ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତତା, ତଦନ୍ତ ଦାବି

ନିଶ୍ଚିନ୍ତକୋଇଲି : ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ବଳରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବିଭିନ୍ନ ଶିକ୍ଷକମାନଙ୍କର ଏକ ବଦଳି ତାଲିକା କରାଯାଇ କଟକ ଜିଲ୍ଲା ବଦଳି କମିଟି ଅନୁମୋଦନକ୍ରମେ ମୋଟ୍‌ ୨୯ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । ଏହି ବଦଳିରେ ସରକାରୀ ନୀତିନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । 
ପାଟପୁର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବାଙ୍କୀ ବ୍ଲକକୁ ବଦଳି ହୋଇଥିବା ଜଣେ ଶିକ୍ଷକ ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟର ଆଶ୍ରୟ ନେବା ପରେ ଏହି ବଦଳିକୁ ବାତିଲ କରାଯାଇ ପୁର୍ନବାର ତାଙ୍କ ନିଜ ସ୍ଥାନକୁ ଫେରାଇ ଆଣିଥିବା ଘଟଣା ବଦଳି ତାଲିକାରେ ହୋଇଥିବା ଅନିୟମିତତାକୁ ପଦାରେ ପକାଇଛି । ଏହାଛଡ଼ା ନଈଗୁଆଁ ଦାଉଦପୁର ମଇ ବିଦ୍ୟାଳୟର ଜଣେ ଅନୁଦାନପ୍ରାପ୍ତ ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକଙ୍କୁ ତବଲିଗ୍‌ ନଗର ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଏହି ପଦବୀରେ ରହିଥିବା ଶିକ୍ଷକଙ୍କର କୌଣସି ସ୍ଥାନକୁ ବଦଳି ହୋଇପାରିବ ନାହିଁ ବୋଲି ସରକାରୀ ନିୟମ ରହିଥିଲା ବେଳେ ସମ୍ପୃକ୍ତ ଉର୍ଦ୍ଦୁ ଶିକ୍ଷକଙ୍କୁ କାର୍ଯ୍ୟାଳୟ ପକ୍ଷରୁ କିଭଳି ବଦଳି କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି । ସେହିପରି ଏହି ବ୍ଲକ ଅଧିନରେ ୫୦ରୁ ଉଦ୍ଧ୍ୱର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ଅନେକ ସ୍କୁଲରେ ବିଜ୍ଞାନ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ବାଧାପ୍ରାପ୍ତ ଦେଖାଯାଇଛି  । ହେଲେ ଉକ୍ତ ବଦଳି ପ୍ରକିୟାରେ ବଳଭଦ୍ର ନୋଡ଼ାଲ ସ୍କୁଲ ଓ ହରଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ପୂର୍ବରୁ ଜଣେ ଲେଖାଏଁ ବିଜ୍ଞାନ ଶିକ୍ଷକ ରହିଥିବା ବେଳେ ପୁର୍ନବାର ସେହି ବିଦ୍ୟାଳୟକୁ ଆଉ ଜଣେ ଲେଖାଏଁ ବିଜ୍ଞାନ ଶିକ୍ଷକ ଦିଆଯାଇଥିବାରୁ ଏହା ସରକାରୀ ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖାଦେଇଛି । ଏଥିସହିତ ବହୁ ଶିକ୍ଷକ ଗୋଟିଏ ଲେଖାଏଁ ବିଦ୍ୟାଳୟରେ ୨୦ରୁ ୨୫ବର୍ଷ କାଳ ରହିଥିବା ବେଳେ ସେମାନଙ୍କୁ ବଦଳି କରାନଯାଇ ଗତ ୮ମାସ ହେବ ନୂତନ ଭାବେ ଯୋଗ ଦେଇଥିବା ସ୍କେମାଟିକ୍‌ ଶିକ୍ଷକ ମାନଙ୍କୁ ବଦଳି କରାଯାଇଥିବା କେତେଦୂର ସରକାରୀ ନିୟମ କାର୍ଯ୍ୟକାରୀ ହେଇଛି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ବହୁ ବିଦ୍ୟାଳୟରେ ସଠିକ୍‌ ସଂଖ୍ୟକ ଛାତ୍ର ଛାତ୍ରୀ ନଥିବା ବେଳେ ସେଠାରେ ଲେବୁଲ-୩ ଓ ଲେବୁଲ- ୪ ପ୍ରଧାନଶିକ୍ଷକ ରହିଛନ୍ତି ଏପରିକି ଜଣେ ପିଲାଙ୍କ ପାଇଁ ମଧ୍ୟ ଜଣେ ଲେବୁଲ-୪ ପ୍ରଧାନଶିକ୍ଷକ କାର୍ଯ୍ୟ କରୁଥିବା ଦେଖାଯାଇଛି । ପଦବୀ ନଥାଇ ନରୁଆ ମଙ୍ଗଳପୁର ହାଇସ୍କୁଲକୁ ଜଣେ ଲେବୁଲ-୪ ପ୍ରଧାନଶିକ୍ଷକଙ୍କୁ ବଦଳି କରାଯାଇଥିବା ମଧ୍ୟ ସରକାରୀ ନିୟମକୁ ଉଲ୍ଲଙ୍ଗନ କରୁଛି । ଏହିଭଳି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସଠିକ୍‌ ଭାବେ ସରକାରୀ ନୀତି ନିୟମକୁ ଉପଲବ୍ଧି ନକରି ମନଇଚ୍ଛା ଭାବେ ବଦଳି ତାଲିକା କରି ଶିକ୍ଷକମାନଙ୍କୁ ବଦଳି କରିଥିବାରୁ ଏବେ ଶିକ୍ଷାଦାନରେ ବ୍ୟାହତ ସୃଷ୍ଟି ହୋଇଥିବା ଦେଖାଯାଇଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତଦନ୍ତ କରିବା ସହିତ ବଦଳି ପ୍ରକିୟାକୁ ସଠିକ୍‌ ମାର୍ଗରେ ନେବା ପାଇଁ ଦାବି ହୋଇଛି ।