ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କ ହୃଦ୍ଘାତ
ନିଜେ ଚାଲିଗଲେ, ୪୦ ଜୀବନ ବଞ୍ଚାଇ ଦେଲେ
ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଯାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି । ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଆଗକୁ ବଢୁଥିବା ଯାତ୍ରୀବାହୀ ବସ୍ର ଡ୍ରାଇଭରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି । ମୃତ ବସ୍ ଡ୍ରାଇଭର ଜଣକ ହେଲେ ଶରତ ଚନ୍ଦ୍ର୍ର ମାର୍ଥା (୫୫) । ତେବେ ହୃଦ୍ଘାତ ହୋଇଥିବା ଜାଣିପାରି ଡ୍ରାଇଭର କିନ୍ତୁ ବସକୁ ସୁରକ୍ଷିତ ଭାବେ ପାର୍କିଂ କରିଦେଇଥିଲେ । ଫଳରେ ବସଟି ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇବା ସହ ଯାତ୍ରୀମାନଙ୍କ ଅମୂଲ୍ୟ ଜୀବନ ରକ୍ଷା ପାଇଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅଧୀନ ଗୋଡିଆଳି ଗାଁର ବାସିନ୍ଦା ଶରତ ମାର୍ଥା ଅନ୍ୟ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱର ବରମୁଣ୍ଡାରୁ ଯାତ୍ରୀବାହୀ ବସ୍ ‘ବିଶାଖା’ ନେଇ ବାହାରି ଥିଲେ । ଅପରାହ୍ନ ପ୍ରାୟ ୩ଟାରେ ସେ ଗଂଜାମ ଜିଲ୍ଲା ଭଂଜନଗର ଅଭିମୁଖେ ବାହାରିଥିଲେ । ବୋଲଗଡରେ ପହଞ୍ଚିବା ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା ।
ଏହାପରେ ମଧ୍ୟ ସେ ଉପସ୍ଥିତ ବୁଦ୍ଧି ଲଗାଇ ବସ୍କୁ ବୋଲଗଡ ବସ୍ଷ୍ଟାଣ୍ଡରେ ପହଞ୍ଚାଇ ଥିଲେ । କିନ୍ତୁ ସେତେବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇସାରିଥିଲା । ଅଧିକ ଅସୁସ୍ଥ ହୋଇଯିବା ପରେ ବସ୍ର ହେଲପର ସ୍ଥାନୀୟ ଲୋକଙ୍କର ସହାୟତରେ ଶରତଙ୍କୁ ଏକ ଅଟୋରେ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣାଯାଉଛି, ଶରତ ନିଜେ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଧୈର୍ଯ୍ୟର ସହିତ ବସ୍ର ଭାରସାମ୍ୟ ହରାଇ ନଥିଲେ । ସେ ସିନା ଆଉନାହାନ୍ତି, ହେଲେ ସେ ବସ୍ର ଯାତ୍ରୀଙ୍କୁ ଜୀବନକୁ ରକ୍ଷା କରିଛନ୍ତି ।