ମନମୋହନଙ୍କ ହସ୍ତକ୍ଷେପ ହଟିଲା ଜବରଦଖଲ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ନେରଡା, ଭୂତିଆ, ଛତାବର, ରାମଚନ୍ଦ୍ରପୁର, ଖଡିସିଙ୍ଗା, ଉତ୍ତରାଗଡିଆ, ବୟାବନାପୁର, କୋରିଗାଁ ଆଦି ଅଞ୍ଚଳର ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ପଥ ଅବରୋଧ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ହସ୍ତକ୍ଷେପ ଯୋଗୁଁ ହଟିଛି । ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏହି ପ୍ରାକୃତିକଜଳ ନିଷ୍କାସନ ନାଳ ଜବରଦଖଲ ହୋଇ ବ୍ୟାପକ ଚାଷ ଜମି, ବିଭିନ୍ନ ବସ୍ତି ଜଳବନ୍ଦୀ ହେଉଥିଲା । ଏହି ସମସ୍ୟାର ସମାଧାନ ପାଇଁ ବରିଷ୍ଠ ନେତା ନିର୍ମଳ କରଙ୍କ ନେୃତ୍ୱରେ ଶତାଧିକ ଚାଷୀ ଗତ ଆପ୍ରେଲ ମାସରେ ଭାଗଡା-ନାରାୟଣପୁର ଟୋଲଗେଟ ନିକଟରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲଙ୍କୁ ସାକ୍ଷାତ କରି ଜବରଦଖଲ ଉଚ୍ଛେଦ ପାଇଁ ଅନୁରୋଧ କରିଥିଲେ । ବର୍ଷାଋତୁ ପୂର୍ବରୁ ପ୍ରାକୃତିକ ଜଳ ନିଷ୍କାସନ ପଥକୁ ଅବରୋଧ ମୁକ୍ତ କରିବା ପାଇଁ ଶ୍ରୀ ସାମଲ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏଥିନେଇ ବିଜେପି ନେତା ପ୍ରଫୁଲ୍ଲ ସାହୁ, ପ୍ରଶାନ୍ତ ନାୟକ, ନବକିଶୋର ବିଶ୍ୱାଳ, ଶୁକଦେବ ରାଉତ, ସୂର୍ଯ୍ୟମଣି ସାମଲ, ବିଜୟ ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଡ୍ରେନେଜ ଡିଭିଜନ ପକ୍ଷରୁ ଅବରୋଧ ମୁକ୍ତ କରିବା ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା । ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ମାଝୀ, କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ନାୟକ, ରାଜସ୍ୱ କର୍ମଚାରୀ ଓ ପୁଲିସର ମିଳିତ ପଦକ୍ଷେପରେ ଗତ ୪ ତାରିଖରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନେରଡା ପଞ୍ଚାୟତ ବେଲପୋଖରୀ କୁଞ୍ଜବନ ହୋଟେଲ ନିକଟରୁ ଆରମ୍ଭ କରାଯାଇଥିଲା । ଦୀର୍ଘ ୪ କିଲୋମିଟର ଉଚ୍ଛେଦ କାର୍ଯ୍ୟ ବୁଧବାର ସମାପ୍ତ ହୋଇଥିବା ଜଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।