ପଦ୍ମଶ୍ରୀ ଡଃ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ‘ଜୀବନାନୁଭୂତି’
ସରିତା ମହାନ୍ତି : ମୁଁ ସମସ୍ତଙ୍କୁ ବହୁତ୍ ଭଲପାଏ । ଯେଉଁମାନଙ୍କ ସହିତ ପରିଚିତ, ଯେଉଁମାନଙ୍କୁ ମୁଁ ଜାଣିନାହିଁ କିନ୍ତୁ ସେମାନେ ମୋତେ ଜାଣନ୍ତି, ଚିହ୍ନିଛନ୍ତି ସେମାନେ ମଧ୍ୟ ମୋର ଅତିଆପଣାର । ମୋର ବଡ଼ ଭାଗ୍ୟ ମୁଁ ଢେ଼ଙ୍କାନାଳ ମାଟିରେ ଜନ୍ମ ନେଇଛି । ମୋ ପ୍ରାଣ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ମୋର ମନ, ପ୍ରାଣ, ହୃଦୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି ।” -ଏମିତି କଥା ଶୁଣିଲା ବେଳକୁ ଭାବବିହ୍ୱଳ ହୋଇଯାଉଥାଏ ମନ । ପବନ ପୁତ୍ର ହନୁମାନ ନିଜ ଛାତି ଚିରି ରାମସୀତାଙ୍କ ପ୍ରତି ନିଜ ଭକ୍ତି ପାଇଁ ଯୁଗେ ଯୁଗେ ଅମର । ଆଉ ଏ ଯୁଗରେ ଆମ ଗହଣରେ ଥାଇ ନିଜକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମର୍ପିଦେଇ ନିଜ ସାରସତ୍ୱ ସାଧନାରେ ନିମଗ୍ନ ରହିଥିବା ମହାନ୍ ବ୍ୟକ୍ତିତ୍ୱ ହେଉଛନ୍ତି ଢେ଼ଙ୍କାନାଳ ମାଟିର ବରପୁତ୍ର ପଦ୍ମଶ୍ରୀ ଡଃ ଅନ୍ତର୍ଯ୍ୟାମୀ ମିଶ୍ର । ସ୍ୱାଧୀନ ଭାବରେ ଯାତାୟାତକ୍ଷମ ନ ହେଲେ ମଧ୍ୟ ସକଳ ସ୍ଥାନକୁ ଯିବା ଓ ବହୁ ଜ୍ଞାନୀ ଗୁଣୀଙ୍କର ସାକ୍ଷାତ କେବଳ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ସମ୍ଭବ ହୋଇଛି ବୋଲି ତାଙ୍କ ମୁଖରୁ ଶୁଣିବାକୁ ମିଳେ । ବେଦ, ବେଦାନ୍ତ, ଗୀତା, ଭାଗବତ ଓ ରାମାୟଣ ପରି ପରମଗ୍ରନ୍ଥ ସମୂହକୁ ଲୋକ ଚରିତ୍ର ଗଠନର ଉପାଦେୟ ଗ୍ରନ୍ଥ ସ୍ୱରୂପରେ ପ୍ରତିପାଦନ କରିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର । ଶ୍ରୀ ଜଗନ୍ନାଥ ଚେତନା ଅନ୍ୱେଷଣ ଓ ଅନୁଶୀଳନରେ ବ୍ରତୀ ହୋଇ ତାଙ୍କ ରୂପ, ଲୀଳା, ଧାମ, ତତ୍ତ୍ୱ ଓ ଦର୍ଶନର ସ୍ୱାତନ୍ତ୍ର୍ୟ , ବୈଶିଷ୍ଟ୍ୟ, ବୈଚିତ୍ର୍ୟ ଓ ମହତ୍ତ୍ୱର ବହୁ ଅନାଲୋଚିତ ତଥ୍ୟ ଓ ତତ୍ତ୍ୱ ଲୋକଲୋଚନକୁ ଆଣିଛନ୍ତି । ଦୀର୍ଘ ପଚାଶ ବର୍ଷ ଧରି ଓଡ଼ିଆ ଭାଷାର ଗବେଷଣାରେ ନିଜକୁ ନିମଗ୍ନ ରଖିଛନ୍ତି । ନିକଟ ଅତୀତ ଅଗଷ୍ଟ ୧୫ , ୨୦୨୫ ରିଖରେ କଟକର ଶତାବ୍ଦୀ ଭବନଠାରେ ପାଠକାର୍ପଣ ହୋଇଥିବା ‘ଜୀବନାନୁଭୂତି ' ଗ୍ରନ୍ଥଟିକୁ ତାଙ୍କର ଅଗଣିତ ପାଠକ ପାଠିକା ଓ ଶ୍ରୋତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସର୍ବମୋଟ ଏକଶତଟି ପ୍ରବନ୍ଧ ଏହି ବହିରେ ସ୍ଥାନିତ । ପ୍ରବନ୍ଧ ଗୁଡ଼ିକ କ୍ରମାନ୍ୱୟରେ ପ୍ରତି ରବିବାର ‘ସୂର୍ଯ୍ୟପ୍ରଭା ' ଦୈନିକ ଖବରକାଗଜରେ ସାପ୍ତାହିକ ସ୍ତମ୍ଭ ଆକାରରେ ଗତ ଦୁଇବର୍ଷ ଧରି ନିୟମିତ ପ୍ରକାଶିତ ହୋଇଥିଲା ଓ ବହୁଳ ପାଠକୀୟ ଆଦୃତି ଲାଭ କରିଥିଲା । ବହିଟିର ଶୀର୍ଷକ ‘ଜୀବନାନୁଭୂତି ' - ବାସ୍ତବରେ ସମ୍ୟକ୍ ଆତ୍ମଜୀବନୀ ଓ ବିସ୍ତୃତ ଭାବରେ ପ୍ରଜ୍ଞାଦୀପ୍ତ ପ୍ରସଙ୍ଗ ଭିତ୍ତିକ ଆଲୋଚନା । ପ୍ରସଙ୍ଗକ୍ରମେ ନିଜର ଜନ୍ମ, ଶିକ୍ଷା, ପାରିବାରିକ ଜୀବନ, ସମ୍ବନ୍ଧରେ ସାମାନ୍ୟ ସୂଚନା ଥିବାବେଳେ ଓଡିଶା ସମେତ ସମଗ୍ର ଭାରତବର୍ଷରେ ବୁଲି ଅଗଣିତ ସାଧୁ, ସନ୍ଥ, ମହାତ୍ମା, ବିଜ୍ଞ, ପ୍ରାଜ୍ଞ, ଗବେଷକ, ଦାର୍ଶନିକ, ସାହିତ୍ୟିକ ଓ କବିକୋବିଦଙ୍କଠାରୁ ଲାଭ କରିଥିବା ସାନ୍ନିଧ୍ୟ ଓ ଅନୁଭୂତି ଏଥିରେ ପ୍ରକାଶ କରିଛନ୍ତି । ଲେଖକଙ୍କ ଜୀବନର ସାଧନସିଦ୍ଧ ଅନୁଭୂତି ମାଳା ହେଉଛି ‘ଜୀବନାନୁଭୂତି ' । ଲେଖକ ପଦ୍ମଶ୍ରୀ ଡଃ ଅନ୍ତର୍ଯ୍ୟାମୀ ମିଶ୍ର ବହୁମୁଖୀ ଅସାଧାରଣ ପ୍ରତିଭାର ଅଧିକାରୀ । ଓଡ଼ିଆ ଭାଷା ସାହିତ୍ୟ ଜଗତର ଏକ ସ୍ଫର୍ଦ୍ଧିତ ଉଚ୍ଚ଼ାରଣ । ଏହି ଆଧ୍ୟାତ୍ମିକ ଓ ସାରସ୍ୱତ ସାଧକ ଏକାଧାରାରେ ଜଣେ ପ୍ରତିଷ୍ଠିତ ସ୍ତମ୍ଭକାର, ପ୍ରାଚ୍ୟ ବିଦ୍ୟା ଗବେଷକ, ଭାଷାତତ୍ତ୍ୱର ଗବେଷଣା ବିଷାରଦ, ବେଦବେଦାନ୍ତ ପୁରାଣଶାସ୍ତ୍ରର ଆଧ୍ୟାତ୍ମିକ ପ୍ରବକ୍ତା, ତନ୍ତ୍ର ଜ୍ୟୋତିଷ, ବାସ୍ତୁ ଇତ୍ୟାଦି ବିଷୟରେ ପ୍ରଥିତଯଶା ବ୍ୟକ୍ତିତ୍ୱ ଅଟନ୍ତି ।
