ଅଢେଇବାଟିଆ ସ୍କୁଲରେ ୨ଦିନ ରହିଲେ ୪୦ ଜଣ ଖାଇବାକୁ ନଦେଇ ଆଶ୍ରୟଙ୍କ ତାଲିକା ମାଗୁଛନ୍ତି ପିଇଓ

ବ୍ୟାସନଗର: ବାତ୍ୟା ‘ଦାନା’ ପାଇଁ ସଜାଗ ରହିଥିଲେ ସରକାର ଏବଂ ପ୍ରଶାସନ । ଯେଭଳି କେହି ମୃତାହତ ନହୁଅନ୍ତି, ସେଥିପାଇଁ ସରକାରଙ୍କ ନିଦେ୍ର୍ଦଶ କ୍ରମେ ପ୍ରଶାସନ ପକ୍ଷରୁ ନିଆଯାଇଥିଲା ପଦକ୍ଷେପ । ୨୪ତାରିଖ ସନ୍ଧ୍ୟା ପୂର୍ବରୁ ଝାଟିମାଟି ଘରେ ରହୁଥିବା ଏବଂ ବିପନ୍ନ ସମ୍ଭାବନା ଥିବା ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ନିଆଯାଇଥିଲା ପଦକ୍ଷେପ । ଏହି କ୍ରମେ କୋରେଇ ବ୍ଲକ ପଥରପଦା ପଞ୍ଚାୟତ ଅଢେଇବାଟିଆ ମହମ୍ମଦ ଜମାଲପୁର ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲକୁ ଆଶ୍ରୟସ୍ଥଳ ଭାବେ ଉପଯୋଗ କରାଯାଇଥିଲା । ବ୍ଲକ ଏବଂ ଶିକ୍ଷା ବିଭାଗ ନିଦେ୍ର୍ଦଶ କ୍ରମେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ସବିତା ସାହୁ ଏବଂ କର୍ମଚାରୀ ନିକଟପାଖରୁ ୪୦ଜଣଙ୍କୁ ଆଣି ସ୍କୁଲରେ ଥଇଥାନ କରିଥିଲେ । ଯେଉଁ ମାନେ ସ୍କୁଲରେ ଦୁଇଦିନ ପାଇଁ ଆଶ୍ରୟ ନେଇଥିଲେ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କୁହାଯାଇଥିଲା ।
ସ୍କୁଲରେ ୪୦ଜଣ ଆଶ୍ରୟ ନେଇଥିବା କଥା ପଞ୍ଚାୟତ ପିଇଓଙ୍କୁ ଅବଗତ କରାଯାଇଥିଲା । ହେଲେ ୨୪ ଓ ୨୫ ଦୁଇଦିନ ଧରି ସ୍କୁଲରେ ରହିଥିବା ୪୦ଜଣଙ୍କୁ ମିଳିନଥିଲା ରନ୍ଧାଖାଦ୍ୟ । ଯାହା ଯେମିତି କରି ସେମାନେ ଦି’ଦିନ କାଟି ଦେଲେ । ହେଲେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇନଥିବା ବେଳେ ପିଇଓ ନାରାୟଣ ପ୍ରଧାନ କିନ୍ତୁ ପ୍ରଧାନ ଶିକ୍ଷକଙ୍କୁ ମାଗିଥିଲେ ଆଶ୍ରୟଙ୍କ ତାଲିକା । ହେଲେ ପ୍ରଧାନଶିକ୍ଷକ ତାଲିକା ଦେବାକୁ ସ୍ପଷ୍ଟ ଭାବେ ମନା କରି ଦେଲେ । କହିଲେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇନଥିବା ବେଳେ କାହିଁକି ଉପସ୍ଥାପନ ଦିଆଯିବ । ପିଇଓ କିନ୍ତୁ ଜିଦ ଧରିଥିଲେ । ହେଲେ ପ୍ରଧାନ ଶିକ୍ଷୟିତ୍ରୀ ଦେବାକୁ ମନା କରିବା ସହ ଦରକାର ପଡ଼ିଲେ ଜିଲାପାଳଙ୍କୁ ଏନେଇ ଅବଗତ କରିବେ ବୋଲି କହିଥିଲେ । ଖାଇବାକୁ ନଦେଇ ଉପସ୍ଥାପନ ତାଲିକା ମାଗିବା ପଛରେ ସ୍କୁଲରେ ଥିବା ୪୦ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାର ହିସାବ ଦେଖାଇ ତାର ବିଲ କରିବାର ଲକ୍ଷ୍ୟ ପିଇଓଙ୍କ ଥିଲା ବୋଲି କୁହାଯାଇପାରେ । ତେବେ ଏନେଇ ପିଇଓଙ୍କୁ ପଚାରିବାରେ ସେ କହିଥିଲେ ଯେ, ମୋତେ ପ୍ରଧାନ ଶିକ୍ଷୟିତ୍ରୀ ୪୦ଜଣ ରହିଥିବା କଥା ଜଣାଇନାହାନ୍ତି । ମୁଁ ଭାବିଲି ପଞ୍ଚାୟତ ଅଫିସରେ ଯେଉଁ ଲୋକ ଖାଉଥିଲେ ମୁଁ ଭାବିଲି ସେହି ପିଲା ବୋଲି ଭାବି ମୁଁ ତାଲିକା ମାଗିଥିଲି । କିନ୍ତୁ ପରେ ଜାଣିବା ପରେ ମୁଁ ତାଙ୍କୁ ତାଲିକା ନଦେବାକୁ କହିଥିବା ଏହି ପ୍ରତିନିଧିଙ୍କୁ କହିଥିଲେ ।