ଗୁଣବତ୍ତା ପରୀକ୍ଷାରେ ବିଫଳ ୪୯ ଔଷଧ

ଭିଟାମିନ ଡି୩ ଖାଉଥିଲେ ସାବଧାନ । ଗୁଣବତ୍ତା ଫେଲ ମାରିଛି ଏହି ଔଷଧ । କେବଳ ଭିଟାମିନ ଡି୩ ନୁହେଁ କ୍ୟାଲସିୟମ ୫୦୦, କଫ୍ସିରପ, ମଲ୍ଟିଭିଟାମିନ, ଆଣ୍ଟି ଆଲର୍ଜି ସମେତ ୪୯ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି । କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି ।
ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ ସିଡିଏସସିଓ ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ଏଥିସହିତ ପାରାସିଟାମୋଲ କ୍ରମାଗତ ଦ୍ୱିତୀୟ ମାସର କ୍ୱାଲିଟି ଟେଷ୍ଟରେ ମଧ୍ୟ ପାସ୍ କରିପାରି ନାହିଁ । ସିଡିଏସସିଓ ଜାରି କରିଥିବା ସେପ୍ଟେମ୍ବରର ତାଲିକାରେ ଓମାରିନ୍ ଡି କ୍ୟାପସୁଲ୍, ନିମୁସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ ୫୦୦ ଭିଟାମିନ୍ ଡି୩, ପାଣ୍ଟୋପ୍ରାଜୋଲ୍, ପାରାସିଟାମୋଲ୍ ପେଡିଆଟ୍ରିକ୍ ଓରାଲ୍ ସସପେନ୍ସନ୍, ଏସିକ୍କ୍ଲୋଫେନାକ୍, ସେଟ୍ରିଜିନ୍ ସିରପ୍ ଇତ୍ୟାଦି ଔଷଧ ସାମିଲ ଅଛି । ଲୋକମାନେ ସାଧାରଣତ ଗ୍ୟାଷ୍ଟ୍ରିକ୍, ଜ୍ୱର, କାଶ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଓଷଧ ବ୍ୟବହାର କରନ୍ତି । ଏହି ତାଲିକାରେ ସମୁଦାୟ ୪୯ଟି ଔଷଧ ଅଛି ଯାହା ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି । ଗୁଣାତ୍ମକ ଅଭାବ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଔଷଧ ଭିତରେ ଆଲ୍କମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସୁ୍ୟଟିକାଲ୍ସ, କାମିଲା ଫାର୍ମାସୁ୍ୟଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପ୍କା ଲାବୋରେଟୋରୀ ପରି କମ୍ପାନୀର ଔଷଧ ରହିଛି । ରିପୋର୍ଟ ଅନୁଯାୟୀ, ୪ଟି ନକଲି ମେଡିସିନ୍ ମଧ୍ୟ ଧରାପଡିଛି । ଏହି ମେଡିସିନ୍ଗୁଡିକୁ ଅନ୍ୟ ଏକ କମ୍ପାନୀ ଦ୍ୱାରା ଏକ ବଡ କମ୍ପାନୀ ନାମରେ ପ୍ରସ୍ତୁତ କରାଯାଇ ବଜାରକୁ ପଠାଯାଇଥିଲା । ଏହି ଔଷଧଗୁଡ଼ିକରେ ଡୁଟାଷ୍ଟେରାଇଡ୍ / ଟାମସୁଲୋସିନ୍, କ୍ୟାଲସିୟମ୍ ୫୦୦, ଭିଟାମିନ୍ ଡି୩, ପ୍ୟାଣ୍ଟୋପ୍ରାଜୋଲ୍ ଏବଂ ନଡ୍ରୋଲୋନ୍ ସାମିଲ ଅଛି । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ରାଜୀବ ସିଂହ ରଘୁବଂଶୀ କହିଛନ୍ତି ଯେ, ସ୍ୱଳ୍ପ ପ୍ରଭାବଶାଳୀ ଔଷଧର ପ୍ରତିଶତ କମ୍ କରିବା ପାଇଁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଏ । ସିଡିଏସ୍ସିଓ ଦ୍ୱାରା ଔଷଧ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ମନିଟରିଂ ଦ୍ୱାରା ଏହି ସବୁ ନକଲି ଔଷଧର ପ୍ରଭାବ ବଜାରରୁ ହ୍ରାସ ପାଇଥାଏ । କେନ୍ଦ୍ରୀୟ ଡ୍ରଗ୍ ମାନକ ରକ୍ଷଣାବେକ୍ଷଣ ସଂଗଠନ ପ୍ରତ୍ୟେକ ମାସ ବଜାରରୁ ଔଷଧର ନମୁନା ସଂଗ୍ରହ କରି ବିଭିନ୍ନ ପାରାମିଟରରେ ପରୀକ୍ଷା କରିଥାଏ । ଯାହା ପରେ ପ୍ରତି ମାସରେ ଗୁଣାତ୍ମକ ପରୀକ୍ଷା ରିପୋର୍ଟ ପ୍ରକାଶ ପାଏ । ଅଗଷ୍ଟ ମାସରେ ୫୩ଟି ମେଡିସିନ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଥିଲା ।