ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ 

 ପାରାଦୀପ : ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସନ୍ତା ସେପ୍ଟେଟମ୍ବର ୧୭ ତାରିଖରେ ଦୀର୍ଘ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି । ଶାନ୍ତି ଶୃଙ୍ଖଳା ଏବଂ ସଫଳତାର ସହ ଏହି ମହୋସôବ ପାଳନ ପାଇଁ ପ୍ରସ୍ତୁତି ସମୀକ୍ଷା  ବୁଧବାର ସନ୍ଧ୍ୟାରେ ପାରାଦୀପସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କରଙ୍କ ଅଧ୍ୟକ୍ଷତାରେ ପାରାଦୀପ ଆଦର୍ଶ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ବନ୍ଦର ସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ର, ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ, ମେରାଇନ ଥାନା ଅଧିକାରିଣୀ କଲ୍ୟାଣମୟୀ ଷେଣ୍ଡ ଓ ବବିତା ଦେଉରୀ ପ୍ରମୁଖଙ୍କ ସମେତ ବିଭିନ୍ନ ପୂଜା କମିଟିର ପ୍ରତିନିଧି ମାନେ ଉପସ୍ଥିତ ରହି ପୂଜା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପୂଜାରେ ଗମନାଗମନ ସୁବିଧା ପାଇଁ ଅଠରବାଙ୍କି ଠାରୁ ଦୋଛକି ପର୍ଯ୍ୟନ୍ତ ଜାତୀୟ ଓ ରାଜ୍ୟ ରାଜପଥକୁ ଯୁଦ୍ଧ କାଳୀନ ଭିତିରେ ମରାମତି କରାଯିବାକୁ ନେଇ ବିବିଏମଏସ ୟୁନିୟନ ପୂଜା କମିଟିର ସଭାପତି ରାକେଶ କୁମାର ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ସେହିପରି ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ପରିବେଶ ସ୍ୱଚ୍ଛ ରଖିବା ସହିତ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନକରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କର ସୂଚନା ସୂଚନା ପ୍ରଦାନ କରିଥିଲେ ।