ଓଡିଶାରେ ନୌକା ନିର୍ମାଣର ଇତିହାସ
ଡ.ରଜତ କାନ୍ତ ଦାଶ : ନୌକା ନିର୍ମାଣର ଇତିହାସ ମଣିଷ ଏବଂ ସମୁଦ୍ର ମଧ୍ୟରେ ସମ୍ପର୍କ ପରି ପୁରୁଣା । ସାଧାରଣତଃ ବିଶ୍ୱାସ କରାଯାଏ ଯେ କୃଷକ ଏବଂ କୁମ୍ଭାରଙ୍କ ପୂର୍ବରୁ ନାବିକ ଥିଲେ । ପ୍ରାୟ ୬୦ ହଜାର ବର୍ଷ ପୂର୍ବେ ସମୁଦ୍ର ଜଳପତନ କମ ଥିବା ସମୟରେ ମନୁଷ୍ୟ ସମୁଦ୍ର ମଧ୍ୟରେ ଯାତ୍ରା କରିଥିଲା ବୋଲି ବିଶ୍ୱାସ କରାଯାଏ । ସେ କାଳରେ ଲୋକମାନେ ଭାସମାନ ଭେଳା ମାଧ୍ୟମରେ ନଦୀ ଏବଂ ସମୁଦ୍ରରେ ଯାତ୍ରା କରୁଥିଲେ । ସଭ୍ୟତାର ପ୍ରତିଷ୍ଠା ସହ ସାମୁଦ୍ରିକ ଯାତ୍ରା, ବାଣିଜ୍ୟ, ମାଛ ଧରା ଏବଂ ଯୁଦ୍ଧ ପାଇଁ ପାରମ୍ପରିକ ଡଙ୍ଗାର ନିର୍ମାଣ ଓ ବ୍ୟବହାର ଆରମ୍ଭ ହୋଇଥିଲା । ଏହା ସ୍ପଷ୍ଟ ଯେ ହରପ୍ପା ଅଧିବାସୀମାନେ ଭାରତୀୟ ଉପମହାଦେଶର ପ୍ରଥମ ନାବିକ ଥିଲେ । ସେମାନଙ୍କର ସୁମେରୀୟ ଏବଂ ମେସୋପୋଟାମୀୟମାନଙ୍କ ସହିତ ବାଣିଜ୍ୟ ସମ୍ପର୍କ ଥିଲା । ହରପ୍ପାରୁ ମିଳିଥିବା ସିଲ, ପାତ୍ର ଏବଂ ଟେରାକୋଟାରେ ଡଙ୍ଗାର ଚିତ୍ରଣରୁ ଏଠାକାର ଅଧିବାସୀମାନେ ଡଙ୍ଗା ନିର୍ମାଣ ଏବଂ ତାର ବ୍ୟବହାର ଜାଣିଥିଲେ ବୋଲି ଜଣାପଡେ ।
ଇତିହାସରୁ ଜଣାପଡେ ଯେ ଭାରତର ପୂର୍ବ ଭାଗରେ ଅବସ୍ଥିତ ଓଡିଶା ପ୍ରାଚୀନ କାଳରୁ ନୌବାଣିଜ୍ୟରେ ଖୁବ ସମୃଦ୍ଧଶାଳୀ ଥିଲା । ଓଡିଶାର ଉପକୂଳ ୪୮୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ବେଳେ ଏଠାରେ ବହୁ ନଦୀ ଏବଂ ନାଳ ପ୍ରବାହିତ ହୁଏ । ତେଣୁ ନଦୀ, ହ୍ରଦ ଏବଂ ନାଳ ମାନଙ୍କରେ ବ୍ୟବହୃତ ନୌକା ଏବଂ ସମୁଦ୍ରରେ ଯାତ୍ରା କରୁଥିବା ନୌକାର ନିର୍ମାଣ ସମ୍ପର୍କରେ ଓଡିଶା ଲୋକ ପ୍ରାଚୀନ କାଳରୁ ଜ୍ଞାତ ଥିଲେ । ତେଣୁ ପ୍ରାଚୀନ କାଳରୁ ଓଡିଶା ନୌବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ ଥିଲା । କଳିଙ୍ଗ ପ୍ରାଚୀନ କାଳରେ ଏକ ନୌବାଣିଜ୍ୟ ଶକ୍ତି ଭାବେ ଖ୍ୟାତି ଅର୍ଜନ କରିଥିଲା । ଧାତୁବଂଶରେ ଲିଖିତ ଅଛି ଯେ ଦନ୍ତପୁର ଠାରୁ ସିଂହଳକୁ ବୃଦ୍ଧଦେବଙ୍କ ଦନ୍ତ ଗୋଟିଏ ବଡ ବୋଇତରେ ନିଆଯାଇଥିଲା । ଦନ୍ତ କୁମାର ଏବଂ ତାଙ୍କ ରାଣୀ ତାମ୍ରଲିପ୍ତ ବନ୍ଦରଠାରୁ ବୋଇତରେ ସିଂହଳକୁ ଯାତ୍ରା କରିଥିଲେ । ଏପରିକି କାଳିଦାସ ରଘୁବଂଶରେ କଳିଙ୍କର ରାଜାଙ୍କୁ ମହୋଦଧିପତି ବା ସମୁଦ୍ରର ପ୍ରଭୁ ବୋଲି ଉଲ୍ଲେଖ କରିଛନ୍ତି । ବୌଦ୍ଧ ଧର୍ମ ଗ୍ରନ୍ଥ ଆର୍ଯ୍ୟମଞ୍ଜୁ ଶ୍ରୀକଳ୍ପ କଳିଙ୍ଗ ସମୁଦ୍ରର ସମସ୍ତ ଦ୍ୱୀପପୁଞ୍ଜକ କଳିଙ୍ଗୋଦେସୁ କୁହାଯାଇଛି । ବଙ୍ଗୋପସାଗର ଦିନେ କଳିଙ୍ଗ ସମୁଦ୍ର ଭାବରେ ଜଣାଶୁଣା ଥିଲା ଓ ଏଥିରେ ବହୁ ସଂଖ୍ୟାର କଳିଙ୍ଗ ଜାହାଜମାନ ଯାତାୟତ କରୁଥିଲେ । ଚତୁ୍ର୍ଦ୍ଦଶ ଶତାବ୍ଦୀର ଚୀନ ପରିବ୍ରାଜକ ଫାହିୟାନଙ୍କ ବର୍ଣ୍ଣନା ଅନୁସାରେ କଳିଙ୍ଗ ନିକଟରେ ଥରକେ ୨୦୦ ଲୋକଙ୍କୁ ପରିବହନ କରିବାର କ୍ଷମତା ରଖିଥିବା ଉଚ୍ଚ଼ ମାସ୍ତୁଲ ଏବଂ ପାଲର ଅନେକ ଜାହାଜ ଥିଲା । ତାଙ୍କ ବର୍ଣ୍ଣନା ଅନୁସାରେ ବଡ ଅଗ୍ରଣୀ ଜାହାଜ ସହ ଏକ ଛୋଟ ଡଙ୍ଗା ସଂଲଗ୍ନ ରହୁଥିଲା । ବଡ ଜାହାଜରେ ଦୁର୍ଘଟଣା ଘଟିଲେ ଛୋଟ ଡଙ୍ଗାଟିକୁ ଜୀବନ ରକ୍ଷକ ଡଙ୍ଗା ଭାବେ ବ୍ୟବହାର କରାଯାଉଥିଲା ।
ସେହିପରି ଏକାଦଶ ଶତାବ୍ଦୀରେ ରାଜା ଭୋଜଙ୍କ ଦ୍ୱାରା ଲିଖିତ ୟୁକ୍ତିକଳ୍ପତରୁରେ ସମୁଦ୍ର ଯାତ୍ରା ପାଇଁ ଥିବା ଓଡିଶାରେ ବିଶେଷ ଜାହାଜର ନାମ ଭାବେ ପ୍ଲାଭା, ବାରିରଥ, ତାରନ୍ଧୁହ, ଭେଲାକ, ନୂଆହ ଓ ବାହନ ଆଦି ଉଲ୍ଲେଖ କରାଯାଇଛି । ଯାଜପୁରର ରତ୍ନଗିରି ମହାବିହାର (ଅଷ୍ଟମରୁ ନବମ ଶତାବ୍ଦୀ), ଭୁବନେଶ୍ୱରର ବହ୍ମେଶ୍ୱର ମନ୍ଦିର (ଦଶମ ଶତାବ୍ଦୀ), ପୁରୀର ଜଗନ୍ନାଥ ମନ୍ଦିର (ଦ୍ୱାଦଶ ଶତାବ୍ଦୀ), କୋଣାର୍କର ସୂର୍ଯ୍ୟ ମନ୍ଦିର (ତ୍ରୟୋଦଶ ଶତାବ୍ଦୀ), ଭଦ୍ରକ ଜିଲାର ସୁଭାଡିଆ (ଚତୁର୍ଦ୍ଦଶରୁ ପଞ୍ଚଦଶ ଶତାବ୍ଦୀ), ବାଲେଶ୍ୱର ଜିଲା ଅଯୋଧ୍ୟାର ମାରିମ ମନ୍ଦିର (ପଞ୍ଚଦଶ ଶତାବ୍ଦୀ), ମୟୁରଭଞ୍ଜ ଜିଲା ଦେଓଧକୁଣ୍ଡର ଜଗନ୍ନାଥ ମନ୍ଦିର (ଉନବିଂଶ ଏବଂ ବିଂଶ ଶତାବ୍ଦୀ)ରେ ନୌକା ଏବଂ ବୋଇତର ଚିତ୍ରଣ ରହିଛି । ଓଡିଶାରେ ନୌକାର ପ୍ରାରମ୍ଭିକ ଚିତ୍ରଣ ଦଶମ ଶତାବ୍ଦୀରେ ନିର୍ମିତ ବ୍ରହ୍ମେଶ୍ୱର ମନ୍ଦିରରେ ଦେଖିବାକୁ ମିଳେ । ଏହି ମନ୍ଦିରର ଏକ ମୂର୍ତ୍ତିରେ ଏକ ବୋଇତରେ ହାତୀ ବୋହି ନିଆଯାଉଥିବାର ଚିତ୍ର ରହିଛି । ଏହି ଅଂଶଟି ଏବେ ଭୁବନେଶ୍ୱରସ୍ଥିତ ଓଡିଶା ରାଜ୍ୟ ସଂଗ୍ରହାଳାୟରେ ଅଛି । ଦ୍ୱାଦଶ ଶତାବ୍ଦୀର ପୁରୀ ଜଗନ୍ନାଥ ମନ୍ଦିରର ଭୋଗମଣ୍ଡପରେ ଏକ ନୌକାର ଚିତ୍ର ରହିଛି । କୋଣାର୍କ ମନ୍ଦିର ଜଗମୋହନର ପାରାପେଟରେ ମିଳିଥିବା ତ୍ରୟୋଦଶ ଶତାବ୍ଦୀର ଏକ ମୂର୍ତ୍ତିରେ ମାର୍ତ୍ତଣ୍ଡ-ଭୈରବମାନଙ୍କୁ ଡଙ୍ଗାରେ ନୃତ୍ୟ କରୁଥିବା ଦେଖାଯାଇଛି । କଲିକତାସ୍ଥିତ ଭାରତୀୟ ମ୍ୟୁଜିୟମରେ ସଂରକ୍ଷିତ ଥିବା କୋଣାର୍କର ଏକ ମୂର୍ତ୍ତିରେ ୪ ଜଣ ବ୍ୟକ୍ତି ଏ ଡଙ୍ଗା ଚଲାଉଥିବା ଚିତ୍ରଣ କରାଯାଇଛି । ଏହି ଡଙ୍ଗାରେ ଜଣେ ରାଜାକୀୟ ବ୍ୟକ୍ତି ବସିଥିବାବେଳେ ଡଙ୍ଗାରେ ଏକ ହାତୀ ଥିବା ଦେଖିବାକୁ ମିଳେ ।
ସେହିପରି ଲଣ୍ଡନର ଭିକ୍ଟୋରିଆ ଏବଂ ଆଲବର୍ଟ ସଂଗ୍ରହାଳୟରେ ଓଡିଶାରୁ ନେଇ ରଖାଯାଇଥିବା ଏକ ମୂର୍ତ୍ତିରେ ସମାନ ପ୍ରକାରର ଚିତ୍ର ଦେଖିବାକୁ ମିଳେ । ଓଡିଆ ସାହତ୍ୟରେ ବିଭିନ୍ନ ପାରମ୍ପରିକ ନୌକା