ଭିଡ଼ିଓ କଲ୍‌ରେ ପ୍ରଚାର କରୁଛନ୍ତି ନବୀନ

ଭିଡ଼ିଓ କଲ୍‌ରେ ପ୍ରଚାର କରୁଛନ୍ତି ନବୀନ
  • ସବୁ ମନ୍ତ୍ରୀଙ୍କୁ ନୂଆପଡ଼ା ଡକାଇଲା ବିଜେପି
  • ବିଜେଡ଼ି-ବିଜେପି ମଧ୍ୟରେ ଛକାପଞ୍ଝା
  • ପ୍ରସଙ୍ଗ ଚର୍ଚ୍ଚା କମ୍‌, କାଦୁଅଫିଙ୍ଗା ଅଧିକ

ଭୁବନେଶ୍ୱର : ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଆଜି ନୂଆପଡ଼ାର କୋଦୋମେରୀ ପଞ୍ଚାୟତରେ ପ୍ରଚାର କରୁଥିଲେ । ନବୀନ ନିବାସରୁ ଆସିଲା ଭିଡ଼ିଓ କଲ୍‌ । ବିଧାୟକ ନିଜ ମୋବାଇଲ ଧରି ଲୋକଙ୍କୁ ଦେଖାଇଲେ । ଲୋକେ ନବୀନଙ୍କ ସହ କଥା ହେଲେ । କେବେ ନୂଆପଡ଼ା ଆସିବେ ବୋଲି ବି ପଚାରିଲେ । ଖାଲି କୋଦୋମେରୀ ନୁହେଁ, ଗତ କିଛି ଦିନ ଧରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡ଼ିଓ କଲ୍‌ରେ ପ୍ରଚାର କରୁଛନ୍ତି । ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଉଛନ୍ତି । ଲୋକେ ବି ଉତ୍ସାହିତ ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ କମ୍ପାଇ ଦେଉଛନ୍ତି ।

   ବିଜେଡ଼ି ତିନି ନମ୍ବରରେ ରହିଯିବ, ଜୋରଦାର ଲଢେ଼ଇ କରିବନି ବୋଲି ପ୍ରଥମେ ବିଜେପି ଓ କଂଗ୍ରେସ ଅଙ୍କ କଷିଥିଲେ । କିନ୍ତୁ ବିଜେଡ଼ି ଏବେ ଜୋରଦାର ରଣନୀତି କରୁଛି । ବିଜେପି ବି ଦମଦାର ପ୍ରଚାର ସହ ରଣନୀତି କରିବାକୁ ଯୋଜନା କରିଛି । ସେଥିପାଇଁ ସବୁ ମନ୍ତ୍ରୀଙ୍କୁ ନୂଆପଡ଼ାକୁ ଡକାଯାଇଛି । ପ୍ରଥମେ ଦଳ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲା । ଏବେ କିନ୍ତୁ ସବୁ ମନ୍ତ୍ରୀଙ୍କୁ ନୂଆପଡ଼ାରେ ପ୍ରଚାରର ମଙ୍ଗ ଧରିବାକୁ କୁହାଯାଇଛି । ଗାଏମୋଟ୍‌ କହିଲେ ନୂଆପଡ଼ାରୁ ନେଇ କୋମନା ଯାଏଁ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ପ୍ରତିଦିନ ଦୁଇ ଦଳ ପରସ୍ପର ବିରୋଧରେ ସିଇଓ ଅଫିସ୍‌ ଯାଇ ଫେରାଦ ବି ହେଉଛନ୍ତି । 

   ବିଜେଡ଼ି ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଦେଇଥିଲେବି ନବୀନ ହେଉଛନ୍ତି ଏକ ନମ୍ବର ତାରକା ପ୍ରଚାରକ । ନବୀନ ବି ନୂଆପଡ଼ା ନିର୍ବାଚନକୁ ଖୁବ୍‌ ଗୁରୁତର ସହ ନେଇଛନ୍ତି । ଭିଡ଼ିଓ କଲରେ ସେ ପ୍ରଚାର କରୁଥିବାବେଳେ ପ୍ରତିଦିନ ନବୀନ ନିବାସରେ ସେ ସ୍ଥିତି ସଂକ୍ରାନ୍ତୀୟ ରିପୋର୍ଟ ବି ଅନୁଧ୍ୟାନ କରୁଛନ୍ତି । ଅପରପକ୍ଷରେ ନବୀନଙ୍କ ଭିଡ଼ିଓ କଲ୍‌ ପ୍ରଚାରକୁ ବିଜେପି ଫେକ୍‌ ବୋଲି କହୁଛି । ନବୀନ ବାବୁଙ୍କ ରେକର୍ଡ ହୋଇଥିବା ଭିଡ଼ିଓକୁ ଲୋକଙ୍କୁ ଦେଖାଇ ଭୂଆଁ ବୁଲାଯାଉଛି । ତେବେ ସେ ଯାହାହେଉନା କାହିଁକି ଉପସ୍ଥିତ ଲୋକେ ନବୀନ ବାବୁଙ୍କ ହାତ ହଲା ଦେଖ ଖୁସ୍‌ ହୋଇ ଯାଉଛନ୍ତି । ଆସନ୍ତା ୩ରେ ନବୀନ କୋମନାରେ ସମାବେଶ କରିବେ । ଏଥିପାଇଁ ବିଜେଡ଼ି ନେତା ଓ କର୍ମୀମାନେ ଦିନରାତି ଏକ କରିଦେଇଛନ୍ତି । କେଉଁ ପଞ୍ଚାୟତରୁ କେତେ ଲୋକ ଆସିବେ ସେନେଇ ବି ଅଙ୍କ କଷା ଚାଲିଛି । ନବୀନଙ୍କ ବଡ଼ ସମାବେଶ କରି ବିଜେଡ଼ି ଚମକାଇ ଦେବାକୁ ଯୋଜନା କରିଛି । ବିଜେଡ଼ିର ଏହି ରଣନୀତି କେତେ ସଫଳ ହୋଇଛି ତାହା ୩ ତାରିଖରେ ହିଁ ଜଣାପଡ଼ିବ । ବିଜେପି ଗତ ଦୁଇଦିନ ଧରି ତାହାର ପ୍ରଚାରକୁ ଜୋରଦାର କରିଛି । 

   ପ୍ରତିଦିନ ବିଜେଡ଼ି ଓ କଂଗ୍ରେସରୁ କର୍ମୀଙ୍କୁ ଆଣି ମିଶ୍ରଣ ପର୍ବ ଜୋର୍‌ ଧରିଛି । ଇତିମଧ୍ୟରେ କେତେକ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ବିଜେଡ଼ି ଛାଡ଼ି ବିଜେପିକୁ ଆସି ଯାଇଛନ୍ତି ବୋଲି ବିଜେପି ଦାବି କରୁଛି । ବିଜେଡ଼ି ଓ ବିଜେପିର ଛକାପଞ୍ଝା ଭିତରେ କଂଗ୍ରେସ ଟିକେ ପଛରେ ପଡ଼ିଯାଇଥିବା ମନେହେଉଛି । ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଘାସିରାମ ମାଝୀ ଲୋକଙ୍କ ପାଖରେ ପହଁଚିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ତେବେ କଂଗ୍ରେସ ଭୋଟରଙ୍କୁ ମନେଇବାରେ ବିଜେଡ଼ି ଓ ବିଜେପି ସଫଳ ହେଉଥିବା ନେଇ ଦୁଇ ଦଳ ଦାବି କରିଛନ୍ତି । ଏସବୁ ଭିତରେ ବଡ଼ କଥାଟି ହେଉଛି ପ୍ରସଙ୍ଗ ଅପେକ୍ଷା ଏବେ କାଦୁଅଫିଙ୍ଗା ଜୋରଧରିଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜନସମସ୍ୟା, ବିଶେଷକରି ଆଦିବାସୀଙ୍କ କଥା ଉଠାଇ ବିଜେଡ଼ି ଓ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ ଅଧିକାର ଆଇନ୍‌ ଆଦି ପ୍ରସଙ୍ଗ ଉଠାଇବା ସହ ନିଜର ଭିଜନ କଥା ବି କହୁଛନ୍ତି । ସେପଟେ ବିଜେଡ଼ି ପ୍ରତି ସଭାରେ ରାଜେନ୍ଦ୍ର ଢୋଲକିଆଙ୍କ କଥା ଉଠାଉଥିବାବେଳେ ଜୟ ଦଳ ଛାଡ଼ି ଚାଲି ଯାଇଥିବାରୁ ବେଇମାନ୍‌ କହିବାକୁ ବି ପଛାଉନାହାନ୍ତି । ଅପରପକ୍ଷରେ ବିଜେପି ମଧ୍ୟ ବାହାରିଆ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ବିଜେଡ଼ିକୁ ଘେରୁଛି ।