ଗୋକୁଳାନନ୍ଦଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

 ବରୀ : ଶନିବାର ରାତିରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଜଣେ ଆଗଧାଡିର ବ୍ୟକ୍ତିତ୍ୱ ବିଶିଷ୍ଟ ଗଣିତ ବିଶେଷଜ୍ଞ ପ୍ରଫେସର ଡକ୍ଟର ଗୋକୁଳାନନ୍ଦ ଦାସ(୮୮) ଭୁବନେଶ୍ୱର ଜାଗମରା ବାସଭବନରେ ପରଲୋକ ଗମନ କରିଛନ୍ତି । ତାଙ୍କ ପରଲୋକ ଜନ୍ମ ମାଟି ବରୀ ସମେତ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଥାଉ କି, ଡକ୍ଟର ଦାସ ପିଲା ଦିନରୁ ଅତ୍ୟନ୍ତ ମେଧାବୀ ଥିଲେ ଓ ସବୁ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ଲାଭ କରି ବ୍ରିଟେନରେ ଗବେଷଣା ଓ ଅଧ୍ୟାପନା ଆରମ୍ଭ କରି ପରେ ଭାରତକୁ ଫେରି ଆସି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଠାରେ ଅଧ୍ୟାପନା କରିଥିଲେ । ମାତ୍ର ଜନ୍ମ ମାଟି ମୋହ ଏତେ ଗ୍ରାସିଥିଲା ଯେ, ସେ କେବଳ ଓଡ଼ିଶାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟରେ କାମ କରି ପରି ଶେଷରେ ଉକôଳ ବିଶ୍ୱ ବିଦ୍ୟାଳୟର କୁଳପତି ରୂପେ କାର୍ଯ୍ୟ କରି ୨୦୦୦ ମସିହାରେ ଅବସର ନେଇଥିଲେ । ଜଣେ ଅସାଧାରଣ ବାଗ୍ମୀ ଭାବେ ନିଜର ୨ ଶହରୁ ଉର୍ଦ୍ଧ୍ୱ ଗବେଷଣା ନିବନ୍ଧ ଆନ୍ତର୍ଜାତିକ ସ୍ତରରେ ପ୍ରକାଶିତ ହେବା ସହ ୨୦ ଖଣ୍ଡରୁ ଅଧିକ ଗବେଷଣା ଓ ସମାଜ ଧାର୍ମି ପୁସ୍ତକ ପ୍ରକାଶିତ ହୋଇଛି । ଏପରିକି ତାଙ୍କ ଲିଖିତ ପୁସ୍ତକ ମଧ୍ୟ ଅକ୍ସଫଡ଼ ବିଶ୍ୱ ବିଦ୍ୟାଳୟରେ ପଢା ଯାଏ । ତାଙ୍କ ଅଧିନରେ ୬୦ରୁ ଅଧିକ ଛାତ୍ର ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଯୁବାବସ୍ଥାରେ ସେ ବରୀର ପ୍ରଗତି କ୍ଲବର କର୍ମକର୍ତା ଭାବେ ରହି ଆସିଛନ୍ତି । ଅବସର ପରେ ସ୍ୱାଧୀନତା ସଂଗ୍ରାମର ମୁକ ସାକ୍ଷୀ ବରୀର ଗୋପବନ୍ଧୁ-ରମାଦେବୀ ଆଶ୍ରମ ସହ ଜଡ଼ିତ ହୋଇ ବର୍ତମାନର ସଭାପତି ଦାୟିତ୍ୱ ନିର୍ବାହ କରୁଥିଲେ । ତାଙ୍କ ବିୟୋଗ ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ବରୀରୁ ତାଙ୍କର ବାଲ୍ୟ ସାଥୀ ମହେଶ୍ୱର ବେହେରା, ରମାଦେବୀ ଆଶ୍ରମର ସମ୍ପାଦକ ନିମାଇଁ ରାୟ, କୋଷାଧ୍ୟକ୍ଷ ରମାକାନ୍ତ ମଣ୍ଡଳ, ଇନ୍ଦୁମତି ସାହୁ, ସ୍ନେହଂଶୁ ଜେନା, ଛାତ୍ର ସୁଧାଂଶୁ ରାୟଙ୍କ ସମେତ ବରୀ ଅଞ୍ଚଳର ବହୁ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ପୂର୍ବାହ୍ନରେ ତାଙ୍କ ମରଶରୀରକୁ ଭୁବନେଶ୍ୱରର ଗଣିତ ପ୍ରୟୋଗ ପ୍ରତିଷ୍ଠାନ ଓ ଉକôଳ ବିଶ୍ୱ ବିଦ୍ୟାଳୟ ପରିସରକୁ ନିଆଯାଇ ଶେଷ ଦର୍ଶନ କରାଯାଇଥିଲା । ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶବଦାହ କରାଯାଇଥିଲା । କନିଷ୍ଠ ପୁତ୍ର ପାର୍ଥ ମୁଖାଗ୍ନି ଦେଇଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁତୁରା ପୂର୍ବତନ ଏସପି ନିହାର ଦାସ, ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ବିଶ୍ୱ ମୋହନ ଦାସ, ଝିଅ ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।