ଗୁଣି ଗାରେଡି ସନେ୍ଦହରେ ହତ୍ୟା :  ଉଦ୍ଧାର କରିବାକୁ ଯାଇ ଥାନା ଅଧିକାରୀ ଆହତ

ଗୁଣୁପୁର :ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ନିକଟ ହାଟପଦା ସାହିରେ ଗୁଣି ଗାରେଡ଼ି ସନେ୍ଦହରେ ହତ୍ୟାକାଣ୍ଡ ଘଟିଛି । ଗୁଣିଗାରେଡ଼ିକୁ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ମୃତକ ବ୍ୟକ୍ତି ଜଣକ ଭୌରବ ସାହୁ । ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ଭୌରବ ସାହୁ ଘରେ ଥିବା ସମୟରେ ଶତାଧିକ ଲୋକ ହାତରେ ଠେଙ୍ଗା, ଟାଙ୍ଗିଆ, ରଡ୍ ଧରି ତାଙ୍କ ଘରକୁ ଯାଇ ଟେକାପଥର ମାରିବା ସହ ଘର ଭଙ୍ଗାରୁଜା କରିଥିଲେ । ଏ ନେଇ ପରିବାର ପକ୍ଷରୁ ସୁରକ୍ଷା ପାଇଁ ପୁଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଘଟଣାସ୍ଥଳକୁ ଯାଇ ଆକ୍ରମଣର ଶିକାର ହେଉଥିବା ଭୌରବକୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ଆକ୍ରମଣକାରୀ ଓଲଟା ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଏବଂ ସେ ରକ୍ତାକ୍ତ ହୋଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାକୁ ଯାଇଥିଲେ । ଅନ୍ୟପକ୍ଷରେ ଆକ୍ରମଣକାରୀ ଭୌରବଙ୍କୁ ଉଲଗ୍ନ କରି ପଛକୁ ହାତ ବାନ୍ଧି ସାହିକୁ ସାହି ବୁଲେଇ ଆକ୍ରମଣ କରୁଥିଲେ । କିଏ ଠେଙ୍ଗା ତ କିଏ ରଡ, କିଏ ଟାଙ୍ଗିଆ ଧରି ଆକ୍ରମଣ କରୁଥିଲେ । ଖୋଦ ପଦ୍ମପୁର ସହର ମଝିରେ ଏଭଳି ଲୋମଟଙ୍କୁରା ଘଟଣା ଲୋକଙ୍କ ଭିତରେ କୋକୁଆଭୟ ସୃଷ୍ଟି କରିଛି । ସାହିର ଜୈନିକ ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କର ମୃତ୍ୟ ହେବାରୁ ଭୌରବ ଗୁଣିଗାରେଡି କରି ମାରିଦେଲେ ବୋଲି ଅନ୍ଧ ବିଶ୍ୱାସ କରି ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା କହିଛନ୍ତି ମୃତକର ଝିଅ । ପୁଲିସ୍ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇ ତଦନ୍ତ କରିଛି । ଘଟଣାସ୍ଥଳରୁ ରକ୍ତ ନମୁନା ଓ ଠେଙ୍ଗ, ଟାଙ୍ଗିଆ ଆଦି ମାରଣାସ୍ତ୍ରକୁ ଜବତ କରିଛି ପୁଲିସ୍ । ପୋଲିସ୍ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ସହ ୨୮ଜଣକୁ ଗିରଫ କରିଥିବା ରାୟଗଡା ଏସ୍ପିଙ୍କ ପକ୍ଷରୁ ସୂଚନା ମିଳିଛି । ଏପରି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପଦ୍ମପୁର ଅଞ୍ଚଳରେ ପୁଲିସ୍ ଫୋର୍ସ ମୁତୟନ ରହିଛି ।