ଆସନ୍ତା ୫ ତାରିଖରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ପୁଣି ବର୍ଷା ବଢ଼ିବ। ଦୁଇ ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆନ୍ଧ୍ର ଉପରେ ସକ୍ରିୟ ରହିଛି। ଧୀରେ ଧୀରେ ଏହା ଓଡ଼ିଶାଠାରୁ ଦୂରେଇ ଯିବ। ଫଳରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପ୍ରଭାବ ହ୍ରାସ ପାଇବ। ମାତ୍ର ୪ କିମ୍ବା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହି ଲଘୁଚାପ ଘନୀଭୂତ ହୋଇ ଅବପାତରେ ମଧ୍ୟ ପରଣିତ ହୋଇପାରେ। ତେଣୁ ୫ ତାରିଖରୁ ଆଉ ଏକ ପର୍ୟ୍ୟାୟରେ ବର୍ଷାର ପ୍ରଭାବ ବଢ଼ିବା ନେଇ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାରଠାରୁ ୩ ଦିନ ପର୍ୟ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। କାଁ ଭାଁ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ୫ରୁ ପୁଣି ବର୍ଷା ବଢ଼ିବ। ୫ ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରୀ କରିଛି।