ଗ୍ରନ୍ଥର ପ୍ରାରମ୍ଭରେ ସେ ତାଙ୍କ ଜନ୍ମ ମାଟି ମାର୍ଥାପୁର ଗାଁର ଓଡ଼ିଶାରେ ଭୌଗୋଳିକ ସ୍ଥିତିକୁ ଅତି ସୁନ୍ଦର ଭାବରେ ବର୍ଣନା କରିଛନ୍ତି । ଗ୍ରାମର ଇଷ୍ଟ ଦେବତା ଶ୍ରୀ ବାଲୁଙ୍କେଶ୍ୱରଙ୍କ ଠାରୁ ଆରମ୍ଭ କରି ସମସ୍ତ ଦେବାଦେବୀ, ସେମାନଙ୍କ ଯାନି ଯାତ୍ରା ପର୍ବପର୍ବାଣି, ବିଭିନ୍ନ ଶତାବ୍ଦୀରେ ବ୍ରାହ୍ମଣୀ କିପରି ଦଶାର୍ଣ୍ଣ, ଶଙ୍ଖଜ୍ୟୋତି, ବ୍ରାହ୍ମୀ, ବ୍ରାହ୍ମଣୀ ନାମିତ ହୋଇଛି ତାହା ବର୍ଣ୍ଣନା କରିଛନ୍ତି । କାଶୀ ବା ବାରାଣସୀ ନଗରର ପୂର୍ବ ଦିଗରେ ଗଙ୍ଗା ନଦୀ ପ୍ରବାହିତ । ତଦନୁରୂପ ମାର୍ଥାପୁର ଶାସନର ପୂର୍ବଦିଗରେ ନବଧା ଗଙ୍ଗା ସ୍ୱରୂପୀ ବ୍ରାହ୍ମଣୀ ପ୍ରବାହିତ । ବାରାଣସୀ ସଦୃଶ ମାର୍ଥାପୁର ଶାସନ ମଧ୍ୟ ଅନ୍ୟତମ ବିଦ୍ୟାନଗରୀ । ବେଦ ଭାଷ୍ୟକାର ସ୍କନ୍ଦସ୍ୱାମୀ ମହାରଥାପୁର ( ମାର୍ଥାପୁର) ଗ୍ରାମର ଦାନଗ୍ରାହୀ ଓ ପ୍ରତିଷ୍ଠାତା । ସେ ସମୟରୁ ସେହି ଗ୍ରାମର ବିଦ୍ୱାନ ମଣ୍ଡଳୀ ନିଜର ପ୍ରଜ୍ଞାଦୀପ୍ତ ପ୍ରତିଭାରେ ଗ୍ରାମର ଗୌରବ ବୃଦ୍ଧି କରିଛନ୍ତି । ଲେଖକଙ୍କର ବିଭୁକୃପାଲବ୍ଧ ଜନ୍ମ, ବାଲ୍ୟାବସ୍ଥାରୁ ସଂସ୍କାର, ଶିକ୍ଷା ଗ୍ରହଣ ଓ ସାଧୁସନ୍ଥ ମାନଙ୍କର ସାନ୍ନିଧ୍ୟ ଲାଭ କଥା ପ୍ରସଙ୍ଗ କ୍ରମେ ବର୍ଣ୍ଣିତ । ନିଜ ଉପନୟନ ସହିତ ତାଙ୍କ ପିତାଙ୍କର ଆଧ୍ୟାତ୍ମିକତା, ସାମାଜିକ ଦୃଷ୍ଟିଭଙ୍ଗୀ ଓ ସ୍ୱାଧୀନତା ସଂଗ୍ରାମ ଜୀବନକୁ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରି ଏହା ତାଙ୍କ ଭବିଷ୍ୟତ ଜୀବନରେ କିପରି ସୁଦୂର ପ୍ରସାରୀ ପ୍ରଭାବ ପକାଇଥିଲା ତାହା ମଧ୍ୟ ବ୍ୟାଖ୍ୟା କରିଛନ୍ତି । ତାଙ୍କ ପିତା ସ୍ୱର୍ଗୀୟ ସତ୍ୟବାଦୀ ମିଶ୍ରଙ୍କ ଆଦର୍ଶ ଜୀବନଚର୍ଯ୍ୟାରେ ଲେଖକ ପଣ୍ଡିତ ଡଃ ମିଶ୍ର ଏତେ ମାତ୍ରାରେ ଉଦ୍ବୁଦ୍ଧ ଯେ ସେ ଏହି ଉଚ୍ଚ଼ ମୂଲ୍ୟବୋଧଭିତ୍ତିକ ନୀତିଶିକ୍ଷା ଗୁଡ଼ିକୁ ସୁଦୀର୍ଘ ୭ଟି ଅଧ୍ୟାୟରେ ସନ୍ନିବିଷ୍ଟ କରିଛନ୍ତି । ନିଜ ଜନ୍ମଭୂମିର ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଜୀବନ ଶୈଳୀ ଯଥା, ଯଜ୍ଞ, ଯନ୍ତାଳ, ବନ୍ୟା, ଅଗ୍ନିକାଣ୍ଡ, ଭାଗବତ ଘର ଇତ୍ୟାଦିକୁ ବିଶ୍ଳେଷଣ କରି ସେ ସବୁର ସମକାଳୀନ ତାତ୍ପର୍ଯ୍ୟ ସର୍ବକାଳୀନ ପ୍ରଭାବ ଉପରେ ନିଜର ସୁଚିନ୍ତିତ ଭାବନାକୁ ପ୍ରକାଶ କରିଛନ୍ତି ।
ଲେଖକଙ୍କ ‘ଜୀବନାନୁଭୂତି ' ଗ୍ରନ୍ଥଟି ତାଙ୍କ ଜୀବନର ଦିବ୍ୟ ଅନୁଭୂତି ସହିତ ତାଙ୍କ ଗାଁ ମାର୍ଥାପୁର, ଢେ଼ଙ୍କାନାଳ ଜିଲ୍ଲାର ଐତିହ୍ୟ, ସଂସ୍କୃତି ତଥା ପରମ୍ପରା, ଓଡ଼ିଶାର ବିଭିନ୍ନ ତୀର୍ଥକ୍ଷେତ୍ର ସହିତ ଭାରତବର୍ଷର ଅନେକ ତୀର୍ଥକ୍ଷେତ୍ର ବିଷୟରେ ମଧ୍ୟ ଅନେକ ତଥ୍ୟର ଏକ ଅପୂର୍ବ ମିଳନ ସ୍ଥଳ ଭଳି ଅନୁଭୂତ ହୁଏ । ଜୀବନରେ ଯେଉଁ ସମୟରେ, ଯେଉଁଠି ଯାହାଙ୍କ ସମ୍ପର୍କରେ ସେ ଆସିଛନ୍ତି ଏପରିକି ସେ ତାଙ୍କ ଘରର ପାଟ ନାମକ ଗାଈ ହେଉକି ତା ବାଛୁରୀ ବୁଧିଆ ଅବା ଚଟୁମାର ପୁଅ ଭାସ୍କର ସମସ୍ତଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି, ଯାହା ତାଙ୍କର ଏହି ବହିଟିକୁ ପଢ଼ିଲେ ହୃଦୟଙ୍ଗମ ହୁଏ । ସମୟକ୍ରମେ ତାଙ୍କ ଦ୍ୱାରା ଲିଖିତ ଗ୍ରନ୍ଥ ଗୁଡ଼ିକ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ପାଠକ ମହଲରେ ଆଲୋଡନ ସୃଷ୍ଟି କରିଛି । ଓଡ଼ିଆ ଭାଷା ଶାସ୍ତ୍ରୀୟଭାଷା ଘୋଷଣା ପୂର୍ବରୁ ଲେଖକ " ମୁଁ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’ ଗ୍ରନ୍ଥ ରଚନା କରିଥିଲେ, ଯାହା ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ବିଦ୍ୱାନ ମଣ୍ଡଳୀଙ୍କ ବହୁ ପ୍ରଶଂସାର ଗୌରବ ହାସଲ କରିଥିଲା । ଓଡ଼ିଆ ଭାଷା ଓ ବ୍ୟାକରଣକୁ ନେଇ ତାଙ୍କର ଲିଖିତ ଗ୍ରନ୍ଥ ଓଡିଆ ଭାଷା, ଜାତି ଓ ଜାତୀୟତା, ଓଡ଼ିଆ ଭାଷାର ଇତିବୃତ୍ତ, ଓଡ଼ିଆ ଭାଷାର ଇତିହାସ, ମୌଳିକ ଓଡିଆ ଭାଷା ତତ୍ତ୍ୱ, ଭାଷାନୁଚିନ୍ତା, ମୌଳିକ ଓଡ଼ିଆ ବ୍ୟାକରଣ ଗ୍ରନ୍ଥ ସମୂହ ମଧ୍ୟ ଓଡ଼ିଆ ଭାଷା ପ୍ରେମୀ ବିଦ୍ୱାନ ସଂଗୋଷ୍ଠୀଙ୍କ ଦ୍ୱାରା ସମାଦୃତ ହୋଇଛି ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ପ୍ରତିପାଦନ କରିଥିବାରୁ ଖ୍ରୀ- ୨୦୧୭ ମସିହାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ( ବର୍ତ୍ତମାନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ) ଲେଖକ ପଣ୍ଡିତ ଡଃ ମିଶ୍ରଙ୍କୁ ଡି.ଲିଟ୍ ଉପାଧି ପ୍ରଦାନ କରିଛନ୍ତି । ଖ୍ରୀ - ୨୦୧୯ ମସିହାରେ ଭାରତର ମହାମହିମ ରାଷ୍ଟ୍ରତି ପ୍ରଥମ ରାଷ୍ଟ୍ରୀୟ ଭାଷା ପୁରସ୍କାର ସ୍ୱରୂପ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶିକ୍ଷା ଓ ସାରସତ୍ୱ ସାଧନାର ଉତ୍କର୍ଷ ହାସଲ ନିମନ୍ତେ ଖ୍ରୀ - ୨୦୨୩ ମସିହାରେ ମହାମହିମ ରାଷ୍ଟ୍ରପତି ଲେଖକଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ବହୁତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ସାରସତ୍ୱ ସଂସ୍ଥା ଲେଖକଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦକ୍ଷତା ପ୍ରଦର୍ଶନ ନିମନ୍ତେ ସମର୍ଦ୍ଧିତ କରିଛନ୍ତି । ଏଭଳି ସମ୍ବର୍ଦ୍ଧନା/ ସମ୍ମାନ ସଂଖ୍ୟା ତିନିଶହରୁ ଊର୍ଦ୍ଧ୍ୱ । ଅଦ୍ୟାବଧି ଲେଖକଙ୍କର ୩୫ ଟି ରୁ ଅଧିକ ଗ୍ରନ୍ଥ ପ୍ରକାଶିତ ହୋଇଥିବା ବେଳେ ଅନେକ କିଛି ପ୍ରକାଶନ ଅପେକ୍ଷାରେ ।
ଆମ ଭାରତ ତଥା ଓଡ଼ିଶା ମାଟିରେ ଅନେକ ବିଦ୍ୱାନ ଜନ୍ମ ନେଇଛନ୍ତି । କିଛି ଅତି ଉଚ୍ଚ଼କୋଟିର ଲେଖକ ହୋଇଥିବା ବେଳେ ଜଣେ ଜଣେ ଉଚ୍ଚ଼କୋଟିର ପ୍ରଗଲ୍ଭ ବକ୍ତା ହୋଇଥାନ୍ତି । ଉଭୟ କ୍ଷେତ୍ରରେ ପଦ୍ମଶ୍ରୀ ଡଃ ଅନ୍ତର୍ଯ୍ୟାମୀ ମିଶ୍ର କେବଳ ନିଜର ଦକ୍ଷତା ପ୍ରତିପାଦନ କରିନାହାନ୍ତି ବରଂ ନିଜର ମଧୁର ବାଣୀ ଦ୍ୱାରା ସମସ୍ତ ପାଠକ ପାଠିକାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ଆଲୋଚନା ପ୍ରସଙ୍ଗରେ ଯେତେବେଳେ ଯେଉଁ ବିଷୟରେ ପଚାରିଦେଲେ ସର୍ବୋତ୍ତମ ନିର୍ଭୁଲ ତଥ୍ୟ ଭିତ୍ତିକ ଉତ୍ତର ତାଙ୍କଠାରୁ ମିଳିଥାଏ । ଏତଦ୍ ବ୍ୟତୀତ ଲେଖକ ଦୁଇଥର ସାହିତ୍ୟ ଏକାଡେମୀର ସଦସ୍ୟ, ଗୋଟିଏ ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦର ସଦସ୍ୟ, ଗୋଟିଏ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ପାଠ୍ୟକ୍ରମ ନିର୍ଦ୍ଧାରଣ ପରିଷଦର ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରହିଥିବାର ତାଙ୍କର ରଚିତ ପୁସ୍ତକରେ ଉଲ୍ଲେଖ ରହିଛି ।
ପ୍ରାଚୀନ କାଳରୁ ଢେ଼ଙ୍କାନାଳ ବାଣୀପୀଠ ରୂପେ ମହିମାନ୍ୱିତ । ଢେଙ୍କାନାଳର ଅଗଣିତ ସ୍ରଷ୍ଟା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଯାଇଛନ୍ତି । ଅଗଣିତ ସ୍ରଷ୍ଟା ଯୁଗୋପଯୋଗୀ ସାରସତ୍ୱ ସୃଷ୍ଟି ଦ୍ୱାରା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଅନେକ ସ୍ରଷ୍ଟା ଏବେ ସାରସ୍ୱତ ସାଧନାରେ ନିମଗ୍ନ । ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ବର୍ତ୍ତମାନ ସମୟରେ ଢେ଼ଙ୍କାନାଳ ମାଟିରେ କୋଣ ଅନୁକୋଣକୁ ନିଜ ମାନସ ପଟରେ ରଖି ବିନ୍ଦୁ ବିନ୍ଦୁ ହୋଇ ସାଗରର ଜଳରାଶି ସଦୃଶ ଢେଙ୍କାନାଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ସମଗ୍ର ଓଡ଼ିଶାର ଭାଷା ସଂସ୍କୃତିକୁ ଏକତ୍ରିତ କରି ଏକ ଜ୍ଞାନର ଭଣ୍ଡାର ସାଇତି ନିଜ ତପସ୍ୟାରେ ଏବେ ମଧ୍ୟ ନିମଗ୍ନ । ତାଙ୍କର ପ୍ରତିଟି ରଚନାରେ ସ୍ୱାତନ୍ତ୍ର୍ୟ, ବୈଶିଷ୍ଟ୍ୟ ଓ ମହତ୍ତ୍ୱ ରହିଛି । ‘ଜୀବନାନୁଭୂତି ' ସମେତ ଲେଖକଙ୍କର ପ୍ରତ୍ୟେକ ଗ୍ରନ୍ଥ ପାଠକ ପାଠିକାଙ୍କ ସମେତ ସମସ୍ତ ଯୁବପିଢିଙ୍କୁ ପ୍ରଜ୍ଞାସମ୍ପନ୍ନ ଅମୃତ ଅନୁଭୂତିରେ ଉଦ୍ବୁଦ୍ଧ କରାଇବା ସହିତ ସମସ୍ତଙ୍କ ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ପ୍ରେମ ଓ ସମ୍ମାନକୁ ଉଜାଗର କରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
ଜୟ ଜଗନ୍ନାଥ!
ଢେଙ୍କାନାଳ