ଚୋରା ମଦ ବିରୋଧରେ ମହିଳାଙ୍କ ଅଭିଯାନ

 ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚାହାପଡା ଗାଁରେ ଚୋରା ମଦ ବିରୋଧରେ ସ୍ୱର ଉତ୍ତୋଳନ କରି ମଦମୁକ୍ତି ଆନେ୍ଦାଳନରେ ସାମିଲ ହୋଇଛନ୍ତି ଗାଁର ମହିଳା ମାନେ । ଦୀର୍ଘଦିନ ହେବ ଏହି ଗ୍ରାମର ସରକାରୀ ଆଇଟିଆଇ ସମୁଖ ରାସ୍ତା ଛକରେ ବେଆଇନ ଚୋରା ମଦ ସମେତ ବିଭିନ୍ନ ନିଶା କାରବାର ବୃଦ୍ଧି ପାଇବା ଫଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି  । ଗାଁ ରେ ସାମାଜିକ ପ୍ରତିଷ୍ଠା ଓ ଶାନ୍ତି ବଜାୟ ରଖିବା ପାଇଁ ବେଆଇନ ମଦ ଓ ନିଶା କାରବାରକୁ ରୋକିବା ପାଇଁ ଅଣ୍ଟା ଭିଡି ବାହାରିଥିଲେ ଚାହାପଡା ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ବୁଧବାର ସଂନ୍ଧ୍ୟାରେ ମହିଳାମାନେ ଘରୁ ପଦାକୁ ବାହାରି  ଗାଁ ମନ୍ଦିର ନିକଟରେ ଏକ ପ୍ରତିବାଦ ସଭା କରିଥିଲେ । ଗାଁରୁ ବେଆଇନ ମଦ ଓ ନିଶା ବନ୍ଦ କରିବାକୁ ଚୋରା ମଦ ବେପାରୀ ମାନଙ୍କୁ ଚେତାବନୀ ଦେଇଥିଲେ  । ସଭା ପରେ ଗ୍ରାମର ଶତାଧିକ ମହିଳା ଚୋରା ମଦକୁ ବିରୋଧ କରି ସ୍ଥାନୀୟ ଆଇଟିଆଇ ଛକରେ କେତେଜଣ ଚୋରା ମଦବେପାରରୀଙ୍କୁ ତାଗିଦ କରିଛନ୍ତି । ଏହି ମହିଳାମାନେ ଗାଁର ବେଆଇନ ମଦ ଦୋକାନୀ କୁ ମଦ ନଦେବାକୁ ସରକାରୀ ସିକୃତୀପ୍ରାପ୍ତ ଦୋକାନୀଙ୍କୁ ଚେତାବନୀ ଦେବା ସହିତ ପ୍ରଶାସନ ଚୋରା ମଦ ଓ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ନିବେଦନ କରିଛନ୍ତି । ଏଥିରେ ଖିଲାପ କଲେ ଆଗାମୀ ଦିନରେ ଚାହାପଡା ଗ୍ରାମର ଶତାଧିକ ମହିଳା ଆନେ୍ଦାଳନ କରିବାକୁ ରାଜରାସ୍ତାକୁ ଓଲ୍ହାଇ ବାକୁ ବାଧ୍ୟ ହେବେ ବୋଲି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି  ।  ମଦ ବିରୋଧୀ ଆନେ୍ଦାଳନରେ ରିନା ନାୟକ, ମାଳତୀ ଦାସ, ସରସ୍ୱତି ସାହୁ, ଭାରତୀ ଦାସ, ପାର୍ବତୀ ସାହୁ,ଜମୁନା ସାହୁ, ବିଦୁଲତା ସାହୁ, ବନ୍ଦନା ଦାସ, ଶାନ୍ତି ନାୟକ, ରଜନୀ ସାହୁ, ନମୀତା ଦାସ, ସଙ୍ଗିତା ସାହୁଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ ।