁଲାନ୍ସର ପଛ ଭାଗରେ ନିଆଁ ଲାଗିଯାଇଥିଲା କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ପଛରେ ଥିବା ଚାରି ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଛି । ଆଗରେ ଥିବା ତିନି ଜଣ ଆହତ ହୋଇଛନ୍ତି । ମୋଟ ସାତ ଜଣ ଯାତ୍ରା କରୁଥିଲେ । ଆମର ତଦନ୍ତ ଜାରି ରହିଛି ।