ଚାଟୁକାରିତା ଓ ସାହିତ୍ୟ 


ପ୍ରଦୀପ୍ତ କୁମାର ଜେନା : ଯେତେବେଳେ ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କିମ୍ବା ଅନୁଗ୍ରହ ପାଇବା ପାଇଁ ଅନ୍ୟ ଜଣେ ବ୍ୟକ୍ତି  ବା ସଂଗଠନର ଅଯଥା ପ୍ରଶଂସା କରେ ବା ତା’ର ମହିମା ମଣ୍ଡନ କରେ ତାକୁ ଚାଟୁକାରିତା ବୋଲି କୁହାଯାଏ । ଏହି ଚାଟୁକାରିତା ମିଠା ଜହର ସହିତ ତୁଳନୀୟ, ଯାହାକୁ ଆମେ ଅତି ଆଗ୍ରହର ସହିତ ପିଇବାକୁ ରାଜି ହୋଇଥାଉ । ଯେତେବେଳେ ଜଣେ ବ୍ୟକ୍ତି ଆମକୁ ଅଯଥା ପ୍ରଶଂସା କରେ, ଆମେ ସେ ବ୍ୟକ୍ତିର ଉଦେଶ୍ୟକୁ ଠିକ ଭାବରେ ବିଚାର କରିପାରିନଥାଉ । ପ୍ରଶଂସା ଚାଟୁକାରିତା ନୁହେଁ । ପ୍ରଶଂସା ବ୍ୟକ୍ତିକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ । କିନ୍ତୁ ଅଯଥା ପ୍ରଶଂସା ମୂଳରେ ବ୍ୟକ୍ତିର ମନ୍ଦ ଉଦେ୍ଦଶ୍ୟ ଲୁଚି ରହିଥାଏ ।  ଆମକୁ ପ୍ରଶଂସା କରୁଥିବା ବ୍ୟକ୍ତିର ମନ୍ଦ ଉଦେଶ୍ୟ ଅଛି କିମ୍ବା ଆମକୁ ଖୁସି କରିବା ପାଇଁ ପ୍ରଶଂସା କରୁଛି ଆମେ ସେ କଥାକୁ ଭାବି ନଥାଉ । ଲମା ଇକ୍ବାଲ୍ ଯେ କି ଜଣେ ପ୍ରଖ୍ୟାତ କବି ଓ ଦାର୍ଶନିକ ଥିଲେ ଏହି ଚାଟୁକାରିତା ଉପରେ ଗୋଟିଏ ଗଳ୍ପ ଲେଖିଥିଲେ, ଯାହାର ନାଁ ଥିଲା  ‘ ଏ ସ୍ପାଇଡର ଆଣ୍ଡ ଏ ଫ୍ଲାଏ’  । ଗାଳ୍ପିକ ଏହି ଗଳ୍ପରେ ଲେଖିଛନ୍ତି ଯେ ଗୋଟିଏ ବୁଢିଆଣୀ  ମାଛିକୁ ତା’ ଘରକୁ ଆସିବାକୁ ନିମନ୍ତ୍ରଣ କଲା । ମାଛିଟି ବୁଝିପାରିଲା ବୁଢିଆଣୀର ମନ୍ଦ ଉଦେଶ୍ୟ, ଯେଉଁଥିପାଇଁ ସେ ତା’ର ନିମନ୍ତ୍ରଣ ରକ୍ଷା କରିବାକୁ ମନା କରିଦେଲା । ବୁଢିଆଣୀ ବହୁତ ଚାଲାକ । ତେଣୁ ସେ ମାଛିର ସୌନ୍ଦର୍ଯ୍ୟକୁ ଓ ତା’ର ଗୁଣୁଗୁଣୁ ସଂଗୀତକୁ ଖୁବ ପ୍ରଶଂସା କଲା । ମାଛିଟି ବୁଢିଆଣୀର ପ୍ରଶଂସାରେ ତା’ର ମନ୍ଦ ଉଦେ୍ଦଶ୍ୟକୁ ଭୁଲିଯାଇ ନିମନ୍ତ୍ରଣକୁ ସ୍ୱୀକାର କଲା ଓ ଶେଷରେ ବୁଢ଼ିଆଣୀର ଶୀକାର ହେଲା । ଠିକ୍ ସେହିଭଳି ବିଲୁଆ ଓ କାକ କଥା ଲୋକମୁଖରେ ଅଛି । କାକଟି