ଘର ସହ ଝିଅକୁ ଜାଳିଦେଲା ବାପା
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡା ଗ୍ରାମପଞ୍ଚାୟତ ବାରସିଂହା ମୁଣ୍ଡା ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ୧୪ ମାସର ଶିଶୁ କନ୍ୟାକୁ ବାପା ଜୀବନ୍ତ ଜାଳି ଦେଇଥିବାବେଳେ ଘରବି ଜଳିଯାଇଛି । ପ୍ରକାଶଥାଉକି ଗ୍ରାମର ଭରତ ସାହୁଙ୍କ ସାନ ପୁଅ ବାବୁଲି ସାହୁ ମଦ୍ୟପାନ କରି ଘରକୁ ଆସିଥିଲା । ମଧ୍ୟାହ୍ନ ସମୟରେ ପନôୀ ସୁଭଦ୍ରାକୁ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହ ମାର ପିଟ କରି ଘରୁ ବାହାର କରିଦେବା ପରେ ନିଜ ଘରକୁ ନିଆଁ ଲଗାଇ ଦେଇଥିଲା । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅର ବୟସ ସାଢେ ୩ ବର୍ଷ ହୋଇଥିବା ବେଳେ ସେ ଘରେ ନଥିବାରୁ ବର୍ତ୍ତି ଯାଇଥିଲେ । ମାତ୍ର ୧୪ ମାସର କନ୍ୟା ସନ୍ତାନ ସେହି ନିଆଁରେ ଜୀବନ୍ତ ଦବ୍ଧ ହୋଇଯାଇଥିଲେ । ଘଟଣାରୁ ପ୍ରକାଶ ଯେ, ମାଡ ଖାଇ ସୁଭଦ୍ରା ପଳେଇବା ସମୟରେ ଝିଅଟି ଘରେ ଶୋଇଥିଲା । ତେଣୁ ଉକ୍ତ ଅଗ୍ନିକାଣ୍ଡରେ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ଘଟଣାରେ ଗ୍ରାମବାସୀ ଓ ଖଜୁରିଆକଟା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ବେଳକୁ ତାଙ୍କର ୨ ବଖରା ପୋଡି ପାଉଁଶ ହେବା ସହ ଘରେ ଶୋଇଥିବା ଝିଅଟି ମଧ୍ୟ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଛି । ଖବରପାଇ ଘଟଣା ସ୍ଥଳରେ ବାଲିମି ଥାନାଧିକାରୀ ସଲିଳ କୁମାର ପ୍ରଧାନ, ଏସଡିପିଓ ସତ୍ୟ କୁମାର ନନ୍ଦ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ । ଘଟଣାରେ ସମ୍ପୃକ୍ତ ଭରତଙ୍କ ସାନ ପୁଅ ବାବୁଲି ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।