ଯଥା, ଡଙ୍ଗା, କାଠୁଆ, ସାପେଇ, ସାପୁଆ, ଡେଙ୍ଗୀ, ଟେପା, କାଟାମାରାନ, ମାସୁଳ, ଭେଳା, ପୋତ, ଚାପ, ପାଟୁଆ, କୁସଳୀ, କୋଶଳ, ସାବାଡୋ, ପଟିଆ, ସଲଟି, ମଲାଙ୍ଗି, ହୋଳା ଏବଂ ପାଢୁଆର ଉଲ୍ଲେଖ ମିଳିଥାଏ । ଭୋଜରାଜାଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଲିଖିତ ଯୁକ୍ତିକଳ୍ପତରୁ ବା ବୃକ୍ଷଆୟୁର୍ବେଦ ପୁସ୍ତକରେ ଓଡିଶାରେ ନୌକା ଏବଂ ପୋତ ନିର୍ମାଣ ସମ୍ପର୍କିତ ତଥ୍ୟ ମିଳିଥାଏ । ଏହି ପୁସ୍ତକକୁ ଆଧାର କରି ରାଧାମୁକୁନ୍ଦ ଇଂରାଜୀ ଭାଷାରେ ଭାରତୀୟ ଅର୍ଣ୍ଣବପୋତ ନାମକ ଏକ ପୁସ୍ତକ ରଚନା କରିଛନ୍ତି । ଯୁକ୍ତିକଳ୍ପତରୁ ଗ୍ରନ୍ଥରେ ନୌକାକୁ ୨ ପ୍ରକାର ଯଥା ୧. ସାମାନ୍ୟ ଓ ୨. ବିଶେଷ ବା ଅର୍ଣ୍ଣବପୋତ ବା ବୋଇତ ଭାବେ ବର୍ଣ୍ଣନା କରାଯାିଛି । ସାମାନ୍ୟ ନୌକାକୁ ନିର୍ମାଣ ଅନୁଯାୟୀ ୧୦ ପ୍ରକାରରେ ବିଭକ୍ତ କରାଯାଇଛି ଯଥା, ୧. କ୍ଷୁଦ୍ର, ୨. ମଧ୍ୟମ, ୩. ଭୀମ, ୪. ଚପଳ, ୫. ପତଳା, ୬. ଦୀର୍ଘ, ୭. ଭୟ, ୮. ପାତ୍ରପୁତ, ୯. ଗର୍ଭ, ୧୦. ମନ୍ଥରା । ଦ୍ୱିତୀୟ ପ୍ରକାର ନୌକାକୁ ବିଶେଷ ଶ୍ରେଣୀୟ ନୌକା ବା ସମୁଦ୍ର ଯାତ୍ରା ଉପଯୋଗୀ ନୌକା କୁହାଯାଏ । ସମୁଦ୍ର ପାଇଁ ନିର୍ମିତ ବିଶେଷ ବା ଅର୍ଣ୍ଣବପୋତ ନୌକାକୁ ୨ ଭାଗରେ ବିଭକ୍ତ କରାଯାଇଛି ଯଥା ୧. ଦୀର୍ଘ, ୨. ଉନ୍ନତ । ଦୀର୍ଘକୁ ୧୧ ପ୍ରକାର ବୋଇତ ଯଥା, ଦୀର୍ଘ, ଦୀର୍ଘିକା, ତରଣୀ, ଲୋଳା, ଚଟୱାରା, ଗାମିନୀ, ତରୀ, ଜଙ୍ଘଳି, ପ୍ଲାବିନୀ, ଧରଣୀ ଏବଂ ବେଗିନୀ କୁହାଯାଉଥିଲା ବେଳେ ଉନ୍ନତ ନୌକାକୁ ଊର୍ଦ୍ଧ୍ୱ, ଅନୂର୍ଦ୍ଧ୍ୱ, ସୁବର୍ଣ୍ଣମୁଖୀ, ଗର୍ଭିଣୀ ଏବଂ ମନ୍ଥରା ଆଦି ୫ ପ୍ରକାରରେ ବିଭକ୍ତ କରାଯାଇଥିଲା । ସେ କାଳରେ ଜାହାଜମାନଙ୍କୁ ସଜାଇବା ଏବଂ ନାନାପ୍ରକାରର ଜିନିଷ ଦେଇ ଯାତ୍ରୀମାନଙ୍କ ସ୍ୱଚ୍ଛନ୍ଦତା ବୃଦ୍ଧି କରିବାର ବିଧାନ ଥିଲା । ନୌକାକୁ ସଜାଇବା ପାଇଁ ସୁନା, ରୁପା, ତମ୍ବା ଓ ଏହି ତିନି ଧାରତୁରେ ମିଶ୍ରିତ ଧାତୁର ବ୍ୟବହାର କରାଯାଏ ।
ସେ ସମୟରେ ନୌକାକୁ ୪ ପ୍ରକାରର ରଙ୍ଗ ଦିଆ ଯାଉଥିଲା । ୧. ଚାରି ମାସ୍ତଲ ବିଶିଷ୍ଟ ଜାହାଜ (ଶ୍ୱେ୍ୱତ ବର୍ଣ୍ଣ), ୨. ତିନି ମାସ୍ତଲବିଶିଷ୍ଟ ଜାହାଜ (ରକ୍ତ ବର୍ଣ୍ଣ), ୩. ଦୁଇ ମାସ୍ତଲ ବିଶିଷ୍ଟ ଜାହାଜ (ପୀତ ବର୍ଣ୍ଣ), ୪. ଏକ ମାସ୍ତଲ ବିଶିଷ୍ଟ ଜାହାଜ (ନୀଳ ବର୍ଣ୍ଣ) । ହାଜାର ମୁଖ ନାନା ପ୍ରକାରର ଆକୃତି ବିଶିଷ୍ଟ ହେଉଥିଲା । ଏ ଜାହାଜଗୁଡିକର ଉପରେ କୋଠରୀମାନ ଥିଲା । କୋଠରୀ ଥିବା ଜାହାଜକୁ ୩ ପ୍ରକାରର ଭାଗ କରାଯାଇଛି ଯଥା, ୧. ସର୍ବ ମନ୍ଦିର, ୨. ମଧ୍ୟ ମନ୍ଦିର, ୩. ଅଗ୍ର ମନ୍ଦିର । ସର୍ବ ମନ୍ଦିର ଜାହାଜରେ ରାଜକୋଷ, ଅଶ୍ୱ ଓ ସ୍ତ୍ରୀମାନେ ଯାତାୟତ କରୁଥିଲେ । ମଧ୍ୟ ମନ୍ଦିର ଜାହାଜରେ ରାଜାମାନେ ବିଶେଷତଃ ବର୍ଷା କାଳରେ ଯାତାୟତ କରୁଥିଲେ । ଅଗ୍ର ମନ୍ଦିର ଜାହାଜ ବିଶେଷ ଭାବେ ଯୁଦ୍ଧରେ ବ୍ୟବହୃତ ହେଉଥିଲା ବେଳେ ଏଥିରେ ଲୋକମାନେ ଗ୍ରୀଷ୍ମ ଓ ଶୀତ ସମୟରେ ଯାତାୟତ କରୁଥିଲେ । ପାଲ୍ଲୀ ସାହିତ୍ୟ, ରାଜାବଲ୍ୟା, ଜନକ, ଜାତକ, ବାଳହସ ଜାତକ, ସମୁଦ୍ର ବଣିକ ଜାତକ, ଶଙ୍ଖ ଜାତକ, ଧାତୁବଂଶ ଆଦି ବୌଦ୍ଧଗ୍ରନ୍ଥରେ ଏହି ବୋଇତ ଗୁଡିକ ବିଷୟରେ ଉଲ୍ଲେଖ ରହିଛି । ତେବେ ଓଡିଶାରେ ନୌକା ନିର୍ମାଣ ସମ୍ପର୍କରେ ପ୍ରାଚୀନ ପୁସ୍ତକଗୁଡିକ ଆଲୋକପାତ କରିଥାନ୍ତି । ତ୍ରିକାଣ୍ଡ ଶେଷ ପୁରୁଷୋତ୍ତମଦେବ ଶବ୍ଦକୋଷରେ ଓଡିଶାର ନଦୀଗୁଡିକରେ ଚଳାଚଳ କରୁଥିବା ଡଙ୍ଗାଗୁଡିକ ସମ୍ପର୍କେରେ ଉଲ୍ଲେଖ କରାଯାଇଛି ।
ସାରଳା ଦାସଙ୍କ ଓଡିଆ ମହାଭାରତ, ନରସିଂହ ସେନଙ୍କ ପରିମଳ କାବ୍ୟ, ୟଶୋବନ୍ତ ଦାସଙ୍କ ଟିକା ଗୋବିନ୍ଦ ଚନ୍ଦ୍ର, ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ, ଦୀନକୃଷ୍ଣ ଦାସଙ୍କ ରାସ କଲ୍ଲୋଳ ଆଦିରେ ନୌକା, ନାହ, ବୋଇତ, ସାଧବ, ମଙ୍ଗ, ନାବିକ ଆଦି ଶବ୍ଦର ବ୍ୟବହାର କରାଯାଇଛି । ଦୀନକୃଷ୍ଣ ଦାସଙ୍କ ପ୍ରସ୍ତବସିନ୍ଧୁରେ ବିଭିନ୍ନ ପ୍ରକାର ଡଙ୍ଗା ନିର୍ମାଣ ଏବଂ ସେମାନଙ୍କର ବହନ କ୍ଷମତା ବିଷୟରେ ବର୍ଣ୍ଣନା କରାଯାଇଛି । କବିସମ୍ରାଟ ଉପେନ୍ଦ ଭଞ୍ଜ ପ୍ରେମ ସୁଧାନିଧିରେ ଆନନ୍ଦ ଏବଂ ମନୋରଞ୍ଜନ ଯାତ୍ରା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ଡଙ୍ଗା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଭୁବନେଶ୍ୱର ଜୟଦେବ ସଂଗ୍ରହାଳୟରେ ଥିବା ଚାରୋଟି ତାଳପତ୍ର ପାଣ୍ଡୁଲିପିରେ ଡଙ୍ଗାର ଚିତ୍ର ରହିଛି । ସପ୍ତଦଶ ଶତାବ୍ଦୀରେ କହ୍ନାଇ ଚମ୍ପତ୍ତିରାୟଙ୍କ ଦ୍ୱାରା ପାଇକଙ୍କ ଯୁଦ୍ଧ ପରମ୍ପରା ଉପରେ ଲିଖିତ ପାଇକ ଖେଡାରେ ଓଡିଆ ନୌସେନାର ବ୍ୟବହୃତ ଲାଞ୍ଜୁଆ, ରାଜପୁରା, ଚତୁରୀ ଏବଂ ନଦିଆ ଭଳି ୯ଟି ଯୁଦ୍ଧ ଜାହାଜ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଐତିହାସିକ ଆର.ଡି ବାନାର୍ଜୀ ଉଲ୍ଲେଖ କରିଛନ୍ତି ଯେ ସମୁଦ୍ରରେ ବାଣିଜ୍ୟ ଜାହାଜଗୁଡିକୁ ସୁରକ୍ଷା ଦେବା ପାଇଁ କଳିଙ୍ଗର ଏକ ନୌସେନା ବାହିନୀ ଥିଲା । ଏହି ଯୁଦ୍ଧ ଜାହାଜଗୁଡିକ ହାତୀ ଭଳି ବିଶାଳ ପ୍ରାଣୀ ସମେତ ଅନେକ ସାମଗ୍ରୀ ନେଇ ଅନ୍ୟ ଦେଶକୁ ଯାତ୍ରା କରୁଥିଲା । ପୁରୀ ଜିଲାର କାକଟପୁର ନିକଟବର୍ତ୍ତୀ ଦେଉଳୀ ମଠ ନିକଟରେ ବୋଇତ କୁଦ ନାମରେ ଗୋଟିଏ ଉଚ୍ଚ଼ ବାଲିସ୍ତୁପ ଅଛି । ସମ୍ଭବତଃ ପ୍ରାଚୀନ କାଳରେ ଏଠାରେ ବୋଇତ ଆସି ରହୁଥିଲା । ଓଡିଶା ଉକପକୂଳରେ ତାମଲୁକଠାରୁ ଆରମ୍ଭ କରି ଚିଲିକା ପର୍ଯ୍ୟନ୍ତ ଅନେକ ବନ୍ଦର ଥିଲା । ସୁବର୍ଣ୍ଣରେଖା, ନରେଖା, ସାରଗୋ, ଛଳୁୟା, ବଲେଶ୍ୱର, ଲୋଚନପୁର, ଚଡାମନ, ଧାମରା ପ୍ରଭୁତି ଓଡିଶା ଉପକୂଳରେ ପ୍ରଧାନ ବନ୍ଦର ଥିଲା ।
ସେହପରି ଚିଲିକା ନିକଟରେ ଦୀପ ଆଡିଆ ପାହାଡ ଅଛି । ଏଠାରେ ଦୀପ ଲାଗିଲେ ସମୁଦ୍ରରେ ଯାତାୟାତ କରୁଥିବା ଜାହାଜକୁ ରାତ୍ରରେ ଦେଖା ଯାଉଥିଲା । ମଧ୍ୟଯୁଗରେ ବାଲେଶ୍ୱର ଏବଂ ହରିସପୁର ଜାହାଜ ନିର୍ମାଣ ଏବଂ ମରାମତି ପାଇଁ ପ୍ରସିଦ୍ଧ ଥିଲେ । ସପ୍ତଦଶ ଶତାବ୍ଦୀରେ ୱିଲିୟମ ବ୍ରୁଟନ ନାମକ ଜଣେ ଇଂରେଜ ବାଲେଶ୍ୱରରେ ଜାହାଜ ନିର୍ମାଣ ଏବଂ ମରାମତି ହେଉଥିବା ବର୍ଣ୍ଣନା କରିଛନ୍ତି । ଏପରିକି ବାଲେଶ୍ୱରରେ ଥୋମାସ ନାମକ ଏକ ବ୍ରଟିଶ ଜାହାଜ ମରାମତି କରାଯାଇଥିବା ଉଲ୍ଲେଖ କରାଯାଇଛି । ସମୁଦ୍ର କୂଳରେ ଥିବାରୁ ଓଡିଶା ପ୍ରାଚୀନ କାଳରୁ ସମୁଦ୍ର ପଥରେ ବାହାର ଦେଶମାନଙ୍କ ସହିତ ବାଣିଜ୍ୟ ସମ୍ପର୍କ ରଖି ଆସିଛି । ଦୁର୍ଭାଗ୍ୟବଶତଃ ସମୁଦ୍ରରେ ବାଣିଜ୍ୟ କରୁଥିବା ଓଡିଆ ବଣିକମାନେ ଏନେଇ କିଛି ତଥ୍ୟ ଛାଡି ଯାଇନାହାନ୍ତି । ତଥାପି ଆମେ ବିଭିନ୍ନ ଉତ୍ସରୁ ସେମାନଙ୍କ ଯାତ୍ରାର ଝଲକ ପାଇଥାଉ । ଦୂର ଦେଶକୁ ସେମାନଙ୍କ ଯାତ୍ରାର ସ୍ମୃତ ଆଜି ପର୍ଯ୍ୟନ୍ତ ସଂରକ୍ଷିତ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ ଏବଂ ପୋଖରୀରେ କାଗଜ ଏବଂ କଦଳୀ ପାଟୁଆ ଡଙ୍ଗା ଭସାଇ ସେମାନଙ୍କୁ ଓଡିଶାବାସୀ ମନେପକାଇ ଆସୁଛନ୍ତି ।
ଅଧ୍ୟାପକ, ଇତିହାସ ବିଭାଗ
ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ, ଯାଜପୁର
ଫୋନ ନମ୍ବର: ୯୪୩୯୮୧୮୬୧୯