ଖଣ୍ଡିଏ ମାଂସ ଖଣ୍ଡ ଧରି ଗଛ ଉପରେ ଖାଉଥିଲା । ବିଲୁଆଟି ବହୁତ ଭୋକିଲା ଥିଲା । ସେ ଗଛ ତଳେ ଛିଡ଼ା ହୋଇ ଭାବୁଥିଲା ମୁଁ କିପରି ମାଂସ ଖଣ୍ଡଟି ପାଇବି । ଚତୁରତାର ସହିତ କାକଟିକୁ ସେ ଖୁବ୍ ପ୍ରଶଂସା କରିବାକୁ ଲାଗିଲା । କାକଟି ଆନନ୍ଦରେ ବିଭୋର ହୋଇ ତା’ର ପାଟିକୁ ଅାଁ କରିଦେବା ଫଳରେ ମାଂସ ଖଣ୍ଡଟି ତଳେ ଗଳିପଡ଼ିଲା । ଚତୁର ବିଲୁଆ ଆନନ୍ଦରେ ମାଂସଖଣ୍ଡ ଖାଇ ତା’ର କ୍ଷୁଧା ମେଣ୍ଟାଇଲା । ଅତୀତରେ ଏହି ଚାଟୁକାରିତା  ଭିଭିନ୍ନ କ୍ଷେତ୍ରରେ ଥିଲା ଆଜିବି ଅଛି । ବ୍ୟକ୍ତି ନିଜର ସ୍ୱାର୍ଥସାଧନ ପାଇଁ, ଅର୍ଥ ଉପାର୍ଜନ କରିବା ପାଇଁ, ରାଜନୀତି କ୍ଷେତ୍ରରେ ପଦପଦବୀ ପାଇଁ, ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅଯଥା ପ୍ରଶଂସା କରିଥାଏ । ଏପରିକି ଅଧିକାରୀଙ୍କୁ  ଖୁସି କରିବା ପାଇଁ ସବୁ କିଛି ପନ୍ଥା ଅବଲମ୍ବନ କରିବାକୁ ପଛାଏ ନାହିଁ । ଆଜିର ଦୁନିଆରେ କିଛି ବ୍ୟକ୍ତି ଅଛନ୍ତି ତାଙ୍କର ଯୋଗ୍ୟତା ଠାରୁ ତାଙ୍କୁ ଅଧିକ ପ୍ରଶଂସା କଲେ ସେ ବହୁତ ଆନନ୍ଦ ଅନୁଭବ କରନ୍ତି ଓ ଆଉ କିଛି ଲୋକ ଅଛନ୍ତି ସେମାନଙ୍କୁ ଅଯଥା ପ୍ରଶଂସା ଭଲ ଲାଗେନାହିଁ । ସେଇଭଳି ବ୍ୟକ୍ତିବିଶେଷଙ୍କ ସଂଖ୍ୟା ସମାଜରେ ନଗଣ୍ୟ । ପୂର୍ବେ ରାଜଦରବାରରେ କିଛି ଲୋକ ନିଯୁକ୍ତି ହେଉଥିଲେ ରାଜାଙ୍କ ମହିମା ଗାନ କରିବା ପାଇଁ । ରାଜା ଯେତେବେଳ ପ୍ରତ୍ୟେକ ଦିନ ରାଜଗାଦିରେ ଆସୀନ ହେଉଥିଲେ ସେମାନେ ଉଚ୍ଚ ସ୍ୱରରେ ରାଜାଙ୍କ ମହିମା ମଣ୍ଡନ କରୁଥିଲେ । 
ସେମାନଙ୍କୁ ଭାଟ ବୋଲି କୁହାଯାଏ । ରାଜା  ପ୍ରୀତ ହୋଇ ସେମାନଙ୍କୁ କିଛି ଅର୍ଥ ଓ ଉପଢୌକନ ଆଦି  ପ୍ରଦାନ କରୁଥିଲେ । ଓଡିଶା ପରିପ୍ରେକ୍ଷୀରେ ବିଚାରକଲେ ଜଣାଯାଏ ଯେ ଷୋଡଶ ଶତାବ୍ଦୀ ବେଳକୁ ଓଡିଶାରେ ଅନେକ କବି ଯଥା–ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଅଭିମନୁ୍ୟ ସାମନ୍ତସିଂହାର ପ୍ରଭୃତି କାବ୍ୟ ରଚନା କରି ରାଜଦାରବାରରେ ତାହାର ଭଣିତା କରୁଥିଲେ । କାରଣ ସାଧାରଣ ମଣିଷ ପାଖରେ ସାହିତ୍ୟ ଅପହଞ୍ଚ ଥିଲା । ଏହି ସମୟର ସାହିତ୍ୟକୁ କେତେକ ଦରବାରୀ ସାହିତ୍ୟ ବୋଲି ଅବିହିତ କରନ୍ତି, କାରଣ ଏହା ରାଜଦରବାର ଭିତରେ ସୀମିତ ଥିଲା । କାବ୍ୟ ଆଲୋଚନା ଆଳରେ କବିବୃନ୍ଦ ନିଜର ପାଣ୍ଡିତ୍ୟ ପ୍ରର୍ଦଶନ କରିବା ସହିତ ରାଜା ମାନଙ୍କ ସ୍ତୁତି ବା  ପ୍ରଶଂସା ଗାନ କରୁଥିଲେ ଓ ତା’ ବିନମୟରେ କିଛି ଅର୍ଥ ଓ ଉପଢୌକନ ପ୍ରାପ୍ତ ହେଉ ଥିଲେ । ସମୟ ସମୟେ କବିମାନଙ୍କ ଅଯଥା ପ୍ରଶଂସା ଓ ଚାଟୁକାରିତା ସୀମା ଲଂଘନ କରିଯାଉଥିଲା । ଏହି ଚାଟୁକାରିତାରେ ଖୁବ୍ଧ ହୋଇ କବି ଦୀନକୃଷ୍ଣ ଦାସ ରସକଲ୍ଲୋଳ କାବ୍ୟରେ ସେହି ଚାଟୁକାରୀମାନଙ୍କ ଉଦେ୍ଦଶ୍ୟର  ସମାଲୋଚନା କରି କହିଛନ୍ତି “କବି ଯା କରେ ର୍ମୂଖକୁ ସ୍ତୁତି । ଏଥିରୁ ବଳି ନାହିଁ ବିପତ୍ତି । ଏଥିକି  ଭଲା ଛାତିକି ମାରିବା କାତି ।” ତକ୍ରାଳୀନ ସାହିତି୍ୟକ ଓ କବିମାନେ  କିଛି ଅର୍ଥ ଉପାର୍ଜନ କରିବା ପାଇଁ ଓ ଜଣେ ପ୍ରତିଷ୍ଠିତ କବି ଭାବରେ ରାଜାଙ୍କ ନିକଟରୁ ଉପାଧି ପ୍ରାପ୍ତ ହେବା ପାଇଁ ଚାଟୁକାରିତାକୁ ପସନ୍ଦ କରୁଥିଲେ  । ପରବର୍ତ୍ତୀ ସମୟରେ ଭାରତ ଯେତେବେଳେ ଇଂରେଜମାନଙ୍କ ଅକ୍ତିଆରକୁ ଗଲା ବା ଭାରତରେ ଇଂରେଜମାନେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କଲେ, ଆମ ଦେଶର କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକ ମନେ ଇଂରେଜମାନଙ୍କୁ ସହଯୋଗ କରିବା ସହିତ ସେମାନଙ୍କ ନିକଟରେ ଚାଟୁକାରିତା କଲେ । ଯାହାଫଳରେ ତକ୍ରାଳୀନ ବ୍ରିଟିଶ ଇଣ୍ଡିଆ ସରକାର ସେମାନଙ୍କୁ ଭିଭିନ୍ନ ପଦପଦବୀରେ ଭୂଷିତ କରିଥଲେ । ବ୍ରିଟିଶ ଇଣ୍ଡିଆ ସରକାର କିଛି ଯୋଗ୍ୟ ବ୍ୟକ୍ତିମାନଙ୍କୁ ପଦ ପଦବୀ ଦେଉଥିଲା ବେଳେ କିଛି ଅଯୋଗ୍ୟ ଚାଟୁକାରମାନଙ୍କୁ ଭିଭିନ୍ନ ପଦ ପଦବୀ ପ୍ରଦାନ କରୁଥିଲେ । ୧୮୯୬ ମସିହାରେ କଟକ ବାରବାଟୀ ଦୁର୍ଗରେ ଏକ ଦରବାର ବସିଥିଲା । ସେହି ଦରବାରକୁ ଅନେକ ରାଜା ମହାରାଜା ଓ ଜମିଦାର ମାନଙ୍କୁ ନିମନ୍ତ୍ରଣ ଥିଲା । ସେହି ଦରବାରରେ ଦୁଇଜଣ ବ୍ୟକ୍ତି ଯଥା ପଠାଣି ସାମନ୍ତ ଏବଂ ରାଧାନାଥ ରାୟଙ୍କ ଭଗିନୀ ପତି ଗୋବିନ୍ଦ ବଲ୍ଲଭ ରାୟଙ୍କୁ ଉପାଧି ପ୍ରଦାନ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା ଓ କୌଣସି କାରଣ ବଶତଃ ସେହି ଦରବାରରେ ପଠାଣି ସାମନ୍ତ ଅନୁପସ୍ଥିତ ଥିଲେ ଓ ପରବର୍ତ୍ତୀ ସମୟରେ ଏକ ସ୍ୱତନ୍ତ୍ର ଉତ୍ସବ ଜରିଆରେ ତାଙ୍କୁ ମହାମହୋପାଧ୍ୟାୟ ଉପାଧି ପ୍ରଦାନ କରାଯାଇଥିବା ବେଳେ ସେଦିନର ଦରବାରରେ ରାଧାନାଥ ରାୟଙ୍କ ଭଗିନୀ ପତି ଗୋବିନ୍ଦ ବଲ୍ଲଭଙ୍କୁ ରାୟ ବାହାଦୁର ଉପାଧି ପ୍ରଦାନ କରାଯାଇଥିଲା । ସେହି ଦରବାରରେ ଆସିଥିବା ରାଜା ଓ ଜମିଦାର ମାନଙ୍କ ଆଡମ୍ବରପୂର୍ଣ୍ଣ ଆଗମନ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ରାୟବାହାଦୁର ଉପାଧି ପ୍ରଦାନକୁ କବି ନିଜ ଲେଖା ‘ଦରବାର’ କାବ୍ୟରେ ବ୍ୟଙ୍ଗ ବା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁମାନେ ବ୍ରିଟିଶ ଇଣ୍ଡିଆ ସରକାରଙ୍କୁ ସହଯୋଗ କରୁଥିଲେ ଓ ସେମାନଙ୍କ ନିକଟରେ ଚାଟୁକାରିତାରେ ଲିପ୍ତ ଥିଲେ ସେହି ଅଯୋଗ୍ୟ ବ୍ୟକ୍ତି ମାନଙ୍କୁ ଉପାଧି ପ୍ରଦାନ କରାଯାଇ ସେମାନଙ୍କୁ ସନ୍ତୁଷ୍ଟ କରାଯାଉଥିଲା । ବ୍ରିଟିଶ ଶାସନ ସମୟରେ ଅନେକ ଓଡ଼ିଆ ଅର୍ଥ ଓ ପଦ ପଦବୀର ଲୋଭରେ ସେମାନଙ୍କ ନିକଟରେ ଚାଟୁକାରିତା କରୁଥିଲେ, ଯେଉଁଥି ପାଇଁ ତକ୍ରାଳୀନ କବି ମଧୁସୂଦନ ଦାସ ନିଜ କବିତା ମାଧ୍ୟମରେ ସମାଲୋଚନା କରି କହିଛନ୍ତି “ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ, ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ମନ ।” ଅନୁରୂପ ଭାବେ ସ୍ୱଭାବ କବି ଗଙ୍ଗାଧର ମେହେର ନିଜ ଲେଖା ‘ପ୍ରଣୟ ବଲ୍ଲରୀ’ କାବ୍ୟରେ ଉଲ୍ଲେଖ କରିଛନ୍ତି “ଅନାହୁତ ହୋଇ ଆସି କେହି ତୋର ଅଯଥା ପ୍ରଶଂସା କଲେ ଜାଣିଥିବୁ ତା’ର ଆଗମନ ତୋତେ ଠକିବାକୁ କଉଶଳେ ।”
