ଚଳିତ ବର୍ଷ ୫୦ ହଜାର ଏକରରେ ହେବ ଆଳୁ ଚାଷ

ଚଳିତ ବର୍ଷ ୫୦ ହଜାର ଏକରରେ ହେବ ଆଳୁ ଚାଷ

ଭୁବନେଶ୍ୱର : ଚଳିତବର୍ଷ ସରକାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଏକର ଚାଷଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି । ଆଳୁ ଉତ୍ପାଦନରେ ଓଡିଶାକୁ ଆତ୍ମନିର୍ଭର କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଲୋକସେବା ଭବନରେ ଏହି ବିଷୟରେ ଏକ ଉଚ୍ଚ଼ସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍‌ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ  କାଲୁଙ୍ଗେ ଗୋରଖ ୱାମନ ମଧ୍ୟ ଉପସ୍ଥିତ ଥିଲେ ।

     ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ୱ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ କୁହାଯାଇଛି । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଛି ।