ଚରିତ୍ରଗତ ପରିଚୟ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ମଣିଷର ଚରିତ୍ରଗତ ପରିଚୟ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତି କେତେବେଳେ ନା କେତେବେଳେ ନିଜର ରଙ୍ଗ ବଦଳାଇଛନ୍ତି, ବଦଳାଉଥାନ୍ତି । ରଙ୍ଗ ବଦଳାଇବାର ଅର୍ଥ ହେଲା ଚରିତ୍ରଗତ ପରିଚିତିରେ ପରିସ୍ଥିତିକୁ ନେଇ ଏକ ପରିବର୍ତ୍ତନ । ଏ ମୁଖା ପିନ୍ଧିବାକୁ କୁହାଯାଏ ରଙ୍ଗ ବଦଳାଇବା । କେହି କହିପାରନ୍ତି "ମୋ ଦେଇ ସେ ରଙ୍ଗ ବଦଳେଇବା କାମ ହୁଏନି'' ବୋଲି ! କିନ୍ତୁ ବାସ୍ତବତା ହେଲା ସମସ୍ତେ ନିଜ ନିଜ ଅନୁସାରେ ରଙ୍ଗ ବଦଳାନ୍ତି । ଆଉ ଅସଲ କଥାଟି ହେଲା କିଏ, କୋଉ ପ୍ରକାରେ ରଙ୍ଗ ବଦଳାନ୍ତି ସେକଥା କେହି କାହାକୁ କହନ୍ତି ନାହିଁ ।
ବ୍ୟକ୍ତି ଏକ ବ୍ୟକ୍ତିତ୍ୱ ଅନେକ । ବ୍ୟକ୍ତି ସମାନ; କିନ୍ତୁ ବ୍ୟକ୍ତିତ୍ୱ ଭିନ୍ନ । ନିଜ ଚେହେରାରେ ରଙ୍ଗ ବୋଳି କେବଳ କଳାକାରମାନେ ଅଭିନୟ କରନ୍ତି ନାହିଁ । ଜୀବନର ରଙ୍ଗମଞ୍ଚରେ ସମସ୍ତେ ଅଭିନୟ କରନ୍ତି । ସମସ୍ତେ କେଉଁଠା ନା କେଉଁଠି ନିଜର ପ୍ରକୃତ ରୂପ ବା ବ୍ୟକ୍ତିତ୍ୱକୁ ଲୁଚେଇ ରଙ୍ଗ ବଦଳାନ୍ତି ।
କିନ୍ତୁ କିଛି ଲୋକ ଅଛନ୍ତି ସେମାନେ ଆବଶ୍ୟକତାର ରଙ୍ଗ ବଦଳାଇବା ଠାରୁ ପ୍ରବୃତ୍ତିଗତ ଭାବରେ ମିଛ କହିବା ଏବଂ ବ୍ୟକ୍ତିତ୍ୱର ପରିବର୍ତ୍ତନକୁ ଜୀବନର ସାଧାରଣ ଘଟଣା ଭାବରେ ଧରି ନେବାକୁ ଜୀବନଶୈଳୀ ବୋଲି ଭାବନ୍ତି । ଏଭଳି ବ୍ୟକ୍ତିମାନେ କେତେବେଳେ କାହାକୁ କିଭଳି ଭାବରେ ପ୍ରତାରିତ କରିବେ ତାହା କଳନା କରିବା ମଧ୍ୟ ସମ୍ଭବ ନୁହେଁ ।
"ଲୋକଟା ରଙ୍ଗ ବଦଳାଉଛି'' କହିଲେ ଏକ ନକାରାତ୍ମକ ଭାବନାକୁ ପ୍ରଥମେ ହିଁ ଲୋକେ ଗ୍ରହଣ କରନ୍ତି । ରଙ୍ଗ ବଦଳାଇବା ଶବ୍ଦଟି ଏକ ନକାରାତ୍ମକ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କେଉଁଠି ନା କେଉଁଠି ରଙ୍ଗ ବଦଳାଇଥାନ୍ତି ।
ସମସ୍ତେ ବଦଳେଇ ଥାଆନ୍ତି, ହେଲେ ଜଣଙ୍କର ରଙ୍ଗ ଆଉ ଜଣଙ୍କଠୁ ଉଣା ହେଇଗଲେ କହନ୍ତି "ଦେଖୁନ କେମିତି ରଙ୍ଗ ବଦଳଉଛି'' ବୋଲି । ଦୁନିଆକୁ ଦେଖିକି ମଧ୍ୟ ଜୀବନର ରଙ୍ଗ ବଦଳିଯାଏ । ପ୍ରାୟ ମଣିଷଙ୍କ ଆଖିରେ ନିଜ ରୂପ ଛଡା ଆଉ କାହାରି ରୂପ ଯାଏନି ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।