ତକ୍ରାଳୀନ ସମୟରେ ପଦପଦବୀର ମୋହକୁ ଦୂରେଇ ଦେବାକୁ ଯାଇ ଯମୁନାଲାଲ୍ ବାଜାଜ ଇଂରେଜ ମାନଙ୍କ ପ୍ରଦତ୍ତ ରାୟବାହାଦୁର ଉପାଧିକୁ  ପ୍ରତ୍ୟାଖ୍ୟାନ କରିଥିଲେ । ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ଜଣେ  ଅଯୋଗ୍ୟ ବ୍ୟକ୍ତି କିଭଳି ଚାଟୁକାରିତା ଓ ବିଭିନ୍ନ କଳା କୌଶଳ ଆପଣାଇ ସଫଳତାର ସିଡ଼ି ଚଢି ଯୋଗ୍ୟ ବ୍ୟକ୍ତିମାନଙ୍କୁ ପଛରେ ପକାଇ ଗୋଟିଏ କମ୍ପାନୀର ସର୍ବେସର୍ବା ହୋଇପାରେ ତାହା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦାନା ପାଣି ଉପନ୍ୟାସରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି । ବଳିଦତ୍ତ ନାମକ ଏକ ଚରିତ୍ର ମାଧ୍ୟମରେ ଗୋପୀନାଥ ମହାନ୍ତି ଏହି ସତ୍ୟକୁ ଉପସ୍ଥାପିତ କରିବାକୁ ପ୍ରୟାସ କରିଛନ୍ତି । ବଳିଦତ୍ତ କଂପାନୀର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲା  । ସେ କମ୍ପାନୀ ମାଲିକ ଓ ତାଙ୍କ ସ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଘୁଷୁରୀ ମଳ ନିଜେ କାନ୍ଧରେ ଭାର କରି ଆଣି କମ୍ପାନୀ ମାଲିକଙ୍କ ବଗିଚାରେ ଥିବା ଗୋଲାପ ଗଛରେ ଦେଉଥିଲେ । ସୁନ୍ଦର ଗୋଲାପ ଫୁଲ ଫୁଟିଲା ପରେ ମାଲିକଙ୍କ ସହଧର୍ମିଣୀ ବଳିଦତ୍ତ ଉପରେ ନିଜର ଖୁସି ପ୍ରକଟ କଲେ । ଆସ୍ତେ ଆସ୍ତେ ମାଲିକ ଓ ତାଙ୍କ ସହଧର୍ମିଣୀ କିଭଳି ଖୁସି ହେବେ ବଳିଦତ୍ତ ସେହି କାର୍ଯ୍ୟ କରିଚାଲିଲେ । ମାଲିକଙ୍କ ଖୁସି ପାଇଁ ଶେଷରେ ବଳିଦତ୍ତ ନିଜ ସ୍ତ୍ରୀ ସରୋଜିନୀଙ୍କୁ ମଧ୍ୟ  ମାଲିକଙ୍କ ନିକଟରେ ସର୍ମପଣ କରିଦେଇଥିଲେ । ମାଲିକ ବଳିଦତ୍ତର ଚାଟୁକାରିତା ଉପରେ ଏତେ ଖୁସି ହୋଇଗଲେ ଯେ ଶେଷରେ ତାକୁ କମ୍ପାନୀର ସର୍ବେସର୍ବା କରିଦେଲେ ।
ଆଜି ସମାଜରେ ବଳିଦତ୍ତ ଭଳି ଚରିତ୍ରର ଅଭାବ ନାହାନ୍ତି । ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସବୁକିଛି ପନ୍ଥା ଅବଲମ୍ବନ କରିବାକୁ  ଆଜିର ମଣିଷ ପ୍ରସ୍ତୁତ । ଅଧୁନା ରାଜନୀତିରେ ଚାଟୁକାରଙ୍କ ସଂଖ୍ୟା ଅଧିକ । ଭିଭିନ୍ନ ରାଜନୈତିକ ଦଳରେ ଏଭଳି ବ୍ୟକ୍ତିଙ୍କ ଅଭାବ ନାହିଁ । କ୍ଷମତାରେ ଥିବା ଦଳରେ ଏହା ଅଧିକ ଦେଖିବାକୁ ମିଳେ । କିଏ ପଦ ପଦବୀ ପାଇବା ପାଇଁ ତ କିଏ ମନ୍ତ୍ରୀ ହେବା ପାଇଁ ଚାଟୁକାରିତା କରୁଛି ।  ଅନେକ ନେତା ରାଜନୀତିରେ ନିଜର ଫାଇଦା ବା ସ୍ୱାର୍ଥ ପାଇଁ ତାଙ୍କର ଦଳ ମୁଖ୍ୟଙ୍କର ଚାଟୁକାରିତା କରିଥା’ନ୍ତି । ଏହା ସବୁଦଳରେ ଦେଖିବାକୁ ମିଳେ । ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଆଜି ସମାଜରେ ଉପେକ୍ଷା କରାଯାଉଥିବା ବେଳେ ଚାଟୁକାରମାନଙ୍କୁ ଚାକିରି କ୍ଷେତ୍ର ହେଉ, ରାଜନୀତି କ୍ଷେତ୍ର ହେଉ ବା ସାମାଜିକ କ୍ଷେତ୍ର ସବୁଥିରେ ଆଗକୁ ଯିବା ପାଇଁ ସୁଯୋଗ ମିଳୁଛି । ଯିଏ ଯେତେ ଚାଟୁକାରିତା କରିବ ସେ ସେତେ ଆଗକୁ ବଢ଼ିବ । ଯୋଗ୍ୟ ଓ ସ୍ୱାଭିମାନୀ ବ୍ୟକ୍ତି ସବୁ ସମୟରେ ସମାଜରେ ଅବହେଳିତ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସର୍ଙ୍କ ସହିତ ତାଙ୍କ ମ୍ୟାଡମ୍ଙ୍କୁ ଯିଏ ଖୁସି କରିପାରିବ ସେ ଯେତେ ଅଯୋଗ୍ୟ ହେଇଥାଉନା କାହିଁକି ତା’ର ଯଥା ସମୟରେ ପଦୋନ୍ନତି ହେବା ସହିତ ଭଲ ଭଲ ସ୍ଥାନରେ ପୋଷ୍ଟିଂ ହୋଇ ଭଲ ଦି’ ପଇସା ଉପୁରି କରିପାରିବ । ଏହି ଚାଟୁକାରିତା ଏକ ବ୍ୟାଧି
 ସଦୃଶ୍ୟ । ଦେଶରୁ ଦୂର ନହେଲେ ସମାଜ କଳୁଷିତ ହେବ ଓ ଯୋଗ୍ୟ ବ୍ୟକ୍ତିମାନେ ନିଜ ଅଧିକାରରୁ ବଞ୍ଚôତ ହେବେ । ଚାଟୁକାରୀମାନଙ୍କ ପ୍ରତି ସମସ୍ତେ ସାବଧାନ ରହିବା ଉଚିତ୍ ଓ ସେମାନଙ୍କର ଅଯଥା ପ୍ରଶଂସା ମୂଳରେ ସେମାନଙ୍କର ଅସଲି ଉଦେ୍ଦଶ୍ୟକୁ ଚିନ୍ତା କରିବା ଉଚିତ୍ ।
ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ଗକ୍ଟଭ. : ୮୨୪୯୨୮୧୫୬୭