ଓଡ଼ିଶା ସିଙ୍ଗାପୁର ଐତିହାସିକ ରାଜିନାମା
ସୌମ୍ୟସାଇ ସିଦ୍ଧାର୍ଥ
ଓଡ଼ିଶାର ବିକାଶ ବେଗବାନ ହେଉଛି । ନୂଆ ଓଡ଼ିଶା ଗଠନରେ ସରକାର ଅନେକ ରୂପରେଖ ବଦଳାଇ ଆକାଶ ଛୁଅାଁ ଭିତ୍ତିଭୂମି ତିଆରି କରୁଛନ୍ତି । ଗୁଣାତ୍ମକ ବିକାଶ ସହ ଓଡ଼ିଶାର କୁଶଳୀ ମାନବ ସମ୍ବଳର ଉପଯୋଗ କରି ବର୍ଦ୍ଧିତ ଓଡ଼ିଶାର ଯୁବଶକ୍ତିଙ୍କୁ ସ୍ୱାବଲମ୍ବୀ ପାଇଁ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଓଡ଼ିଶାରେ ବିଭିନ୍ନ ସାମଗ୍ରିକ ଉନ୍ନତିକଳ୍ପେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଯାଉଛନ୍ତି ସିଙ୍ଗାପୁରର ନାମୀ ଓ ପ୍ରମୁଖ ସଂସ୍ଥା ଓ ଉଦ୍ୟୋଗୀ ଅନୁଷ୍ଠାନ । ନିକଟରେ ସିଙ୍ଗାପୁରର ରାଷ୍ଟ୍ରପତି ଓଡ଼ିଶା ଗସ୍ତ କରିବା ସମୟରେ ଆଠଟି ଚୁକ୍ତିନାମାରେ ସ୍ୱାକ୍ଷାର କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ସହରାଞ୍ଚଳ ଭିତ୍ତିଭୂମି ବିକାଶ ସହ ନୂତନ ସହର ପ୍ରତିଷ୍ଠା, ସବୁଜ ଶକ୍ତି ଓ ଦକ୍ଷତା ବିକାଶ ସହ ପେଟ୍ରୋକେମିକାଲ ପରି ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ କ୍ଷେତ୍ରରେ ଏହି ଚୁକ୍ତି ଦ୍ୱାରା ଅଗ୍ରଣୀ ଓଡ଼ିଶା ବିଶ୍ୱର ପ୍ରମୁଖ ଓ ଭିତ୍ତିଭୂମି ସୁଦୃଢ଼ ଅଭିବୃଦ୍ଧି ସମ୍ପନ୍ନ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବ । ଓଡ଼ିଶାରେ ବିଶ୍ୱସ୍ତରୀୟ ଓ ଅତ୍ୟାଧୁନିକ ବୈଷୟିକ କୌଶଳଯୁକ୍ତ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ସିଙ୍ଗାପୁରର ସବୁଠାରୁ ଅଗ୍ରଣୀ ଓ ଲୋକପ୍ରିୟ ସଂସ୍ଥା ସେମ୍ବକର୍ପ ଓ ଇଣ୍ଡୋ ମଧ୍ୟରେ ଏମଓୟୁ ହୋଇଛି । ଇପିକଲ ସହିତ ସେମ୍ବକର୍ପର ଚୁକ୍ତିନାମାରେ ପରାଦ୍ୱୀପରେ ଏକ ଗ୍ରୀନ୍ ସିଟି କରିଡ଼ର ଓ ଗ୍ରୀଡ଼ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରାଯିବ । ଯାହାଦ୍ୱାରା ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହୋଇପାରିବ । ଇପିକଲ ଓ ସିଙ୍ଗାପୁରର ସୁଗବନ କୁରଙ୍ଗ ମଧ୍ୟରେ ହୋଇଥିବା ଏମଓୟୁ ଅନୁଯାୟୀ ପାରାଦ୍ୱୀପ ପିସିପିଆଇଆର ଅଞ୍ଚଳର ବିକାଶ ପାଇଁ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଯେଉଁଥିରେ ମୁଖ୍ୟତଃ ଅଣପାରମ୍ପରିକ ଶକ୍ତି ଓ ମୂଲ୍ୟଯୁକ୍ତ ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ଏହାକୁ ଫୋକସରେ ରଖାଯିବ । ସେହିପରି ବିଡ଼ିଏ ଓ ସୁଡ଼ବନ କୁରଙ୍ଗ ମଧ୍ୟରେ ହୋଇଥିବା ଏମଓୟୁ ଅନୁଯାୟୀ ନଗରମାଳିନୀ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ନୂତନ ସହରାଞ୍ଚଳ ସୃଷ୍ଟି ପାଇଁ ଯୋଜନା ରହିଛି । ରାଜ୍ୟର ଶକ୍ତି