ଗ୍ରାମ୍ୟ ନିର୍ମାଣ ସଂସ୍ଥା କର୍ମଚାରୀଙ୍କୁ ପେନସନ୍ ଦାବି
ବାଲେଶ୍ୱର : ଗତ ୧୯୯୦ ମସିହାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଇଂଜିନିୟରିଂ ସଂସ୍ଥାର କର୍ମଚାରୀମାନଙ୍କୁ ଆଣି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଗ୍ରାମ୍ୟନିର୍ମାଣ ସଂସ୍ଥା ଗଠନ କରାଯାଇଥିଲା । ଉକ୍ତ ସଂସ୍ଥାର କର୍ମଚାରୀମାନେ ଦୀର୍ଘବର୍ଷ କାମ କରି ଅବସର ନେବା ପରେ ସେମାନଙ୍କୁ ସରକାରୀ ପେନସନ୍, ଗ୍ରାଚୁ୍ୟଇଟି ପ୍ରଭୃତି ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଉନାହିଁ । ଏ ନେଇ ଗ୍ରାମ୍ୟ ନିର୍ମାଣ ସଂସ୍ଥାରୁ ଅବସର ନେଇଥିôବା କର୍ମଚାରୀମାନଙ୍କର ଏକ ବୈଠକ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେବେନ୍ଦ୍ର ନାଥ ଦେ ସଭାପତିତ୍ୱ କରିଥିଲେ । ବୈଠକରେ ଆବାହକ ସର୍ବେଶ୍ୱର ପତି ତାଙ୍କ ବକ୍ତବ୍ୟରେ ଅବସର ପରେ କର୍ମଚାରୀମାନେ ଆର୍ଥିକ ଦୁରାବସ୍ଥା କାରଣରୁ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର କରୁଣ କାହାଣୀ ବର୍ଣ୍ଣନା କରିଥିଲେ । ଦୀର୍ଘ ଆଲୋଚନା ପରେ ‘ଗ୍ରାମ୍ୟ ନିର୍ମାଣ ସରକାରୀ ବ୍ରଟଓଭର ସେବା ନିବୃତ୍ତ କର୍ମଚାରୀ ପରିଷଦ’ ନାମରେ ଏକ ସଂଗଠନ ଗଠନ ପାଇଁ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଛି । ସଂପୂର୍ଣ୍ଣ ଚାକିରି କାଳକୁ ବିଚାରକୁ ନେଇ କର୍ମଚାରୀମାନଙ୍କୁ ମାସିକ ପେନସନ୍, ଗ୍ରାଚୁ୍ୟଇଟି ପ୍ରଭୃତି ପ୍ରଦାନ ପାଇଁ ବୈଠକରେ ଦାବି କରାଯାଇଛି । ବାଲେଶ୍ୱର ସିଭିଲ୍ ସୋସାଇଟିର ସଭାପତି ତଥା ପୂର୍ବତନ ରାଜ୍ୟ ସରକାରୀ କର୍ମଚାରୀ ନେତା ଅନ୍ତର୍ଯ୍ୟାମୀ ପ୍ରଧାନ, ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ବୈଠକରେ ଅତିଥି ଓ ବକ୍ତାଭାବେ ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆଇନଗତ ସୁବିଧା ସୁଯୋଗ ଦେବାକୁ ଦାବି କରିଥିଲେ । ନୂତନ ସଂଗଠନର ସଭାପତି ଭାବେ ଦେବେନ୍ଦ୍ର ନାଥ ଦେ, ଉପସଭାପତି ପରେଶ ଚନ୍ଦ୍ର ବେହେରା, ସଂପାଦକ ଅମୀୟ ପ୍ରସାଦ ଚୌଧୁରୀ, ସହସଂପାଦକ ସଂଜୟ କୁମାର ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଭାବେ ସର୍ବେଶ୍ୱର ପତିଙ୍କୁ ନିର୍ବାଚିତ କରାଯାଇଛି । ନୂତନ କମିଟିର ଆସନ୍ତା ବୈଠକ ପରେ ପଞ୍ଜିକରଣ ପାଇଁ ଆବେଦନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସଭାକାର୍ଯ୍ୟ ଆରମ୍ଭରେ ମୃତୁ୍ୟବରଣ କରିଥିବା ସଦସ୍ୟମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ଗଦାଧର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।