ଖଣିବିଭାଗ ଏନଫୋର୍ସମେଣ୍ଟ ଟିମକୁ ମରଣାନ୍ତକ ଆକ୍ରମଣ

 ଭୁବନେଶ୍ୱର : ଆନନ୍ଦପୁର ଅଞ୍ଚଳରେ ଦିନକୁ ଦିନ ଚୋରା ବାଲି ବେପାରିଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବାଲି ମାଫିଆଙ୍କ ଆକ୍ରମଣରେ ଖଣି ବିଭାଗର ଏନଫୋର୍ସମେଣ୍ଟ ଟିମର ୫ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ନିକଟସ୍ଥ କୁସେଇ ନଦୀ ଠାରୁ ଆରମ୍ଭ କରି ରେମାଳ ଏବଂ ବୈତରଣୀ ନଦୀରୁ ବାଲି ମାଫିଆ ମାନେ ଦୈନିକ ଶହ ଶହ ବାଲି ଉତ୍ତୋଳନ କରି ବିଭିନ୍ନ ଜାଗାରେ ଲୋକଙ୍କୁ ଭୟଭୀତ କରାଇ ଡମ୍ପିଂ କରୁଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମ ମାନଙ୍କରେ ଖବର ପ୍ରସାର ପରେ ଖଣି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏଥିରେ ବାଲି ମାଫିଆ ମାନେ ଅତିଷ୍ଠ ହୋଇ ଉଠିଥିଲେ । ଯଦ୍ୱାରା ଗତକାଲି ରାତି ସମୟ ପାଖାପାଖି ୧୨ ଘଟିକା ରେ କନିଷ୍ଠ ଖଣି ଅଧିକାରୀ ସୁରଜ ହେମ୍ରମ ଏବଂ ତାଙ୍କ ସହ ଯାଉଥିବା ଅନ୍ୟ ତିନି ଜଣ କର୍ମଚାରୀଙ୍କ ଉପରେ ବ୍ରିଜ ଉପରେ ତିନିରୁ ଚାରି ଗୋଟି ବୋଲେରୋରେ ଆସିଥିବା ଦୁର୍ବୁତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ । ସେହିପରି ଖଣି ଅଧିକାରୀଙ୍କ ଡ୍ରାଇଭରକୁ ଅତି ସଙ୍କଟାପର୍ଣ୍ଣ ଅବସ୍ଥାରେ ବ୍ରିଜ ତଳକୁ ଘୋଷାରି ଦେଇଥିଲେ । ବାଲି ମାଫିଆଙ୍କ ଆକ୍ରମଣରେ ଖଣି ଅଧିକାରୀ ସ୍ୱରାଜ ହେମ୍ରମଙ୍କ ସମେତ ଶତ୍ରୁଘ୍ନ ମହାନ୍ତ, ତପନ ମହାକୁଡ଼, ପରମେଶ୍ୱର ମହାନ୍ତ ଓ ପ୍ରସାଦ ପାତ୍ର ପ୍ରମୁଖ ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏନେଇ କନିଷ୍ଠ ଖଣି ଅଧିକାରୀ ଶ୍ରୀ ହେମ୍ରମ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।