ବିଭାଗ ଏବେ ଅତ୍ୟନ୍ତ ପ୍ରଭାବୀ ଓ ଦକ୍ଷତାର ସହ କାର୍ଯ୍ୟ କରୁଥିବାବେଳେ ଆଗକୁ ଶିକ୍ଷା ଓ ଯୁବ ବର୍ଗ ନିମିତ୍ତ ଆଇଆଇଟିର ବ୍ୟାପକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ଶକ୍ତି ବିଭାଗ, ଭୁବନେଶ୍ୱର ଆଇଆଇଟି ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲୋଜିର ୟୁନିଭରସିଟି ମଧ୍ୟରେ ତ୍ରିପାଟିକ ଏମଓୟୁ ଦ୍ୱାରା ଆଗାମୀ ଦିନରେ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ପାଇଁ ଗ୍ରୀନ ହାଇଡ୍ରୋଜେନ ଓ ସୌର ଶକ୍ତି ଭଳି ବିକଳ୍ପ ଶକ୍ତି ଉତ୍ପାଦନ ଉପରେ ଫୋକସ କରାଯିବ । ଏଠାରେ ସୂଚନା ରଖୁଛୁ କି ଯେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ଦିଗରେ ସିଙ୍ଗାପୁର ଓ ଓଡ଼ିଶା ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସରକାର ବ୍ୟାପକ ଯୋଜନା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ସମସ୍ତ ଚୁକ୍ତିନାମା କାର୍ଯ୍ୟକାରୀ ହେଲେ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଭିତ୍ତିଭୂମି ବିକାଶ, ଶିଳ୍ପ, ସୂଚନା ପ୍ରଯୁକ୍ତି ଓ ଗବେଷଣା କ୍ଷେତ୍ରରେ ଅଭିବୃଦ୍ଧି ହେବ ।
ଦକ୍ଷତା ବିକାଶ ଦ୍ୱାରା ରାଜ୍ୟକୁ ଭବିଷ୍ୟତ ପାଇଁ ନୂଆ ଦିଶା ପ୍ରସ୍ତୁତ କରିବ । ଏହାର ସୁଫଳ ରାଜ୍ୟର ଶିକ୍ଷାର୍ଥୀ ବର୍ଗ ଓ ସ୍ୱାବଲମ୍ବୀ ପାଇଁ ଶିଳ୍ପ ଅଭିବୃଦ୍ଧିର ସ୍ୱପ୍ନ ଦେଖୁଥିବା ଯୁବ ବର୍ଗମାନେ ଲାଭାନ୍ୱିତ ହେବେ । ନୂଆ ଓଡ଼ିଶାର ବିକାଶ ଓ ପ୍ରଗତି କ୍ଷେତ୍ରରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବୀ ଶାସନ ନିମିତ୍ତ ସଶକ୍ତ ଓ ସୁଦୃଢ଼ ସରକାରଙ୍କ ପାଇଁ ଲୋକପ୍ରିୟତା ବଡ଼ ପୁଞ୍ଜି । ପୂର୍ବ ଭାରତର ବିକାଶରେ ଏବଂ ବିଶ୍ୱ ଅଭିବୃଦ୍ଧି ସମ୍ପନ୍ନ ବିକାଶର ନୂଆ ମାନଚିତ୍ରରେ ଓଡ଼ିଶାର ପାରାଦ୍ୱୀପ ଆଜି ଯେଉଁ ଶିଖରକୁ ଛୁଇଁଛି ତାହା ଆଗାମୀ ପ୍ରଗତିର ନୂଆ ସୂର୍ଯେ୍ୟାଦୟ ଦେଖିବ । ଦୈତାରୀରୁ ଚଣ୍ଡୀଖୋଲ ଦେଇ ପାରାଦ୍ୱୀପକୁ ଛୁଇଁଥିବା ରାସ୍ତାର ଯାହାକୁ ତ୍ୱରିତ ରାଜପଥ କୁହାଯାଏ । ବର୍ତ୍ତମାନ ପ୍ରମୁଖ ବିକାଶ ନିମିତ୍ତ ଯୋଗାଯୋଗର ନୂଆ ପ୍ରଗତି ଯେ କେହି ଦେଖିବାକୁ ପାଇବେ । ଏକ ପ୍ରକାର ଯୁଦ୍ଧକାଳୀନ ଭିତ୍ତିରେ ଦୁଇଥାକିଆ ନୂଆ ରାସ୍ତା ତିଆରି ଯେଉଁପରି ପ୍ରଗତିକୁ ତ୍ୱରାନ୍ୱିତ କରୁଛି ସେଇଥିରୁ ହିଁ ସୁସ୍ପଷ୍ଟ ଆଗାମୀ ଦିନରେ ପାରାଦ୍ୱୀପ ଏକ ପ୍ରମୁଖ ଅଭିବୃଦ୍ଧି ସମ୍ପନ୍ନ ହବ୍ରେ ପରିଣତ ହେବ । ଉଭୟ ସଡ଼କ ପଥ ଓ ଜଳପଥର ଯୋଗାଯୋଗର ପ୍ରମୁଖ କେନ୍ଦ୍ର ହୋଇଥିବାରୁ ଏହା ବିକାଶର ମୁଖ୍ୟ କ୍ଷେତ୍ର ପାଲଟିବ ।
ମୋ: ୯୦୯୦୦୫୧୫୪୩