ଜୈବକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠ ଭୋଗ
ଭୁବନେଶ୍ବର : ଜୈବକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠ ଭୋଗ । ଆସନ୍ତା ରଥ ଯାତ୍ରାଠାରୁ ହେବ ଜୈବିକ ଚାଉଳରେ ଭୋଗ । ଏ ନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଆସନ୍ତା ରଥଯାତ୍ରା ସମୟରେ ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ । ଏଥିପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ । ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର । ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ ।
ବିନା ରାସାୟନିକ ସାରରେ ଉତ୍ପାଦନ ହୁଏ ଜୈବିକ ଚାଉଳ । କୃଷି ବିଭାଗ ପକ୍ଷରୁ ଜୈବିକ ଚାଉଳ ପ୍ରସ୍ତୁତ ପାଇଁ ବିଭିନ୍ନ ଜିଲ୍ଲାର ଚାଷୀଙ୍କ ସହିତ ଚୁକ୍ତି କରାଯାଇଛି । ଜୈବିକ ଚାଉଳ ପ୍ରସ୍ତୁତ ହେବା ପରେ ଚାଷୀଙ୍କ ଠାରୁ ସିଧାସଳଖ ରାଜ୍ୟ କୃଷି ବିଭାଗ ଚାଉଳ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ । ତେବେ ଶ୍ରୀମନ୍ଦିରରେ ଦୈନିକ ମହାପ୍ରଭୁଙ୍କର କୋଠ ଭୋଗ ପାଇଁ ଦୁଇ କ୍ବିଣ୍ଟାଲ ଚାଉଳର ବ୍ୟବହାର ହେଉଛି । ସେହିପରି ପ୍ରତିଦିନ ବରାଦି ଭୋଗ ଏବଂ କୋଠ ଭୋଗ ପାଇଁ ଶ୍ରୀମନ୍ଦିରରେ ୨ଶହ କ୍ବିଣ୍ଟାଲ ଚାଉଳ ଆବଶ୍ୟକ ହେଉଛି । ତେବେ ସୀମିତ ପରିମାଣର ଜୈବିକ ଚାଉଳ ଉତ୍ପାଦନ ହେଉଥିବାରୁ ପ୍ରାଥମିକ ପର୍ୟ୍ୟାୟରେ ଆଗାମୀ ରଥଯାତ୍ରା ଠାରୁ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ସବୁଦିନ ଜୈବିକ ଚାଉଳ ବ୍ୟବହାର ହେବ । ଏହି ନିଷ୍ପତ୍ତିକୁ ସୁଆର ମହାସୁଆର ନିଯୋଗ ଓ ସେବାୟତମାନେ ସ୍ୱାଗତ କରିଛନ୍ତି ।