ଅର୍ଥ ଆତ୍ମସାତ ମାମଲାରେ ସହକାରୀ ଯନ୍ତ୍ରୀଙ୍କୁ ଦୁଇବର୍ଷ କାରାଦଣ୍ଡ
କେନ୍ଦୁଝର : କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଏକ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ ସହକାରୀ ଯନ୍ତ୍ରୀଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । ୨୦୦୦ ମସିହା ସେପ୍ଟେମ୍ବର ୨୯ରେ ଏକ ଅର୍ଥ ଆତ୍ମସାତ ନେଇ ଅଭିଯୋଗ ହେବା ପରେ ୫ଜଣଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ଚମ୍ପୁଆ ବ୍ଲକର ସହକାରୀ ଯନ୍ତ୍ରୀ ଗୌରହରି ସାହୁ, ଚମ୍ପୁଆ ବ୍ଲକ ଷଡଙ୍ଗୀ ପଞ୍ଚାୟତ ସରପଞ୍ଚ ସଦାନନ୍ଦ ନାଏକ,ଠିକାଦାର ଚର୍ତୁଭୁଜ ମହାନ୍ତ, ଗ୍ରାମ ସଂଯୋଜକ ଶ୍ରୀପଦ ନାଏକ ଓ ସୁନାରାମ ମହାନ୍ତଙ୍କ ନାମରେ ମାମଲା ରୁଜୁ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଟେକ୍ନିକାଲ ଟିମ୍ ଦ୍ୱାରା କାମର ଯାଞ୍ଚ କରାଯାଇଥିଲା । ୨୦୦୯-୧୦ ମସିହାରେ ଷଢଙ୍ଗୀ ପଞ୍ଚାୟତର ଜହ୍ନେଇନାଳଠାରୁ ଷଢଙ୍ଗୀ ଗ୍ରାମ ପର୍ଯ୍ୟନ୍ତ ଡିପାର୍ଟମେଣ୍ଟାଲରେ ୫ଲକ୍ଷ ଟଙ୍କାର ମାଟି ଓ ମୋରମ କାମ ହୋଇଥିଲା । ପୁଣି ୨୦୧୧-୧୨ ରେ ସେହି ରାସ୍ତାକୁ ଦେଖାଇ ଆଉ ୫ଲକ୍ଷ ଟଙ୍କାର କାମ ହୋଇଥିଲା । ପ୍ରଥମ କାମରେ କମ୍ କାମ କରି ଅଧିକ ଟଙ୍କାର ବିଲ୍ ଉଠାଇଥିବାବେଳେ ଦ୍ୱିତୀୟ ଥର କାମରେ କାମ ନକରି ବିଲ୍ ଉଠା ଯାଇଥିଲା । ଏହି ଦୁଇଟି ଯାକ କାମରେ ମୋଟ ୩ଲକ୍ଷ ୬୬ ହଜାର ୩୨୦ ଟଙ୍କା ଆତ୍ମସାତ ହୋଇଥିବା ଭିଜିଲାନ୍ସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ସହକାରୀ ଯନ୍ତ୍ରୀ ଏହି ୨ ଟି କାମରେ ଚେକ ମେଜରମେଣ୍ଟ କରିଥିଲେ । ଏହି କେଶରେ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ମୋଟ ୩୧ ଜଣ ସାକ୍ଷୀ ଏବଂ ତଦନ୍ତ ରିପୋର୍ଟ ଆଧାରରେ ମାମଲାର ବିଚାର କରି ଚମ୍ପୁଆ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ଗୌରହରୀ ସାହୁଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକୁ୍ୟଟର ଦେବଦତ୍ତ ବିଶ୍ୱାଳ ପରିଚାଳନା କରୁଥିଲେ । ଏହି ମାମଲାରେ ପୂର୍ବରୁ ଗତ ୨୨ା୧୨ା୨୦୨୩ ରେ ଚମ୍ପୁଆ ବ୍ଲକ ଷଡଙ୍ଗୀ ପଂଚାୟତ ପୂର୍ବତନ ସରପଂଚ ସଦାନନ୍ଦ ନାଏକ,ଠିକାଦାର ଚର୍ତୁଭୁଜ ମହାନ୍ତ,ଗ୍ରାମ ସଂଯୋଜକ ଶ୍ରୀପଦ ନାଏକ ଓ ସୁନାରାମ ମହାନ୍ତଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ହୋଇଥିଲା । ସେହି ସମୟରେ ସହକାରୀ ଯନ୍ତ୍ରୀ ଗୌରହରୀ ସାହୁ ଫେରାର୍ ଥିବାରୁ ମାମଲାର ବିଚାର ହୋଇପାରି ନଥିଲା ।