ଗ୍ରାମାଞ୍ଚଳରେ ଚାଲିଛି ଚୋରା ମଦ ବେପାର
ଏରସମା : ମଦ ବିକ୍ରି କରିବାକୁ ଲାଇସେନ୍ସ ଦରକାର ନାହିଁ କି ଦୋକାନ ଘର । ଖାଲି ବାଇକ୍ ଖଣ୍ଡିଏ ଥିଲେ ହେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗ୍ରାମାଞ୍ଚଳରେ । ଚୋରା ମଦ ବାଇକ୍ରେ ବୁହା ହୋଇ ଗାଁ ଗାଁରେ ପହଞ୍ଚାଯାଉଛି । ଗାଁ ଗଣ୍ଡାରେ ବେଧଡକ ଭାବେ ମଦ କାରବାର ଚାଲିଛି । ସକାଳ ହେଲେ ପ୍ରତ୍ୟେକ ଦିନ ଏରସମା ଗ୍ରାମାଞ୍ଚଳ ସମ୍ମୁଖ ରାସ୍ତାମାନଙ୍କରେ ବାଇକରେ ଚୋରା ମଦ ବୁହା ହୋଇ ଗାଁ ମାନଙ୍କରେ ଚୋରା ମଦ ବେପାରୀଙ୍କ ପାଖରେ ପହଞ୍ଚାଯାଉଛି । ହେଲେ ପୁଲିସର ଏଥିପ୍ରତି ଟିକେ ବି ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି । ଏପରିକି ଅବକାରୀ ବିଭାଗ ମଧ୍ୟ ଏହି ଚୋରା ମଦ ବେପାରୀଙ୍କ ନିକଟରେ ହାତଟେକି ଦେଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସମାଲୋଚନା କରିଛନ୍ତି । ଏହି ମଦ ମାଫିଆମାନେ ଗ୍ରାମାଞ୍ଚଳରେ ଯୁବ ପିଢ଼ିଙ୍କୁ ମୋହରା କରି ମଦ ବେପାର ଚଳାଉଛନ୍ତି । ଘର ପାଖରେ ସହଜରେ ମଦ ମିଳୁଥିବାରୁ ପ୍ରତିଦିନ ଗାଁ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସହ ପାରିବାରିକ ହିଂସା ବଢୁଛି । ନିୟମିତ ମଦ ପିଇବାଦ୍ୱାରା ଅନେକ ରୋଗାକ୍ରାନ୍ତ ହୋଇ ସେମାନଙ୍କ ମଧ୍ୟରୁ କେତେକ ଆରପାରିକୁ ଚାଲିଗଲେଣି ମଦ ପାଇଁ ଅନେକ ପରିବାର ଉଜୁଡି ଯାଉଛି । ବେଆଇନ ମଦ କାରବାର ନେଇ ପ୍ରତିବାଦ କଲେ ମାଫିଆମାନେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି । ନିୟମିତ ଯାଞ୍ଚ କଡାକଡି ସହ ମଦ ମାଫିଆମାନଙ୍କୁ ଧରିବାକୁ ସ୍ଥାନୀୟ ମହିଳା ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।