ଆଜିଠୁ ଅଣଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଆଜିଠୁ ଅଣଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଅଣଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଣଛାତ୍ର ରହୁଥିବାରୁ କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ହଷ୍ଟେଲ୍‌ ଯାଞ୍ଚ କରିବାକୁ ଯିବା ସମୟରେ ଅଣଛାତ୍ରମାନେ ଡେପୁଟି ୱାର୍ଡେନ୍‌ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତାଲା ପକାଇବା ସହ ଢେଲା ଓ ପଥରମାଡ଼ କରିଥିଲେ। ତେବେ ବୁଧବାର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ ପରେ କ୍ୟାମ୍ପସ୍‌ରୁ ଅଣଛାତ୍ରଙ୍କୁ ବାହାର କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଡେଡ୍‌ଲାଇନ୍‌ ଥିବାରୁ ରେସିଡେନ୍ସିଆଲ୍‌ କମିଟି ବୈଠକ ବସି ଅଣଛାତ୍ରଙ୍କୁ ବାହାର କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ ବୋଲି ଜଣେ ବରିଷ୍ଠ ଅଧ୍ୟାପକ ସୂଚନା ଦେଇଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ରହୁଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ତାରିଖ ସୁଦ୍ଧା ସମସ୍ତ ଅଣଛାତ୍ର ହଷ୍ଟେଲ ଛାଡିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରିଥିଲେ। ଅଣଛାତ୍ରଙ୍କୁ ବାହାର କରିବା ପାଇଁ ପ୍ରୟାସ କରିଥିବାରୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦେଖି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର କୁଳପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ନିୟମାବଳୀ ଉପରେ ଯେପରି କୌଣସି ଆଞ୍ଚ ନ ଆସିବ, ସେହି ନିୟମ ଅନୁସାରେ କୁଳପତି ନିଷ୍ପତି ନେଇପାରିବେ। ଯଦି ଏଥିରେ କୌଣସି ବିରୋଧ ଆସୁଛି, ତେବେ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯାଉ। ଅଣଛାତ୍ରମାନେ ଯଦି କୌଣସି ଶୈକ୍ଷିକ ବାତାବରଣରେ ନ ଥିବେ, ତେବେ ସେମାନଙ୍କୁ ବାହାର କରାଯିବ। ରାଜ୍ୟ ସରକାର ସବୁବେଳେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ସପକ୍ଷରେ ରହିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଣଛାତ୍ରଙ୍କ ରାଜ୍‌ ଚାଲିଛି। ବିଶ୍ୱବିଦ୍ୟାଳୟରେ ପାଠପଢ଼ା ସରିବାର ବର୍ଷ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନେ ହଷ୍ଟେଲ ଛାଡୁନାହାନ୍ତି। ସେହିପରି ବହୁ ଛାତ୍ର ହଷ୍ଟେଲ ରୁମ୍‌ଗୁଡିକୁ ବେଆଇନ ଭାବେ କବ୍‌ଜା କରି ଅଣଛାତ୍ରଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ତେଣୁ ଅଣଛାତ୍ରମାନେ ହଷ୍ଟେଲରେ ରହି କ୍ୟାମ୍ପସରେ ଆପରାଧିକ ଓ ରାଜନୈତିକ କାର୍ଯ୍ୟକଳାପ ଜାରି ରଖୁଥିବାରୁ କ୍ୟାମ୍ପସ୍‌ ଅନେକ ସମୟରେ ଅଶାନ୍ତ ହୋଇପଡୁଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ସମେତ ବିଶ୍ୱବିଦ୍ୟାଳୟ ପରିଚାଳନାରେ ମଧ୍ୟ ବ୍ୟାଘାତ ଘଟୁଛି। ସେମାନଙ୍କୁ ବାହାର କରିବାକୁ ଛାତ୍ରୀଛାତ୍ରମାନେ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଢ଼ ପଦକ୍ଷେପ ନେଉ ନ ଥିଲେ। ନିକଟରେ ହଷ୍ଟେଲରେ ରହୁଥିବା ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ପରେ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା।